ଚୈତ୍ର ମାସରେ ମାଆ ଖମ୍ବେଶ୍ୱରୀଙ୍କ ପୀଠରେ ଭକ୍ତଙ୍କ ଭିଡ : ଦୂରଦୂରାନ୍ତରୁ ଛୁଟୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ

80

କନକ ବ୍ୟୁରୋ : ଚୈତ୍ର ମାସରେ ଚଳଚଂଚଳ ହୋଇ ଉଠିଛି ଆସିକାର ଅଧିଷ୍ଟାତ୍ରୀ ଦେବୀ ମା ଖମ୍ବେଶ୍ୱରୀ ମନ୍ଦିର । ଏହି ପୀଠରେ ପିଲାଙ୍କ ପ୍ରଥମ ଚୁଟି ପକାଇଲେ ମାଆଙ୍କ ଆଶୀର୍ବାଦ ଲାଭ କରିବା ସହ ରିଷ୍ଟ ଖଣ୍ଡନ ହୋଇଥାଏ ଏବଂ ରୋଗ, ବ୍ୟାଧି ହୋଇନଥାଏ ବୋଲି ବିଶ୍ୱାସ ରହିଛି । ଚୈତ୍ର ମାସର ମଙ୍ଗଳବାର ଦିନ ମାଆଙ୍କ ପୂଜାର୍ଚ୍ଚନା ପାଇଁ ଦୂରଦୂରାନ୍ତରୁ ଛୁଟି ଆସିଥାନ୍ତି ହଜାର ହଜାର ଭକ୍ତ । ପିଲାଙ୍କ ମୁଣ୍ଡନ ପାଇଁ ପ୍ରବଳ ଭିଡ଼ ହୋଇଥାଏ ।

ପ୍ରଥମ ମଙ୍ଗଳବାର ଦିନ ମାଆ ଖମ୍ବେଶ୍ୱରୀ ମନ୍ଦିରରେ ଦେଖିବାକୁ ମିଳିଥିଲା ନାହିଁ ନଥିବା ଭିଡ଼ । ବିଶ୍ୱାସ ରହିଛି, ଡାକିଲେ ଓ କରନ୍ତି ମାଆ ଖମ୍ବେଶ୍ୱରୀ । ଆପଦ ବିପଦ ସମୟରେ ମାଆଙ୍କୁ ସ୍ମରଣ କଲେ ଉଭା ହୋଇ ସବୁ ବିପଦ ଖଣ୍ଡନ କରିଥାନ୍ତି ବୋଲି ଭକ୍ତମାନଙ୍କ ଅଗାଢ ବିଶ୍ୱାସ ରହିଛି । ତେଣୁ ଚୈତ୍ର ମାସ ହେବାକ୍ଷଣି କାହିଁ କେତେ ଦୂରରୁ ଭକ୍ତମାନେ ଆସିଥାନ୍ତି ମାଆଙ୍କ ପୀଠକୁ ।

ଚୈତ୍ର ମାସର ଭିଡକୁ ଦୃଷ୍ଟିରେ ରଖି ଆସିକା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମାନସିକଧାରୀମାନେ କିପରି ମାଆଙ୍କ ଦର୍ଶନ ସୁରୁଖୁରୁରେ କରିବା ସହ ପୂଜାର୍ଚ୍ଚନା କରିପାରିବେ, ସେ ନେଇ ଧ୍ୟାନ ଦିଆଯାଇଛି । ଅନେକ ମାନସିକଧାରୀ ସେମାନଙ୍କ ପୁଅ-ଝିଅକୁ ମା ଖମ୍ବେଶ୍ୱରୀଙ୍କ ପୀଠରେ ମୁଣ୍ଡନ କରିବା ପାଇଁ ଧାଇଁ ଆସିଥାନ୍ତି ।

ଚୈତ୍ର ମାସ ପ୍ରଥମ ମଙ୍ଗଳବାର ଦିନ ମାନସିକ ପୂରଣ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ନିକଟରେ ଥିବା ତୋଟାରେ ରୋଷେଇ କରିବା ବ୍ୟବସ୍ଥା ରହିଛି । ରୋଷେଇ କରି ଖାଇବା ପରେ ଘରକୁ ଫେରିଥାନ୍ତି ଭକ୍ତ । ଏବେ ବି ଏହି ପୀଠରେ ବଳିପ୍ରଥା ରହିଛି ।