ଆଇପିଏଲରୁ ସନ୍ୟାସ ନେଲେ କିରନ ପୋଲାର୍ଡ: ମୁମ୍ବାଇ ପାଇଁ ତୁଲାଇବେ ଏହି ଗୁରୁଦାୟିତ୍ୱ

207

କନକ ବ୍ୟୁରୋ: ଆଇପିଏଲ ରିଟେନସନ ଲିଷ୍ଟ ଆସିବା ପୂର୍ବରୁ ବଡ ଧମାକା ହୋଇଛି । ଆଇପିଏଲର ସବୁଠାରୁ ଦୁର୍ଦ୍ଦଶ ବ୍ୟାଟ୍ସମ୍ୟାନ କୁହାଯାଉଥିବା କିରନ ପୋଲାର୍ଡ ଆଇପିଏଲରୁ ସନ୍ୟାସ ନେବାକୁ ଘୋଷଣା କରିଛନ୍ତି । ଏବେ ତାଙ୍କୁ ଆଇପିଏଲ ଖେଳୁଥିବାର ଆଉ ଦେଖିବାକୁ ମିଳିବ ନାହିଁ । ୧୩ ବର୍ଷ ଯାଏଁ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିଥିବା ପୋଲାର୍ଡଙ୍କୁ ଏବେ ଗୁରୁଦାୟିତ୍ୱ ମିଳିଛି । ଏବେ ସେ ମୁମ୍ବାଇର ବ୍ୟାଟିଂ କୋଚ ଦାୟିତ୍ୱ ତୁଲାଇବେ ।

କିରନ ପୋଲାର୍ଡ ନିଜ ଟ୍ୱିଟରରେ ଅବସର ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି କି, ଏହା ମୋ ପାଇଁ ସହଜ ନଥିଲା । ହେଲେ ଏବେ ମୁମ୍ବାଇ ସହ ଏହି ଲମ୍ବା ଯାତ୍ରା ପରେ ମୁଁ ନିଷ୍ପତ୍ତି ନେଇଛି ଏବେ ଆଉ ମୁଁ ଆଇପିଏଲ ଖେଳିବି ନାହିଁ । ଯଦି ମୁଁ ମୁମ୍ବାଇ ଇଣ୍ଡିଆନ୍ସ ସହ ଖେଳିବିନି ତ କାହା ସହ ବି ଖେଳିବି ନାହିଁ । ମୁମ୍ବାଇ ଅନେକ କିଛି ହାସଲ କରିଛି, ଏବେ ସେ ପରିବର୍ତ୍ତନର ରାସ୍ତାରେ ଗତି କରୁଛି । ଏହା ଇମୋସନାଲ ଗୁଡବାୟ ନୁହେଁ । କାରଣ ମୁଁ ମୁମ୍ବାଇର ବ୍ୟାଟିଂ କୋଚକୁ ସ୍ୱୀକାର କରିଛି ।

କିରନ ପୋଲାର୍ଡଙ୍କୁ ଆଇପିଏଲରେ ଜଣେ ଲିଜେଣ୍ଡ ଖେଳାଳି ଭାବେ ଦେଖାଯାଏ । ସେ ଆରମ୍ଭକୁ ମୁମ୍ବାଇ ସହ ଜଡିତ ଅଛନ୍ତି । ୨୦୧୦ରେ ସେ ଦିଲ୍ଲୀ ବିପକ୍ଷରେ ଆଇପିଏଲରେ ଡେବ୍ୟୁ କରିଥିଲେ । ଆଉ ୨୦୨୨ରେ କୋଲକାତା ବିପକ୍ଷରେ ନିଜର ଶେଷ ମ୍ୟାଚ ଖେଳିଥିଲେ । ସେ ୧୮୯ ମ୍ୟାଚ ଖେଳି ୩,୪୧୨ ରନ କରିଥିଲେ, ଯେଉଁଥିରେ ୧୬ ଅର୍ଦ୍ଧଶତକ ସାମିଲ ଅଛି । ପୋଲାର୍ଡଙ୍କ ନାଁରେ ମୋଟ ୨୨୩ ଛକାର ରେକର୍ଡ ରହିଛି ।