ଶାଳପତ୍ରରେ ଖଲି, ଦନା, ପ୍ଲେଟ୍ ତିଆରି କରି ଉପକୃତ ହେଉଛନ୍ତି ଲୋକେ । ଇଲେକ୍ଟ୍ରିକ୍ ମେସିନ ସାହାଯ୍ୟରେ ଶାଳ ପତ୍ରକୁ ଶିଲେଇ କରି ପ୍ରସ୍ତୁତ କରୁଛନ୍ତି ସାମଗ୍ରୀ

151

କନକ ବ୍ୟୁରୋ: ଶାଳପତ୍ରରେ ଖଲି, ଦନା, ପ୍ଲେଟ୍ ତିଆରି କରି ଉପକୃତ ହେଉଛନ୍ତି ବାଲେଶ୍ୱର ବସ୍ତା ଅଞ୍ଚଳର ଲୋକେ । ଇଲେକ୍ଟ୍ରିକ୍ ମେସିନ ସାହାଯ୍ୟରେ ଶାଳ ପତ୍ରକୁ ଶିଲେଇ କରି ପ୍ରସ୍ତୁତ କରୁଛନ୍ତି ସାମଗ୍ରୀ । ପରିବାରର ପ୍ରାୟ ସମସ୍ତ ସଦସ୍ୟଙ୍କ ସହଯୋଗରେ ଶାଳପତ୍ରରେ ବିଭିନ୍ନ ପ୍ରକାରର ସାମଗ୍ରୀ ତିଆରି କରି ରୋଜଗାର କରୁଛନ୍ତି ଲୋକେ । ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ଲାଷ୍ଟିକ୍ ବ୍ୟାନ୍ କରାଯାଉଥିବା ବେଳେ ଶାଳପତ୍ର ଖଲି ପ୍ରତି ବଢୁଛି ଲୋକଙ୍କ ଚାହିଦା ।

ରୋଜଗାର ଦେଉଛି ଶାଳପତ୍ର । ବାଲେଶ୍ୱର ବସ୍ତା ବ୍ଲକ ବାଇଗଣଡିଆ ଗାଁର ପ୍ରାୟ ଅଧିକାଂଶ ଲୋକ ଶାଳ ପତ୍ରରୁ ଖଲି, ପ୍ଲେଟ୍, ଦନା ଓ ଥାଳି ପ୍ରସ୍ତୁତ କରି ରୋଜଗାରକ୍ଷମ ହୋଇପାରିଛନ୍ତି । ଏହି କାମରେ ଘର ପୁରୁଷ ମାନଙ୍କ ସହ ମହିଳା ମାନେ ମଧ୍ୟ ସହଯୋଗ କରୁଛନ୍ତି । ଇଲେକ୍ଟ୍ରିକ୍ ମେସିନ ସାହାଯ୍ୟରେ ଶାଳ ପତ୍ରକୁ ଶିଲେଇ କରି ଏଥିରୁ ଖଲି, ପ୍ଲେଟ୍, ଦନା ତିଆରି କରୁଛନ୍ତି ଉଭୟ ମହିଳା ଓ ପୁରୁଷ । ଘରର ପ୍ରାୟ ଅଧିକାଂଶ ସଦସ୍ୟ ଏହି କାମ କରୁଥିବାର ଦେଖିବାକୁ ମିଳିଛି । ମହିଳା ମାନେ ମେସିନ୍ ଦ୍ୱାରା ଦୈ÷ନିକ ୨ ହଜାରରୁ ଅଢେଇ ହଜାର ପତ୍ର ସିଲେଇ କରି ୪ ରୁ ୫ ଅଖା ଠୁଙ୍ଗା ପ୍ରସ୍ତୁତ କରୁଛନ୍ତି । ଫଳରେ ମାସକୁ ୬ ରୁ ୭ ହଜାର ଟଙ୍କା ରୋଜଗାର ହେଉଥିବା କହିଛନ୍ତି ଠୁଙ୍ଗା ପ୍ରସ୍ତୁତ କରୁଥିବା କାରିଗର । ବାରମ୍ବାର ବିଦ୍ୟୁତ କାଟ୍ ଯୋଗୁଁ ସେମାନଙ୍କ ରୋଜଗାରରେ ବାଧା ସୃଷ୍ଟି ହେଉଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା ।

ସ୍ଥାନୀୟ ଜଣେ ବ୍ୟବସାୟୀଙ୍କ ଠାରୁ ଶାଳ ପତ୍ର ଆଣି ଏହାକୁ ଶିଲେଇ କରି ସେଥିରୁ ଖଲି ପତ୍ର ଓ ଦନା ପ୍ରସ୍ତୁତ କରି ସେହି ବ୍ୟବସାୟୀଙ୍କୁ ଦେଇଥାଆନ୍ତି । ଏକ ହଜାର ପତ୍ର ଶିଲେଇ କଲେ ବ୍ୟବସାୟୀ ତାଙ୍କୁ ୧୦୦ରୁ ୧୨୦ ଟଙ୍କା ଦେଇଥାଆନ୍ତି । ଜଣେ ମହିଳା ଦୈନିକ ୨ ହଜାରରୁ ଅଢେଇ ହଜାର ପତ୍ର ସିଲେଇ କଲେ ତାଙ୍କୁ ମାସକୁ ୬ରୁ ୭ହଜାର ଟଙ୍କା ମିଳିଥାଏ । ଏହି ସବୁ ଠୁଙ୍ଗା ତିଆରି ପାଇଁ ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର, ମୋରଡ଼ା, ଚତ୍ରଡ଼ା ପ୍ରଭୁତି ସ୍ଥାନରୁ ପତ୍ର ଆଣିବାକୁ ପଡ଼ିଥାଏ । ଠୁଙ୍ଗା ତିଆରି ପରେ ସ୍ଥାନୀୟ ବ୍ୟବସାୟୀଙ୍କୁ ଦେଇ ନିଜର ପାରିଶ୍ରମିକ ପାଇଥାଆନ୍ତି । ଏଥିପାଇଁ କାରିଗର ମାନଙ୍କୁ ୨୦୦ରୁ ୨୫୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୩୫୦ରୁ ୪୦୦ଟଙ୍କାରେ ବ୍ୟବସାୟୀଙ୍କୁ ବିକ୍ରି କରନ୍ତି । ଏହି ବ୍ୟବସାୟକୁ ଆପଣାଇବା ଦ୍ୱାରା ନିଜର ପରିବାର ଖର୍ଚ୍ଚ ଉଠାଇବା ସହ ପିଲାଙ୍କ ଖର୍ଚ୍ଚ ତୁଲାଇବାରେ ସହାୟକ ହେଉଛି ବୋଲି ସେମାନେ କହିଛନ୍ତି ।

ପରିବେଶ ସୁରକ୍ଷା ପାଇଁ ପ୍ଲାଷ୍ଟିକ୍ ଜିନିଷ ବ୍ୟାନ କରାଯାଉଥିବା ବେଳେ ଶାଳ ପତ୍ରରେ ତିଆରି ଖଲି, ଦନା, ପ୍ଲେଟ୍ ବ୍ୟବହାର ପରିବେଶ ପାଇଁ ଖୁବ୍ ଉପଯୋଗୀ । ଏହି ସବୁ ଜିନିଷ ଗୁଡିକର ମଧ୍ୟ ବଜାରରେ ଅନେକ ଚାହିଦା ରହିଛି । ତେଣୁ ଶାଳପତ୍ରରୁ ତିଆରି କରୁଥିବା ଖଲି ତିଆରି କାରିଗର ମାନଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି ।