ପ୍ରେମ କଲେ ବୋଲି ଆଖି ତାଡିଦେଲେ । ଖୋର୍ଦ୍ଧାର ଗଙ୍ଗାଜଲ୍ ଷ୍ଟାଇଲ୍ ।

50

କନକ ବ୍ୟୁରୋ : ପ୍ରେମ କାହାଣୀ କେତେ ଭୟାନକ ହୋଇପାରେ ତାହା ଆପଣ କେବେହେଲେ କଳ୍ପନା କରିନଥିବେ । ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅଞ୍ଚଳରେ ଦେଖାଯାଇଛି ଏଭଳି ଏକ ଅଭାବନୀୟ ଘଟଣା । ଛୁରୀରେ ପ୍ରେମିକର ଆଖି ତାଡିନେଲେ ପ୍ରେମିକାର ପରିବାର ଲୋକେ । ଏହା ସହ ସମ୍ପୃକ୍ତ ପ୍ରେମିକକୁ ଜୀବନରୁ ଅକର୍ମଣ୍ୟ କରିଦେବା ଭଳି ମଧ୍ୟ ଉଦ୍ୟମ କରିଛନ୍ତି ପ୍ରେମିକାର ପରିବାର ।

ସୂଚନା ଅନୁଯାୟୀ, ଜଙ୍କିଆ ଥାନା ଅନ୍ତର୍ଗତ ଗୋଳାବାହି ପଞ୍ଚାୟତର ବ୍ରାହ୍ମଣ ସାହିରେ ରହୁଥିବା ୧୮ ବର୍ଷୀୟ ବିଶ୍ୱଜିତ ବେହେରା ସେହି ଗ୍ରାମର ଅନ୍ୟ ଏକ ସାହିର ଏକ ଝିଅକୁ ଦୀର୍ଘ ଦୁଇ ବର୍ଷ ହେବ ଭଲ ପାଇ ଆସୁଥିଲା । ଏହି ଭଲପାଇବା ଏକ ପାଖିଆ ନଥିଲା ବରଂ ସେହି ଝିଅ ମଧ୍ୟ ବିଶ୍ୱଜିତକୁ ଭଲପାଉଥିଲା । ଏପରିକି ଗତ ଦୁଇ ବର୍ଷ ତଳେ ଉଭୟ ୨ ଦିନ ପାଇଁ ଘରୁ ଫେରାର ମଧ୍ୟ ହୋଇଯାଇଥିଲେ । ଏନେଇ ଝିଅ ଘର ପକ୍ଷରୁ ଜଙ୍କିଆ ଥାନାରେ ଅଭିଯୋଗ କରାଯାଇଥିଲା । ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ କରିବା ସହ ଦୁଇଜଣଙ୍କୁ ଧରିବାରେ ସଫଳ ହୋଇଥିଲା । କିନ୍ତୁ ଉଭୟ ପୁଅ ଓ ଝିଅ ନାବାଳକ ଏବଂ ନାବାଳିକା ଥିବାରୁ ପୋଲିସ ଉଭୟ ପରିବାର ଲୋକଙ୍କୁ ବୁଝାଇ ସୁଝାଇ ଛାଡିଦେଇଥିଲା ।

ତେବେ ଦୀର୍ଘ ଦିନ ପରେ ସେହି ଶତ୍ରୁତା ପୁଣି ଦେଖାଦେଇଛି । ଏହି ଶତ୍ରୁତା ଯେ, ଦିନେ ଏତେ ଭୟଙ୍କର ହେବ ତାହା କେହି କଳ୍ପନା ମଧ୍ୟ କରନଥିଲେ । ଏବଂ ଗତ ୨୩ ତାରିଖ ରାତି ୧୦.୩୦ ସମୟରେ ସେହି ଝିଅ ବିଶ୍ୱଜିତକୁ ଗ୍ରାମର ମନ୍ଦିର ନିକଟକୁ ଡକାଇଥିଲା । ବିଶ୍ୱଜିତ ସେଠାରେ ପହଞ୍ଚିବା ପରେ ଝିଅର ବାପା ସମେତ ତାର ପରିବାରର ୫ଜଣ ମିଶି ଜୋରଜବରଦସ୍ତ ଭାବରେ ବିଶ୍ୱଜିତକୁ ବାନ୍ଧି ଘରକୁ ଟେକିନେଇଥିଲେ । ସେଠାରେ ତାକୁ ପ୍ରବଳ ମାଡ ମାରିବା ସହ ଗୋଡ ମଧ୍ୟ ଭାଙ୍ଗି ଦେଇଥିଲେ । ଏହା ପରେ ଲୁହା ରଡରେ ଆଖି ତାଡିଦେବାର ସମ୍ପୂର୍ଣ୍ଣ ଉଦ୍ୟମ କରିଥିଲେ ବୋଲି ବିଶ୍ୱଜିତ ଓ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ପୋଲିସ ଏପର୍ଯ୍ୟନ୍ତ ଘଟଣାସ୍ଥଳରେ ପହଞ୍ଚିନାହିଁ ।