କ’ଣ ଦରକାର ଆପଣଙ୍କ ଶରୀରକୁ ! ଏହି ଲକ୍ଷଣରୁ ଜାଣନ୍ତୁ ଆବଶ୍ୟକୀୟ ଚିକିତ୍ସା ସହ ଖାଦ୍ୟ
ଅନେକ ସମୟରେ ଆମ ଶରୀରର ଭିତରୁ ଖରାପ ରହିଥାଏ ହେଲେ ଏହା ବାହାରକୁ ସ୍ପଷ୍ଟ ଭାବରେ ଜଣା ପଡିନଥାଏ । କିନ୍ତୁ କିଛି ଲକ୍ଷଣ ଦେଖାଯାଇଥାଏ ଯାହା ଶରୀର ଅସୁସ୍ଥ ବୋଲି ସୂଚନା ଦେଇଥାଏ । ଏହି ସବୁ ଲକ୍ଷଣ ଦର୍ଶାଇଥାଏ ଶରୀରକୁ ସାହାଯ୍ୟ ଦରକାର ଉପେକ୍ଷା ନୁହେଁ । ଅଧିକ ଦିନ ଏହାକୁ ଉପେକ୍ଷା କରାଗଲେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜେ। ତେଣୁ, ଶରୀରର କେତେକ ଲକ୍ଷଣ ଉପରେ ସର୍ବଦା ଧ୍ୟାନ ଦେବା ଆବଶ୍ୟକ।
Kanak News is now on WhatsApp
Join and get latest news updates delivered to you via WhatsApp
ନିଦ୍ରା ହୀନତା ଏବଂ ବିନ୍ଧାବିନ୍ଧି:
ସଭିଏଁ କେବେ ନା କେବେ ନିଦ୍ରା ହୀନତା ଏବଂ ବିନ୍ଧାବିନ୍ଧିର ଶିକାର ହୁଅନ୍ତି । କିନ୍ତୁ, ଯଦି ଏହା ଲାଗି ରହେ, ତେବେ ଜାଣନ୍ତୁ ଶରୀରରେ ମ୍ୟାଗ୍ନେସିୟମ୍ ଜନିତ ସମସ୍ୟା ଅଛି । ମସ୍ତିଷ୍କ, ମାଂସପେଶୀ ଏବଂ ହୃତପିଣ୍ଡ ପାଇଁ ମ୍ୟାଗ୍ନେସିୟମ୍ ଗୁରୁତ୍ୱପୂର୍ଣ୍ଣ । ଏମିତି ଅନୁଭବ କଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଏବଂ ବାଦାମ, ଶାଗ, କଦଳୀ ଏବଂ ଫଳ ଆଦି ଖାଆନ୍ତୁ ।
ଚର୍ମ ଶୁଷ୍କ ପଡିବା :
ଶରୀରରେ ଭିଟାମିନ୍ ‘ଇ’ର ଅଭାବ ହେଲେ ତାହା ଚର୍ମରୁ ଜଣାପଡ଼େ। ଭିଟାମିନ୍ ‘ଇ’ ଚର୍ମକୁ ସୁସ୍ଥ ରଖେ। ଶରୀରରୁ ଭିଟାମିନ୍ ‘ଇ’ କମିଗଲେ, ଚର୍ମ ଫାଟିବା, ଶୁଖିଲିଆ ଲାଗିବା, କାତି କାତିଆ ଦିଶିବା ସହ କୁଣ୍ଡେଇ ହୋଇଥାଏ । ତେଣୁ, ମାଛତେଲ, ବାଦାମ ଏବଂ ଅନ୍ୟାନ୍ୟ ତୈଳ ଖାଆନ୍ତୁ।
ମିଠା ଖାଇବାର ଇଚ୍ଛା:
ଯଦି ଆପଣଙ୍କର ହଠାତ୍ ମିଠା ଖାଇବାକୁ ପ୍ରବଳ ଆଗ୍ରହ ହେଉଛି, ଜାଣନ୍ତୁ ଚାପ, ବିଷାଦ ବା କ୍ଳାନ୍ତି ଏହାର କାରଣ ହୋଇପାରେ । ଆପଣଙ୍କ ଶରୀର ଗ୍ଲୁକୋଜ୍ ପାଇଁ କହୁଛି। ଏଥିପାଇଁ କଳା ଚକଲେଟ୍ କିମ୍ବା ମହୁ ଖାଆନ୍ତୁ।
