କନକ ବ୍ୟୁରୋ: ପଢେଇବାକୁ ରାଜି ନଥିଲେ ଘର ଲୋକ । ଲୁଚି ଳୁଚି ପଢୁଥିଲେ, ଏବଂ ପ୍ରଥମ ଚେଷ୍ଟାରେ ଆଇଏଏସ୍ ହୋଇ ଘର ଲୋକଙ୍କୁ ଚମକାଇଦେଲେ । ଆମେ କହୁଛୁ ଆଇଏଏସ୍ ବନ୍ଦନା ସିଂ ଚୌହାନଙ୍କ କଥା । ବଡ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ଲୋକେ ଅନେକ ଅଛନ୍ତି ହେଲେ ଘାତ ପ୍ରତିଘାତ ସହି ସେ ଲକ୍ଷ୍ୟକୁ ହାସଲ କରିବା ବ୍ୟକ୍ତି କିନ୍ତୁ ଖୁବ୍ କମ୍ । ସେମାନଙ୍କ ଭିତରୁ ବନ୍ଦନା ସିଂହ ଜଣେ । ଯିଏ ନିଜ ସ୍ୱପ୍ନକୁ ସାକାର କରିବାକୁ ଘର ଲୋକଙ୍କୁ ବିରୋଧରେ ଗଲେ । ଆଉ ସଫଳତା ପାଇ ସମସ୍ତଙ୍କୁ ଚକିତ କଲେ ।

Advertisment

ଏକ ରକ୍ଷଣଶୀଳ ପରିବାରର ଝିଅ ବନ୍ଦନା । ୧୯୮୯ ଏପ୍ରିଲ ୪ ତାରିଖରେ ହରିୟାଣା ନସରୁଲ୍ଲାଗଡରେ ଜନ୍ମଗ୍ରହଣ କରିଥିଲେ ବନ୍ଦନା । ଯେଉଁଠି ଝିଅଙ୍କ ପାଠପଢା ଉପରେ ରହିଥିଲା ଅନେକ କଟକଣା । ସେ ଅଞ୍ଚଳରେ ଝିଅଙ୍କୁ ଅଧିକ ପାଠପଢାଇବାକୁ ମଙ୍ଗୁନଥିଲେ ବାପା, ମା’ । ବନ୍ଦନା ମଧ୍ୟ ଏଭଳି ସାମାଜିକ ବନ୍ଧନରୁ ମୁକ୍ତ ନଥିଲେ । ଘରେ ସମସ୍ତେ ତାଙ୍କ ପାଠପଢାକୁ ନେଇ ଅନିଚ୍ଛୁକ ଥିଲେ । ଗାଁ ଆଖାପାଖରେ ବି ଭଲ ସ୍କୁଲ ନଥିଲା । ହେଲେ ବନ୍ଦନାଙ୍କ ମନରେ ପାଢପଢା ପ୍ରତି ଆହେତୁକ ଆଗ୍ରହ ଥିଲା । ପିଲାବେଳୁ ଭାବୁଥିଲେ ଖୁବ୍ ପଢିବେ ଆଉ ସାହେବାଣୀ ହେବେ । ଏଥିପାଇଁ ସ୍କୁଲ ଯିବାକୁ ଜିଦି କରୁଥିଲେ ବନ୍ଦନା । ତାଙ୍କ କଥାକୁ ଗୁରୁତ୍ୱ ଦେଉନଥିଲେ ବାପା ମହିପାଲ ସିଂ । ଦିନେ ପାଖକୁ ଆସି ବନ୍ଦନା ବାପାଙ୍କୁ ଏଭଳି ପଦେ କଥା କହିଲେ ଯେ, ବାପାଙ୍କ ମନ ତରଳିଯାଇଥିଲା ଏବଂ ଝିଅକୁ ପଢାଇବାକୁ ନିଷ୍ପତ୍ତି ନେଇଥିଲେ ମହିପାଲ ସିଂ ।

