କନକ ବ୍ୟୁରୋ : ଆବୁଧାବି ଯାଇଥିବା ଖୋର୍ଦ୍ଧା ବାଲୁଗାଁ ଅଂଚଳର ଶ୍ରମିକ ନିଖୋଜ । ଏନେଇ ବାଲୁଗାଁ ଥାନା ଓ ସହ-ଶ୍ରମଅଧିକାରୀ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ ହୋଇଛି । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ବାଲୁଗାଁ ବେଲପଡ଼ା ଅଂଚଳର ରଞ୍ଜନ ସ୍ୱାଇଁ ଅଗଷ୍ଟ ୧୮ତାରିଖ ଦିନ ଆବୁଧାବିରୁ ଘରକୁ ଫେରୁଥିବା ବେଳେ ଦିଲ୍ଲୀରୁ ନିଖୋଜ ହୋଇଯାଇଛନ୍ତି । ଏହାରି ଭିତରେ ୧୮ଦିନ ବିତି ଯାଇଥିଲେ ମଧ୍ୟ ତାଙ୍କର କୌଣସି ଖୋଜଖବର ନାହିଁ । ରଞ୍ଜନ କାମ କରୁଥିବା କମ୍ପାନୀକୁ ପରିବାରଲୋକେ ଯୋଗଯୋଗ କରିଥିଲେ । କମ୍ପାନୀ ପକ୍ଷରୁ ରଞ୍ଜନ ସହ ଯାତ୍ରା କରିଥିବା ଅନ୍ୟ ଜଣେ ସହକର୍ମୀ ଫଇମ ଅହମଦଙ୍କ ଫୋନ୍ ନମ୍ବର ଯୋଗାଇ ଦିଆଯାଇଥିଲା । ତେବେ ରଞ୍ଜନଙ୍କ ବାପା ଫଇମଙ୍କ ସହ କଥା ହେବା ପରେ ପ୍ରଥମେ ମୁମ୍ବାଇ ଓ ସେଠାରୁ ଦିଲ୍ଲୀ ଆସିବା ପରେ ଦିଲ୍ଲୀରୁ ଫଇମ ତାଙ୍କ ଘରକୁ ଚାଲିଯାଇଥିବା କହିଥିଲେ । ଏବଂ ରଞ୍ଜନ ମଧ୍ୟ ଟାକ୍ସି ନେଇ ଷ୍ଟେସନକୁ ଯାଇଥିବା କହିଥିଲେ । କିନ୍ତୁ ଫଇମଙ୍କ କଥାବାର୍ତାକୁ ନେଇ ରଞ୍ଜନଙ୍କ ବାପାଙ୍କ ସନ୍ଦେହ ହେବାରୁ ରଞ୍ଜନଙ୍କ ବାପା ଅକ୍ଷୟ ସ୍ୱାଇଁ ବାଲୁଗାଁ ଥାନା ଓ ବାଲୁଗାଁ ସହ-ଶ୍ରମ ଅଧିକାରଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଗତ ୩ବର୍ଷ ହେଲା ରଞ୍ଜନ ଆବୁଧାବିରେ କାମ କରୁଥିବା ବେଳେ ଗତ ୧୮ତରିଖରେ ଆଉ ଜଣେ ସହଯୋଗୀଙ୍କ ସହ ଭାରତକୁ ଫେରିଥିଲେ । କିନ୍ତୁ ଘରକୁ ନଫେରି ସେହି ଦିନଠାରୁ ସେ ନିଖୋଜ ହୋଇଯାଇଛନ୍ତି । ଗ୍ଲୋବାଲ ଓଡ଼ିଆ ଭଲ୍ୟୁଣ୍ଟିୟର୍ସ ବା ଜିଓଭି ଟିମ୍ ମଧ୍ୟ ରଞ୍ଜନଙ୍କୁ ଖୋଜିବା ପାଇଁ ପ୍ରୟାସ ଆରମ୍ଭ କରିଛି । ଜିଓଭି ମୁଖ୍ୟ ସଂଜୟ ଦଲାଇ ବିଭିନ୍ନ ସରକାରୀ ଅଧିକାରୀଙ୍କ ସହ ଯୋଗାଯୋଗ କରି ରଞ୍ଜନଙ୍କ ସମ୍ପର୍କରେ ଆଲୋଚନା କରିଛନ୍ତି । ରଞ୍ଜନ କାମ କରୁଥିବା କମ୍ପାନୀ, ୟୁଏଇ ଇମିଗ୍ରେସନ ଅଧିକାରୀଙ୍କ ସହ ମଧ୍ୟ ଯୋଗାଯୋଗ କରିଛନ୍ତି ।