କନକ ବ୍ୟୁରୋ : ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳିବା ସହ ଆଜିଠାରୁ ଟି-୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ । ମେଲବୋର୍ଣ୍ଣରେ ଏହି ମହାମୁକାବିଲା ଖେଳାଯିବ । ଯେଉଁ ମ୍ୟାଚ୍ ଦେଖିବାକୁ କୋଟି କୋଟି କ୍ରିକେଟପ୍ରେମୀ ଚାହିଁ ରହିଛନ୍ତି । ଏହି ହାଇଭୋଲଟେଜ ମୁକାବିଲା ପୂର୍ବରୁ ମୁହଁ ଖୋଲିଛନ୍ତି ବିରାଟ କୋହଲି । ରୋହିତଙ୍କ ସହ ଥିବା ସମ୍ପର୍କ ଓ ତାଙ୍କ ଅଧିନାୟକତ୍ୱକୁ ନେଇ ବଡ ବୟାନ ଦେଇଛନ୍ତି କୋହଲି ।

Advertisment

ବିରାଟ କୋହଲି ଏକ ସାକ୍ଷାତକାରରେ କହିଛନ୍ତି, ଖେଳକୁ ବୁଝିବା ଓ ଖେଳିବାର ଶୈଳୀ ଆମ ଦୁଇ ଜଣଙ୍କର ସମାନ । ଆମର ସବୁବେଳେ ପ୍ରୟାସ ଥାଏ କି କିଭଳି ବଡ ଟୁର୍ଣ୍ଣାମେଣ୍ଟରେ ବିଜୟୀ ହେବୁ । ଆଉ ସେହି ଅନୁଯାୟୀ ରଣନୀତି ପ୍ରସ୍ତୁତ କରିଥାଉ । ଯେବେଠାରୁ ଟିମକୁ କମବ୍ୟାକ୍ କରିଛି ଏହାର ମାହୋଲ ବହୁତ ଭଲ ରହିଛି । ଯଦି ଟିମରେ ମାହୋଲ ଭଲଥାଏ ତେବେ ଆଗକୁ ବଢି କିଛି ଭଲ କରିବାକୁ ଇଚ୍ଛା ହୋଇଥାଏ ।

ସବୁଠୁ ବଡ କଥା ହେଲା ଉଭୟ ବିରାଟ ଓ ରୋହିତ ପରସ୍ପରର ଅଧିନାୟକତ୍ୱରେ ଖେଳିଛନ୍ତି । କିନ୍ତୁ ବିରାଟ ଅଧିନାୟକ ପଦ ଛାଡିବା ପରେ ଉଭୟଙ୍କୁ ନେଇ ଅନେକ ସମୟରେ ଭିନ୍ନ ଭିନ୍ନ ଚର୍ଚ୍ଚା ହୋଇଥାଏ । ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିବା କୁହାଯାଉଥିବା ବେଳେ ଅଧିନାୟକ ପଦକୁ ନେଇ ବିବାଦ ଥିବା ଚର୍ଚ୍ଚା ହୁଏ । କିନ୍ତୁ ଏଭଳି ଚର୍ଚ୍ଚାକୁ ବାରମ୍ବାର ଖଣ୍ଡନ କରି ଆସିଛନ୍ତି ଉଭୟ ବିରାଟ ଓ ରୋହିତ । ବରଂ ଉଭୟ ପରସ୍ପରକୁ ପ୍ରଂଶସା କରିବାରେ କେବେ ଉଣା କରନ୍ତି ନାହିଁ ।
ଏସିଆ କପ ପୂର୍ବରୁ ବିରାଟ କିଛି ସମୟ ପାଇଁ ବ୍ରେକ ନେଇଥିଲେ । ତେବେ ଟିମକୁ କମବ୍ୟାକ୍ କରିବା ପରେ ବିରାଟ ବ୍ୟାଟରୁ ବଡ ସ୍କୋର ଦେଖିବାକୁ ମିଳିଛି । ତେଣୁ ପାକିସ୍ତାନ ବିପକ୍ଷ ମ୍ୟାଚରେ ମଧ୍ୟ ବିରାଟ ବ୍ୟାଟ ପୁଣି ଗର୍ଜିବ ବୋଲି କ୍ରିକେଟପ୍ରେମୀ ଆଶା ବାନ୍ଧି ବସିଛନ୍ତି ।