ସବୁଠୁ ଶସ୍ତା ବିମାନ ସେବା ଦେବାକୁ ସ୍ୱପ୍ନ ଦେଖିଥିଲେ ଝୁନଝୁନୱାଲା । ସପ୍ତାହକ ପୂର୍ବରୁ ଉଡାଣ ଭରିଥିଲା ଆକାଶା

645

କନକ ବ୍ୟୁରୋ: ଅସମୟରେ ଆଖି ବୁଜିଲେ ଦେଶର ପ୍ରଖ୍ୟାତ ନିବେଶକ ରାକେଶ ଝୁନଝୁନୱାଲା । ହେଲେ ଆର ପାରିକୁ ଯିବା ପୂର୍ବରୁ ନିଜର ବହୁ ପ୍ରତୀକ୍ଷିତ ସ୍ୱପ୍ନକୁ ସାକାର କରିଯାଇଛନ୍ତି । ଦେଶକୁ ଶସ୍ତାରେ ବିମାନ ସେବା ଯୋଗାଇବାକୁ ସ୍ୱପ୍ନ ଦେଖିଥିଲେ ଝୁନଝୁନୱାଲା , ଆଉ ମାତ୍ର ସପ୍ତାହକ ପୂର୍ବରୁ ତାଙ୍କର ଏହି ସ୍ୱପ୍ନ ପୂରଣ ହୋଇଥିଲା ।

ଅଗଷ୍ଟ ୭ ତାରିଖରେ ଝୁନଝୁନୱାଲାଙ୍କ ଏୟାର ଲାଇନ୍ସ ଆକାଶା ପ୍ରଥମେ ଉଡାଣ ଭରିଥିଲା । ପ୍ରଥମେ ଏହା ମୁମ୍ବାଇରୁ ଅହମଦାବାଦ ଯାଏଁ ଉଡାଣ ଆରମ୍ଭ କରିଥିଲା । ଶନିବାର ଆକାଶର ଅନ୍ୟ ବିମାନ ବେଙ୍ଗାଲୁରୁରୁ କୋଚିଯାଏଁ ଉଡାଣ ଭରିଥିଲା । ଆଗକୁ ଦେଶର ବଡ ବଡ ସହରକୁ ଆକାଶା ଉଡାଣ ଭରିବାର ଯୋଜନା ରହିଛି । ତେବେ ଝୁନଝୁନୱାଲାଙ୍କ ଆକାଶା ବିମାନ ଉଡାଣ କ୍ଷେତ୍ରରେ ଆସିବା ପରେ ଏହି କ୍ଷେତ୍ରରେ ଦେଶକୁ ଅନେକ ମାତ୍ରାରେ ଲାଭ ହୋଇଥିବା ବିଶେଷଜ୍ଞମାନେ କହିଥିଲେ ।

ବିମାନ ଉଡାଣ ବ୍ୟତୀତ ଦେଶରେ ପାଖାପାଖି ସବୁ କ୍ଷେତ୍ରରେ ନିବେଶ କରିଥିଲେ ରାକେଶ ଝୁନଝୁନୱଲା । ନିବେଶକୁ ନେଇ ଦେଶ ଆଗାମୀ ୧୦ ବର୍ଷରେ ଅନେକ ପ୍ରଗତି କରିବ ବୋଲି କହିଥିଲେ ଝୁନଝୁନୱାଲା ।