ମନ୍ତ୍ରୀଙ୍କ ଆଗରେ କାନ୍ଦି କାନ୍ଦି ଗୁହାରୀ କଲେ କିଡନୀ ରୋଗୀ । କହିଲେ, ଏସସିବିରେ ଦିଆଯାଉଛି ବ୍ଲାକଲିଷ୍ଟଟେଡ ଔଷଧ ।

ଠିକ୍ ଉତ୍ତର ନଦେଇ ପୁଣି ଏସସିବି ଯିବାକୁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

128

କନକ ବ୍ୟୁରୋ: କିଡନୀ ରୋଗୀଙ୍କୁ ମିଳୁନାହିଁ ଉନ୍ନତ ମାନର ଔଷଧ । ରାଜ୍ୟରେ ଉନ୍ନତ ମାନର ଚିକିତ୍ସା ପାଇଁ ଗୁହାରୀ କରୁଛନ୍ତି କିଡନୀ ରୋଗୀ ଏବଂ ତାଙ୍କ ପରିବାର । ସମସ୍ୟାର ସମାଧାନ ହେଉନଥିବା ବେଳେ କାନ୍ଦି କାନ୍ଦି ଜୀବନ ବଞ୍ଚାଇବାକୁ ଗୁହାରୀ କରୁଛନ୍ତି କିଡନୀ ରୋଗୀ । ଏସସିବିରେ ନିଷିଦ୍ଧ ଔଷଧ ବଣ୍ଟନ କରାଯାଉଥିବା ଅଭିଯୋଗ ହେଉଥିବା ବେଳେ ରୋଗୀଙ୍କ ପାଇଁ ସବୁ ବ୍ୟବସ୍ଥା ହୋଇଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ।

ପୁଅର ପାଇଁ କାନି ପତାଇ ଜୀବନ ଭିକ୍ଷା ମାଗୁଛି ମା । ଆଖିରୁ ଲୁହ ଆଉ ବୋଲ ମାନୁନି, କଣ କରିବ ମୁଣ୍ଡକୁ ବୁଦ୍ଧି ଜୁଟୁନି । କିଡନୀ ରୋଗରେ ପୁଅ ପୀଡିତ ହେବା ପରେ ମଞ୍ଜୁଲତା ପୁଅକୁ ନିଜ କିଡନୀ ଦେଲେ । କିଡନୀ ପ୍ରତିରୋପଣ ପରେ କଟକ ବଡ ଡାକ୍ତରଖାନାରୁ ଯେଉଁ ଔଷଧ ଖାଇଲେ ସେଥିରେ ସ୍ୱାସ୍ଥ୍ୟ ବିଗିଡିବାରେ ଲାଗିଛି । ପୁଅର ଜୀବନ ବଞ୍ଚାଇବା ପାଇଁ ଭଲ ଔଷଧ ଦେବାକୁ ଗୁହାରୀ କରୁଛନ୍ତି ମଞ୍ଜୁଲତା । ମଞ୍ଜୁଲତାଙ୍କ ଘର ଭଦ୍ରକ ଜିଲ୍ଲାରେ । କିନ୍ତୁ ପୁଅର ଜୀବନ ବଞ୍ଚାଇବା ପାଇଁ ଭଲ ଔଷଧ ସନ୍ଧାନରେ କେତେବେଳେ କଟକ ତ ପୁଣି କେତେବେଳେ ଭୁବନେଶ୍ୱରର ରାସ୍ତାଘାଟରେ ଘୁରିବୁଲୁଛନ୍ତି ।

କଟକ ବଡ଼ ଡାକ୍ତରଖାନାରେ କିଡନୀ ରୋଗୀଙ୍କୁ ଟାକ୍ରୋଲିମସ୍ କ୍ୟାପ୍ସୁଲ, ନେଫଗ୍ରାଫ ପଏଣ୍ଟ ୫ ବଟିକା ମାଗଣାରେ ମିଳୁଛି । ତେବେ ଏହି ଔଷଧକୁ ଚଣ୍ଡୀଗଡର ରେଜିଓନାଲ ଡ୍ରଗ ଟେଷ୍ଟିଂ ଲ୍ୟାବ୍ ନିଷିଦ୍ଧ କରିଥିବାବେଳେ ଏହା କେମିତି ଦିଆଯାଉଛି ବୋଲି ପ୍ରଶ୍ନ କରିଛନ୍ତି କିଡନୀ ରୋଗୀ । ଏନେଇ ବୁଧବାର ଦିନ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଘର ଆଗରେ ଧାରଣାରେ ବସିଥିଲେ କିଡନୀ ରୋଗୀ । ଗଣମାଧ୍ୟମ ପ୍ରତିନିଧି ନିଷିଧ ଔଷଧ ବଣ୍ଟନ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ପଚାରିବାରୁ ଏହାର ସଠିକ ଉତ୍ତର ନଦେଇ ଏସସିବି ଯିବାକୁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । କଟକ ଏସସିବି ମେଡିକାଲରେ କିଡନୀ ରୋଗୀଙ୍କୁ ନିଷିଦ୍ଧ ଔଷଧ ଦିଆଯାଉଥିବା କିଡନୀ ରୋଗୀ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି । ଆଉ ଏବେ ପୁଣି ଥରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଏସସିବି ଯିବାକୁ କହିବା କିଡନୀ ରୋଗୀଙ୍କୁ ଅଡୁଆରେ ପକାଇଛି ।