ଖଣ୍ଡଗିରି ମେଳା ପାଇଁ ‘ଗୁପ୍ତଗଙ୍ଗା’ରୁ ଆସୁଛି ପବିତ୍ର ଜଳ : ଦ୍ୱାପର ଯୁଗର ପୌରାଣିକ ବିଶ୍ୱାସ ସହ ଜଡିତ ଏହି ଗୁମ୍ଫାର ରହସ୍ୟ

60

କନକ ବ୍ୟୁରୋ : ସାଧୁ-ସନ୍ଥଙ୍କ ପୂଜାପାଠ ଓ ସାଧନା ଭିତରେ ଆରମ୍ଭ ହୋଇଛି ଭୁବନେଶ୍ୱରର ଖଣ୍ଡିଗରି ମେଳା । ଦେଶର କୋଣ ଅନୁକୋଣରୁ ସନ୍ୟାସୀ ଆସି ଜାରି ରଖିଛନ୍ତି ପୂଜାଚର୍ଚ୍ଚା । ଆଉ ଏହି ଅବସରରେ ଗୁପ୍ତ ରହସ୍ୟ ଖୋଜି ବାହାର କରିଥିଲା କନକ ନ୍ୟୁଜ୍ କ୍ୟାମେରା ଟିମ୍ ।

ଖଣ୍ଡିଗିରି ପାହାଡ଼ରେ ଥିବା ଏ ଗୁମ୍ଫା, ଯେଉଁ ଗୁମ୍ଫାର କାହାଣୀ ଦ୍ୱାପର ଯୁଗର ପୌରାଣିକ ବିଶ୍ୱାସ ସହ ଜଡ଼ିତ ଥିବାର ଅନୁମାନ କରାଯାଏ । ଯାହା ଭିତରେ ରହିଛି ପବିତ୍ର ଗୁପ୍ତଗଙ୍ଗା । ଆଉ ଏହି ଗୁପ୍ତଗଙ୍ଗାରୁ ପାଣି ଆସେ, ଖଣ୍ଡଗିରି ମେଳାର ପୂଜା ପାଇଁ । ବିଶ୍ୱାସ ରହିଛି-ଖଣ୍ଡଗିରି ଭ୍ରମଣରେ ଆସିଥିଲେ ଅର୍ଜୁନ, ଆଉ ଏହି ଗୁମ୍ଫା ଭିତରେ ବାଟ ବଣା ହୋଇଯାଇଥିଲେ । ଆଉ ଅର୍ଜୁନଙ୍କୁ ଉଦ୍ଧାର କରିଥିଲେ ଭଗବାନ ଶିବ । କୁହାଯାଏ ଏହି ଗୁପ୍ତରାସ୍ତା ସହ ରହିଛି ବର୍ତମାନର ଘାଟିକିଆର ସଂପର୍କ ।

କୁମ୍ଭମେଳା ନାଁ ଶୁଣିଦେଲା ମାତ୍ରେ ଆଖି ଆଗକୁ ଚାଲିଆସେ ସାଧୁ-ସନ୍ଥଙ୍କ ଚେହେରା । ହୋମ-ଯଜ୍ଞ, ପୂଜାପାଠ ଭିତରେ ଏକ ଆଧ୍ୟାତ୍ମିକ ପରିବେଶ । ତାହା ହିଁ ଦେଖିବାକୁ ମିଳୁଛି ଭୁବନେଶ୍ୱର ଖଣ୍ଡଗିରିର କୁମ୍ଭମେଳା । ଦେଶର କୋଣଅନୁକୋଣରୁ  ସାଧୁମାନେ ଆସି ଏଥିରେ ଯୋଗ ଦେଇଛନ୍ତି । ବନାରସର କୁମ୍ଭମେଳା ସହ ଆପଣ ପରିଚିତ ଥିବେ, କିନ୍ତୁ ଆମ ଭୁବନେଶ୍ୱରରେ ଥିବା କୁମ୍ଭମେଳାର ଏହି ମହାତ୍ମ୍ୟ ସଂପର୍କରେ ଅନେକ କାହାଣୀ ଏବେବି ଅକୁହା ରହି ରହିଛି । ଯାହାକୁ ଖୋଜି ବାହାର କରିବାକୁ ଉଦ୍ୟମ କରିଥିଲା କନକ ନ୍ୟୁଜ୍ ଟିମ୍ ।