ସେ ଝିଅ ବୋଲି ତାଙ୍କୁ ପଢାଇବାକୁ କେହି ଚାହୁଁନାହାଁନ୍ତି ବୋଲି କାନ୍ଦି କାନ୍ଦି ବାପାଙ୍କ ଆଗରେ କହିଥିଲେ ବନ୍ଦନା । ବାସ୍ ଏତିକିରେ ବାପା ଝିଅକୁ ପଢାଇବାକୁ ନିଷ୍ପତ୍ତି ନେଲେ ଏବଂ ମୁରାଦାବାଦର ଗୁରୁକୂଳ ସ୍କୁଲରେ ତାଙ୍କ ନାଁ ଲେଖାଇଲେ । ସେଠାରୁ ସ୍କୁଲ ପଢା ଶେଷ ପରେ ଦ୍ୱାଦଶ ପାସ୍ କଲେ ବନ୍ଦନା । ଏହାପରେ ଆଗ୍ରା ସ୍ଥିତ ଡ. ଆମ୍ବେଦକର ୟୁନିଭର୍ସିଟିରେ ଏଲଏଲବି କରିବା ସହ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କଲେ । ଘରର ମୂରବୀମାନେ ଏହାକୁ ଘୋର ବିରୋଧ କରୁଥିଲେ ବି ଚୁପଚାପ ସବୁ ସହିଯାଉଥିଲେ । ଏବଂ ଲୁଚିଲୁଚିି ପଢା ଜାରି ରଖିଥିଲେ । ଏହାପରେ ଘରକୁ ଫେରିଥିଲେ ବି ଘର ଲୋକଙ୍କ ନାଲିଆଖି ତାଙ୍କୁ ନିଜ ଲକ୍ଷ୍ୟରେ ପହଞ୍ଚିବାରୁ ତାଙ୍କୁ ରୋକିପାରିନଥିଲା । କାରଣ ପ୍ରଚ୍ଛଦପଟରେ ବାପା ତାଙ୍କୁ ସାହାସ ଦେଉଥିଲେ । ଧିରେ ଧିରେ ବଡଭାଇ ବି ତାଙ୍କୁ ପଢାରେ ସହଯୋଗ କରିବାକୁ ଲାଗିଲେ ।

ୟୁପିଏସସି ପ୍ରସ୍ତୁତି ପାଇଁ ନା ତାଙ୍କ ପାଖରେ ଥିଲା ଇଣ୍ଟରନେଟ୍ ନା କୋଚିଙ୍ଗ ସୁବିଧା । ଘରେ କିଛି ବହି ସଂଗ୍ରହ କରି ପଢିଥିଲେ । ସବୁ ବିଷୟ ସେ ହିନ୍ଦି ମିଡିୟମରେ ପଢି ପ୍ରସ୍ତୁତ ହୋଇଥିଲେ । ୨୦୧୮ରେ ପ୍ରଥମଥର ପାଇଁ ହିନ୍ଦି ମିଡିୟମରେ ୟୁପିଏସସି ପରୀକ୍ଷାରେ ବସିଲେ । ଏବଂ ତାଙ୍କ ଅକ୍ଳାନ୍ତ ପରିଶ୍ରମ ତାଙ୍କ ଭାଗ୍ୟ ରେଖା ବଦଳାଇଦେଲା । ପ୍ରଥମ ଚେଷ୍ଟାରେ ହିଁ ୟୁପିଏସସି ସର୍ବଭାରତୀୟ ସ୍ତରରେ ୮ତମ ସ୍ଥାନ ପାଇଲେ ବନ୍ଦନା ସିଂ ଏବଂ ଆଇଏଏସ୍ ହୋଇ ଘର ଲୋକଙ୍କୁ ଚମକାଇଦେଇଥିଲେ । ଆଜି ତାଙ୍କ ସଂଘର୍ଷ କାହାଣୀ ସମସ୍ତଙ୍କ ପାଇଁ ଏକ ବଳିଷ୍ଠ ପ୍ରେରଣାର ଉତ୍ସ ।