ପୁଣି ଝୁଲିଲା ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ । ଟଙ୍କା ମିଳିଲା ହେଲେ ପରିବେଶ ମଞ୍ଜୁରୀ ସାଜିଲା ବାଧକ 

137

କନକ ବ୍ୟୁରୋ: ପୁଣି ଅନିଶ୍ଚିତତା ଘେରକୁ ଚାଲିଯାଇଛି ବହୁ ପ୍ରତିକ୍ଷିତ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ । ଏଥର ଜମି ଅଧିଗ୍ରହଣ ନୁହେଁ  ବରଂ ପରିବେଶ ମଞ୍ଜୁରୀ ସାଜିଛି ବାଧକ । ରେଳପଥରେ ସଂରକ୍ଷିତ ଜଙ୍ଗଲ ଓ ହାତୀ ଚଲାପଥ ପଡୁଥିବାରୁ ପରିବେଶ ଅନୁମତିରେବାଧା ଉପୁଜିଛି । ଗତ ୧୫ ତାରିଖର  ଏକ ଉଚ୍ଚସ୍ତରୀୟ ବୈଠକ ପରେ ଖୋର୍ଦ୍ଧା-ବଲାଙ୍ଗିର ରେଳପଥର ୧୧୨ରୁ ୧୮୦ କିଲୋମିଟର ଯାଏଁ ୬୮ କିଲୋମିଟର ରେଳପଥକୁ ପରିବେଶ ଅନୁମତି ନ ମିଳିବାରୁ ବର୍ତ୍ତମାନ କାର୍ଯ୍ୟ ଧିମେଇ ଯାଇଛି ।

୩୦୧ କିଲୋମିଟରର ଖୋର୍ଦ୍ଧା-ବଲାଙ୍ଗିର ରେଳପ୍ରକଳ୍ପ ଲାଗି ବର୍ତ୍ତମାନ ବ୍ୟୟବରାଦ ୨ ହଜାର କୋଟି ପାର କଲାଣି ।  ପ୍ରଥମେ ଏହି ପ୍ରକଳ୍ପ ଲାଗି ଅର୍ଥ ଓ ଜମି ଅଧିଗ୍ରହଣ ମୁଖ୍ୟ ପ୍ରତିବନ୍ଧକ ପାଲଟିଥିଲା । ଏବେ କିନ୍ତୁ ପରିବେଶ ମଞ୍ଜୁରୀ ମୁଖ୍ୟ ବାଧକ ସାଜିଛି ।  ଆଉ ଯଦି ନକ୍ସା ବଦଳାଯାଏ ତାହା ହେଲେ ଖର୍ଚ୍ଚ ଦ୍ୱିଗୁଣିତ ହେବା ଆଶଙ୍କା ବଢିଯାଇଛି । ବର୍ତ୍ତମାନ ପ୍ରସ୍ତାବିତ ଖୋର୍ଦ୍ଧାରୋଡ- ବଲାଙ୍ଗିର ରେଳପଥ ମଧ୍ୟରୁ….

– ଖୋର୍ଦ୍ଧା-ନୂଆଗାଁ ଯାଏଁ ମୋଟ ୯୧ କିଲୋମିଟର ରେଳପଥ କାମ ସରିଛି ଓ ରେଳ ଚଳାଚଳ କରୁଛି

-ନୂଆଗାଁ ଦଶପଲ୍ଲା ଯାଏଁ ୯୧ରୁ ୧୦୬ କିଲୋମିଟରର ନିର୍ମାଣ କାର୍ଯ୍ୟ ଜାରି ରହିଛି

-ପରିବେଶ ମଞ୍ଜୁରୀ ମିଳିନଥିବାରୁ ଦଶପଲ୍ଲାରୁ ବୁଗୁଡା  ୧୦୬ରୁ ୧୨୧ କିଲୋମିଟର କାମ ମନ୍ଥର ଗତିରେ ଚାଲିଛି

– ଷ୍ଟେଜ-୧ ପରିବେଶ ମଞ୍ଜୁରୀ ନ ମିଳିବାରୁ ବୁଗୁଡାରୁ-ବାଣୀଗୋଚ୍ଛା ଯାଏଁ  ପ୍ରାୟ ୨୨ କିଲୋମିଟର ରେଳପଥର କାମ ଆରମ୍ଭ ହୋଇପାରିବ ନାହିଁ ।  

-ରେଳପଥର ୧୧୨ରୁ ୧୮୦ କିଲୋମିଟର ଯାଏଁ ବି ପରିବେଶ ମଞ୍ଜୁରୀ ମିଳିପାରିନାହିଁ

-୧୮୦ରୁ ୨୭୫ କିଲୋମିଟ ରେଳପଥର କାମ ଚାଲିଛି

-୨୭୫ରୁ ୩୦୨ କିଲୋମିଟର ଭିତରେ ରେଳ ଚଳାଚଳ କରୁଛି 

ଓଡିଶାର ସରକାର ୧୧୨ରୁ ୩୦୧ କିଲୋମିଟର ଯାଏଁ  ମାଗଣା ଜମି ଯୋଗାଇବା ସହ  ସମୁଦାୟ ରେଳପଥ ନିର୍ମାଣର ୫୦ ପ୍ରତିଶତ ଅର୍ଥ ଦେଇସାରିଛନ୍ତି ।  କିନ୍ତୁ କେନ୍ଦ୍ର ସରକାରଙ୍କ ପରିବେଶ ମଞ୍ଜୁରୀ  ନମିଳିବାରୁ  ୧୧୨ରୁ ୧୮୦ କିଲୋମିଟର ରେଳପଥର କାମ ଆରମ୍ଭ ହୋଇପାରୁନାହିଁ ।