ଉତ୍ତରକୋରିଆର ଏକଛତ୍ରବାଦ ଶାସକ କିମ୍ ଜଙ୍ଗ ଉନଙ୍କ ପତ୍ନୀଙ୍କ ଗାଏବ ରହସ୍ୟ ଉପରୁ ହଟିଲା ପରଦା । ବର୍ଷକ ପରେ ସର୍ବସାଧାରଣରେ ନଜର ଆସିଲେ।

235

କନକ ବ୍ୟୁରୋ: ଉତ୍ତରକୋରିଆର ଏକଛତ୍ରବାଦ ଶାସକ କିମ୍ ଜଙ୍ଗ ଉନଙ୍କ ପତ୍ନୀ ରି ସୋଲ୍ ଯୁ ଶେଷରେ ସର୍ବସମ୍ମୁଖକୁ ଆସିଛନ୍ତି । ପ୍ରାୟ ୧ବର୍ଷ ହେଲା ତାଙ୍କୁ ସର୍ବସାଧାରଣରେ ଦେଖିବାକୁ ମିଳୁନଥିଲା । ଯାହାକୁ ନେଇ ଅନେକ ଚର୍ଚ୍ଚା ଚାଲିଥିଲା । ଏପରିକି ସେ ଗୁରୁତର ଅସୁସ୍ଥ ହୋଇପଡିଥିବା କୁହାଯାଉଥିଲା । ଏହାସହ ସେ ଗର୍ଭବତୀ ଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଥିଲା । ତାଙ୍କ ଅନୁପସ୍ଥିତିକୁ ନେଇ ଅନେକ ରହସ୍ୟ ରହିଥିବା ବେଳେ ଶେଷରେ ଏଥିରେ ପୂର୍ଣ୍ଣଛେଦ ପଡିଛି । ଏକଛତ୍ରବାଦ ଶାସକ କିମ୍ ଜଙ୍ଗ ଉନଙ୍କୁ ପତ୍ନୀ ରି ସୋଲ୍ ଯୁଙ୍କ ସହ ଏକାଠି ଗୋଟିଏ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି । ଉତ୍ତରକୋରିଆର ପୂର୍ବତନ ଶାସକ କିମ୍ ଜଙ୍ଗ ଦ୍ୱିତୀୟଙ୍କ ଜନ୍ମଜୟନ୍ତୀ ଅବସରରେ ଆୟୋଜିତ ଏକ ସଙ୍ଗୀତ କାର୍ଯ୍ୟକ୍ରମକୁ କିମଙ୍କ ସହ ପତ୍ନୀ ରି ସୋଲ୍ ଯୁ ଉପଭୋଗ କରୁଥିବାର ନଜର ଆସିଛନ୍ତି ।

ଉତ୍ତର କୋରିଆ ସେଂଟ୍ରାଲ ନ୍ୟୁଜ ଏଜେନ୍ସି ପକ୍ଷରୁ ଏହି ଫଟୋ ଜାରି କରାଯାଇଛି । ଏହାସହ କୁହାଯାଇଛି ଯେ କିମ୍ ଓ ତାଙ୍କ ପତ୍ନୀ ଏଠାକୁ ଆସିବା ମାତ୍ରେ ତାଙ୍କୁ ସ୍ୱାଗତ କରିବା ପାଇଁ କରତାଳିରେ ଫାଟିପଡିଥିଲା ହଲ୍ । କରୋନା ମହାମାରୀ ଯୋଗୁଁ ସେ ସର୍ବସମ୍ମୁଖକୁ ଆସୁନଥିଲେ ଏବଂ ତାଙ୍କ ପିଲାଙ୍କ ଦେଖାଶୁଣା କରୁଥିଲେ ବୋଲି ସୂଚନା ମିଳିଛି ।

ଗତବର୍ଷ ଜାନୁଆରୀ ୨୫ତାରିଖରେ କିମଙ୍କ ସହ ରି ସୋଲ ଯୁଙ୍କୁ ନୂଆବର୍ଷ ପାଳନ କରୁଥିବା ଅବସରରେ ଦେଖିବାକୁ ମିଳିଥିଲା । ତା ପରଠାରୁ ତାଙ୍କୁ ଆଉ ଦେଖିବାକୁ ମିଳିନଥିଲା । ଏପରିକି ଗତବର୍ଷ ଅକ୍ଟୋବର ୧୦ତାରିଖରେ ବଡ ଧରଣର ସେନା ପରେଡ ଆୟୋଜନ ହୋଇଥିଲା । ପ୍ରତି ବର୍ଷ କିମଙ୍କ ସହ ଏହି କାର୍ଯ୍ୟକ୍ରମରେ ନଜର ଆସନ୍ତି ପତ୍ନି ରି ସୋଲ ଯୁ, କିନ୍ତୁ ଗତବର୍ଷ ସେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇନଥିଲେ । ଏହାପରେ ସେ ଅସୁସ୍ଥ ଥିବା ନେଇ ଚର୍ଚ୍ଚା ହେଉଥିଲା । ଏବେ ସବୁ ଚର୍ଚ୍ଚାରେ ପୂଣ୍ଣଛେଦ ପଡିଛି । ଏବଂ ସର୍ବସମ୍ମୁଖରେ ନଜର ଆସିଛନ୍ତି ରି ସୋଲ୍ ଯୁ ।