ଖଟା ଖାଇବାର ଇଚ୍ଛା:
ଶରୀରରେ ହର୍ମୋନ୍ ଜନିତ ପରିବର୍ତ୍ତନ ହେଲେ ଖଟା ଖାଇବାକୁ ମନ ବଳିଥାଏ । ଉଦାହରଣ ସ୍ୱରୂପ: ଅନ୍ତଃସତ୍ତ୍ୱା ଅବସ୍ଥାରେ। କିନ୍ତୁ, ଏହା ଲିଭର୍ ଏବଂ ପିତ୍ତକୋଷ ସମସ୍ୟାର ଲକ୍ଷଣ ମଧ୍ୟ ହୋଇପାରେ। ଏ କ୍ଷେତ୍ରରେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ।
ବରଫ/ ଥଣ୍ଡା ଜିନିଷ ଖାଇବାର ଇଚ୍ଛା :
ଯଦି ଆପଣଙ୍କର ବରଫ/ ଥଣ୍ଡା ଜିନିଷ ଖାଇବାକୁ ମନ ହେଉଛି, ଆପଣ ରକ୍ତହୀନତା ଶିକାର ହୋଇଛନ୍ତି । ଶରୀରରେ ଆଇରନର ଅଭାବ ଦେଖା ଦେଇଛି । କଂଚା କଦଳୀ, ଅଣ୍ଡା ଆଦିରେ ପ୍ରଚୁର ଲୌହସାର ଥିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ସବୁ ଖାଆନ୍ତୁ।
ମାଢ଼ିରୁ ରକ୍ତ ବାହାରିଲେ :
ଦାନ୍ତ ଘଷିବାବେଳେ ହଠାତ୍ କିମ୍ବା ସବୁବେଳେ ମାଢ଼ିରୁ ରକ୍ତ ବୋହିବା ଭିଟାମିନ୍ ‘ସି’ ଅଭାବର ଲକ୍ଷଣ ବୋଲି ଜାଣନ୍ତୁ। ଲେମ୍ବୁଜାତୀୟ ଫଳ, ପାଳଙ୍ଗ, ସବୁଜ ଓ ଲାଲ୍ ଶିମଳା ଲଙ୍କା, ବିଲାତୀ ବାଇଗଣ, ବନ୍ଧାକୋବି, ଫୁଲକୋବି ଏବଂ ବ୍ରୋକୋଲି ଖାଆନ୍ତୁ।
ଚୁଟି ଛିଡ଼ିଲେ କି, ନଖ ଭାଙ୍ଗିଲେ:
ଯଦି ଆପଣଙ୍କର ଚୁଟି ଛିଡ଼ି ଯାଉଥାଏ କି, ନଖ ଭାଙ୍ଗି ଯାଉଥାଏ ଜାଣନ୍ତୁ, ଶରୀର ଭିଟାମିନ୍ ‘ବି’ ଲୋଡୁଛି । ପ୍ରତିକାର ପାଇଁ ଦୁଗ୍ଧ ପାନ କରନ୍ତୁ ଏବଂ ଛତୁ ଖାଆନ୍ତୁ।
ଆଖି ପିତୁଳା ଚାରିପଟେ ବଳୟ ଦିଶିଲେ :
ସାଧାରଣତଃ ପଚାଶ ବର୍ଷ ଟପିଲେ ଆଖି ପିତୁଳା ଚାରିପଟେ ବଳୟ ଦିଶିବା ସ୍ୱାଭାବିକ କଥା । ଯଦି, ଏହା ତା’ଠାରୁ କମ୍ ବୟସ୍କ ବ୍ୟକ୍ତିଙ୍କ ଆଖିରେ ଦେଖାଗଲା, ତାହା ଶରୀରରେ କୋଲେଷ୍ଟ୍ରଲ୍ ବୃଦ୍ଧିର ସୂଚନା ବୋଲି ଜାଣନ୍ତୁ। ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ଜରୁରୀ।