ପ୍ରଦୂଷଣମୁକ୍ତ ହେବ ଦିଲ୍ଲୀ ! ଖୋଲିବ କେଏମପି ଏକ୍ସପ୍ରେସ ୱେ, ୪ ଘଣ୍ଟାର ଯାତ୍ରା ଶେଷ ହେବ ମାତ୍ର ୯୦ ମିନିଟରେ ।

133

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁଣ୍ଡଲି ମାନେସର ପଲବଲ ୱେଷ୍ଟର୍ନ ଏକ୍ସପ୍ରେସ ୱେ’ର ଉଦଘାଟନ କରିଛନ୍ତି । ୬ ହଜାର ୪୩୪ କୋଟି ଟଙ୍କା ବ୍ୟୟ ଅଟକଳରେ ୧୩୫.୬୫ କିଲୋମିଟର ଲମ୍ବା କେଏମପି ମାର୍ଗର କିଛି ଅଂଶ ପୂର୍ବରୁ ୨୦୧୬ ଜୁଲାଇ ୧୫ ତାରିଖରେ ହରିୟାଣା ସରକାର ସାଧାରଣ ଜନତାଙ୍କ ପାଇଁ ଖୋଲି ଦେଇଥିଲେ । ପ୍ରଧାନମନ୍ତ୍ରୀ ମୋଦି ଏବେ ପୁରା ମାର୍ଗକୁ ଉଦଘାଟନ କରିଛନ୍ତି । ଏହି ଏକ୍ସପ୍ରେସ ୱେ ଆରମ୍ଭ ହେବା ଦ୍ୱାରା ରାଜଧାନୀ ଦିଲ୍ଲୀ ପ୍ରଦୂଷଣ କବଳରୁ ବର୍ତ୍ତି ପାରିବ । ଏହା ସହ ସବୁଠାରୁ ବଡ କଥା ହେଉଛି, ପଲବଲ ଠାରୁ କୁଣ୍ଡଲିର ଦୂରତାକୁ ଏଣିକି ଅଧାରୁ ବି କମ ସମୟରେ ପୁରା କରାଯାଇପାରିବ । ଜାଣନ୍ତୁ ଏହି ଏକ୍ସପ୍ରେସ ୱେ ଦ୍ୱାରା କଣ ସବୁ ଫାଇଦା ମିଳିବ ।

ଏକ୍ସପ୍ରେସ ୱେ ଆରମ୍ଭ ହେବା ଦ୍ୱାରା ରାଜଧାନୀ ଦିଲ୍ଲୀକୁ ରାସ୍ତା ଜାମରୁ ମୁକ୍ତି ମିଳିବ । ବର୍ତ୍ତମାନ ସମୟରେ ଦିଲ୍ଲୀବାସୀ ପ୍ରଦୂଷଣକୁ ନେଇ ଚିନ୍ତାରେ ଥିବାବେଳେ ଏହି ଏକ୍ସପ୍ରେସ ୱେ ଦ୍ୱାରା ପ୍ରଦୂଷଣରୁ ଦିଲ୍ଲୀ ବର୍ତ୍ତିପାରିବ । ଏହା ସହ ଏନସିଆର ଅଞ୍ଚଳର କେତେକ ସହର, ଫରିଦାବାଦ, ଗୁରୁଗ୍ରାମ, ଗାଜିଆବାଦ୍, ନୋଇଡା ସହ ହରିୟାଣା, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶ ମଧ୍ୟ ସିଧାସଳଖ ଭାବେ ଲାଭବାନ ହେବେ । କେଏମପି ଏକ୍ସପ୍ରେସ ୱେ ଖୋଲିବା ଦ୍ୱାରା ପଲବଲ ଠାରୁ କୁଣ୍ଡଲି ପର୍ଯ୍ୟନ୍ତ ଯାତ୍ରା ମାତ୍ର ୯୦ ମିନିଟରେ ପୁରା ହେବ ।ଏବେ କୁଣ୍ଡଲି ଯିବା ପାଇଁ ହେଲେ ଲୋକମାନଙ୍କୁ ଦିଲ୍ଲୀ ବାଟ ଦେଇ ଯିବାକୁ ପଡୁଛି । ଆଉ ଏଥିପାଇଁ ପାଖାପାଖି ୩ରୁ ୪ ଘଣ୍ଟା ସମୟ ଲାଗୁଛି । କେଏମପି ଏକ୍ସପ୍ରେସ ୱେରେ ଯାନବାହାନ ଗୁଡିକ ୧୨୦ କିଲୋମିଟର ପ୍ରତି ଘଣ୍ଟାରେ ଯାଇପାରିବ ।