୫୦ ହଜାର ଟଙ୍କାର ସଉଦା ! ସାଙ୍ଗର ପୁଅକୁ ସାଙ୍ଗ କଲା ଅପହରଣ, ସୁରଟରୁ ଜଗତସିଂହପୁର, ୬ ବର୍ଷର ପୁଅ ବନିଲା ପଣବନ୍ଦୀ ।

183

କନକ ବ୍ୟୁରୋ : ଟଙ୍କା ପାଇଁ କୁନି ପୁଅର ଅପହରଣ । ଅପହରଣ ପୁଣି କୌଣସି ଅପରିଚିତ ବ୍ୟକ୍ତି କରିନାହିଁନ୍ତି, ବରଂ ଅପହରଣ କରିଛନ୍ତି ଖୋଦ୍ ଜଣେ ସାଙ୍ଗ । ସୁରଟରୁ ୬ ବର୍ଷର କୁନି ପୁଅକୁ ଅପହରଣ କରି ଆଣିଥିବା ଏମିତି ଜଣେ ଅଭିଯୁକ୍ତ ଜଗତସିଂହପୁରରୁ ଧରାପଡ଼ିଛି । ବିହାର ଏହି ଅଭିଯୁକ୍ତ ନିଜ ଶ୍ୱଶୁର ଘରେ ଲୁଚିଥିବା ବେଳେ ପୁଲିସର ଜାଲରେ ଛନ୍ଦି ହୋଇଯାଇଛି । ଦେଖନ୍ତୁ ଅପହରଣର ପୁରା କାହାଣୀ ।

୫୦ ହଜାର ଟଙ୍କାର ସଉଦା । ୬ ବର୍ଷର ପୁଅକୁ ଅପହରଣ । ଅପହରଣର ଏହା ଏପରି ଏକ କାହାଣୀ, ଯାହାକୁ ଶୁଣିଲେ ଆପଣ ଚକିତ ହୋଇଯିବେ । ମାତ୍ର ୫୦ ହଜାର ଟଙ୍କା ପାଇଁ ସାଙ୍ଗର ପୁଅକୁ ଅପହରଣ କରିଥିଲା ସାଙ୍ଗ । ସୁରଟରୁ ହୋଇଥିଲା ଅପହରଣ, ଜଗତସିଂହପୁରରୁ ଧରାପଡିଲା ଅଭିଯୁକ୍ତ ।

ଅଭିଯୁକ୍ତ ନୌସାତ୍ ଅଲ୍ଲୀ, ଘର ବିହାରରେ । ସୁରଟର ଏକ କଂପାନୀରେ କାମ କରେ ନୌସାତ୍ । ସେହି କଂପାନୀରେ କାମ କରୁଥିବା ହୁସେନ୍ ଖାଁଙ୍କ ସହ ତା’ର ହୋଇଥିଲା ବନ୍ଧୁତା । ହେଲେ ଟଙ୍କା କାରବାରକୁ ନେଇ ଆରମ୍ଭ ହୋଇଥିଲା ବିବାଦ । ଗତ ୧୯ ତାରିଖ ଦିନ ହୁସେନଙ୍କ ୬ ବର୍ଷର ପୁଅକୁ ବୁଲାଇ ନେବାକୁ କହି ଫେରାର୍ ହୋଇଯାଇଥିଲା ଅଭିଯୁକ୍ତ ।

ପୁଅ ଘରକୁ ନଫେରିବା ପରେ ହୁସେନଙ୍କ ମନରେ ହୋଇଥିଲା ସଂନ୍ଦେହ । ଏପଟେ ସାଙ୍ଗର ପୁଅକୁ ନେଇ ଓଡ଼ିଶା ଚାଲି ଆସିଥିଲା ନୌସାତ୍ । ଜଗତସିଂହପୁରରେ ତା’ର ଶ୍ୱଶୁର ଘର ହୋଇଥିବାରୁ ସେଠାରେ ସାଙ୍ଗର ପୁଅକୁ ଲୁଚାଇ ରଖିଥିଲା ଅଭିଯୁକ୍ତ । ଫୋନ ଟ୍ରାକିଂ ପରେ ପୋଲିସକୁ ମିଳିଥିଲା ତା’ର ଠିକଣା । ଜଗତସିଂହପୁର ପୋଲିସ ସହାୟତାରେ ଅଭିଯୁକ୍ତ ନୌସାତ୍ ମଲ୍ଲିକକୁ ଗିରଫ କରିଛି ସୁରଟ ପୋଲିସ । କୋର୍ଟ ଚାଲଣ ପରେ ଅଭିଯୁକ୍ତକୁ ନିଆଯାଇଛି ଗୁଜରାଟ ।