ବିରାଟ-ବିସିସିଆଇ ବିବାଦରେ ମୁହଁ ଖୋଲିଲେ ବିଶ୍ୱବିଜେତା ଖେଳାଳୀ । କହିଲେ, ଗାଙ୍ଗୁଲି ନିଜ ଅନୁଭୂତିରୁ କିଛି ଶିଖିବା କଥା ।

184

କନକ ବ୍ୟୁରୋ : ଭାରତୀୟ କ୍ରିକେଟରେ ଏବେ ସବୁ କିଛି ଠିକ୍ ଚାଲିନାହିଁ । ବିରାଟ କୋହଲିଙ୍କ ସ୍ଥାନରେ ଟି-୨୦ ଓ ଦିନିକିଆ ଦଳର ଅଧିନାୟକ ଭାର ରୋହିତ ଶର୍ମାଙ୍କୁ ଦେଇଛି ବିସିସିଆଇ । ଆଉ ଏହାପରେ କୋହଲି-ବିସିସିଆଇ ମଧ୍ୟରେ ବୟାନବାଜି ଆରମ୍ଭ ହୋଇଛି । ଆଉ ଏହି ବୟାନବାଜି ଅନେକ ବିବାଦ ମଧ୍ୟ ଛିଡା କରିଛି । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଥିଲେ ଯେ, କୋହଲିଙ୍କୁ ଟି-୨୦ ଅଧିନାୟକ ପଦ ନ ଛାଡିବାକୁ କୁହାଯାଇଥିଲା । କିନ୍ତୁ କୋହଲି ଏହାକୁ ଗ୍ରହଣ ନକରି ଟି-୨୦ ଅଧିନାୟକ ପଦ ଛାଡି ଦେଇଥିଲେ । ଆଉ ଏହି ପଦିଏ କଥା ଭାରତୀୟ କ୍ରିକେଟରେ ସବୁ କିଛି ଠିକ୍ ଚାଲିନାହିଁ ବୋଲି ସଂକେତ ଦେଇଥିଲା । ସାମ୍ବାଦିକ ସମ୍ମିଳନୀରେ କୋହଲିଙ୍କ ଏହି ବୟାନ ପରେ ସୌରଭ ଗାଙ୍ଗୁଲି କହିଥିଲେ ଯେ, ବିସିସିଆଇ ଏହି ମାମଲାକୁ ବୁଝିବ, ଏହି ଘଟଣା ଆମ ଉପରେ ଛାଡି ଦିଅନ୍ତୁ ।

ଆଉ ଏସବୁ ଭିତରେ ୧୯୮୩ ବିଶ୍ୱକପ୍ ବିଜେତା ଟିମର ସଦସ୍ୟ ଥିବା କୀର୍ତ୍ତି ଆଜାଦ କହିଛନ୍ତି, ଏହି ମାମଲାରେ ଗାଙ୍ଗୁଲି ନିଜ ଅନୁଭୂତିରୁ କିଛି ଶିଖିବା କଥା ଓ କୋହଲିଙ୍କ ସହ ଆଲୋଚନା କରି ମାମଲାର ସମାଧାନ କରିବା କଥା । ଏହାପୂର୍ବରୁ ବିଶନ ସିଂ ବେଦୀ ଓ ସୁନୀଲ ଗାଭାସ୍କରଙ୍କୁ କିଭଳି ଅଧିନାୟକ ପଦରୁ ହଟାଯାଇଥିଲା ତାହା ସମସ୍ତେ ଜାଣନ୍ତି । ଭେଙ୍କଟ ରାଘବନ ଫ୍ଲାଇଟରେ ଥିବା ବେଳେ ତାଙ୍କୁ ଅଧିନାୟକ ପଦରୁ ହଟାଯାଇଥିବା ନେଇ ଜାଣିବାକୁ ମିଳିଥିଲା । ତେବେ ସୌରଭ ଗାଙ୍ଗୁଲିଙ୍କୁ ନିଜ ଅନୁଭବରୁ ଶିଖିବାର ଆବଶ୍ୟକତା ଥିଲା ।
ଗ୍ରେଗ୍ ଚାପେଲ ଯେତେବେଳେ ଭାରତୀୟ ଟିମର କୋଚ୍ ଥିଲେ ସେତେବେଳେ ଗାଙ୍ଗୁଲିଙ୍କୁ ଅଧିନାୟକ ପଦରୁ ହଟାଯାଇଥିଲା । ସେତେବେଳେ ଗାଙ୍ଗୁଲିଙ୍କୁ ସମର୍ଥନ କରିଥିବା କଥା କହିଛନ୍ତି କୀର୍ତ୍ତି । ତେଣୁ ନିଜ ଅନୁଭୂତିରୁ ଗାଙ୍ଗୁଲିଙ୍କୁ ଶିଖିବାର ଆବଶ୍ୟକତା ଥିଲା । ବିରାଟଙ୍କ ମାମଲା ସ୍ୱତନ୍ତ୍ର ନୁହେଁ, କିନ୍ତୁ ହଁ ସେ ଜଣେ ଶ୍ରେଷ୍ଠ ବ୍ୟାଟର ଓ କ୍ରିକେଟର । ତେଣୁ କୋହଲିଙ୍କ ସହ ଆଲୋଚନା କରି ପୂରା ବିବାଦର ସମାଧାନ କରିବା ଉଚିତ୍ ବୋଲି କହିଛନ୍ତି କୀର୍ତ୍ତି ।