ପୁଣି ଜଣେ ବଲିଉଡ ଅଭିନେତାଙ୍କ ଆତ୍ମହତ୍ୟା : ମୁମ୍ବାଇ ସ୍ଥିତ ବାସଭବନରେ ଉଦ୍ଧାର ହେଲା ସନ୍ଦିପ ନାହାରଙ୍କ ମୃତଦେହ; ମୃତ୍ୟୁ ପୂର୍ବରୁ ଫେସବୁକରେ ପୋଷ୍ଟ କଲେ ଭିଡ଼ିଓ

କହିଲେ ନିଜ ମନର କଥା; ଏମ୍ଏସ୍ ଧୋନି ଓ କେଶରୀ ସିନେମାରେ କରିଥିଲେ ଅଭିନୟ

1,348

କନକ ବ୍ୟୁରୋ : ପୁଣି ଜଣେ ବଲିଉଡ ଅଭିନେତାଙ୍କ ଆତ୍ମହତ୍ୟା ସନ୍ଦେହ । ମୁମ୍ବାଇ ସ୍ଥିତ ବାସଭବନରୁ ଉଦ୍ଧାର ହୋଇଛି ସନ୍ଦିପ ନାହାରଙ୍କ ମୃତଦେହ । ଗତ କିଛି ଦିନ ହେଲା ମାନସିକ ଚାପରେ ରହୁଥିଲେ ସନ୍ଦୀପ । ଏନେଇ ସୋସିଆଲ ମିଡ଼ିଆରେ ନିଜ ମନର କଥା କହିଛନ୍ତି ସନ୍ଦୀପ । କିନ୍ତୁ ମୃତ୍ୟୁର କାରଣ ବର୍ତ୍ତମାନ ସୁଧା ସ୍ପଷ୍ଟ କରାଯାଇନାହିଁ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ତେବେ ମୃତ୍ୟୁ ପୂର୍ବରୁ ସନ୍ଦୀପ ଜାରି କରିଥିବା ଭିଡ଼ିଓ ସନ୍ଦେହକୁ ବଢ଼ାଇ ଦେଇଛି । ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ତାଙ୍କ ଜଣେ ସହଯୋଗୀ କଳାକାରଙ୍କ ମୃତ୍ୟୁ ଚର୍ଚ୍ଚାକୁ ବଢାଇ ଦେଇଛି । ସନ୍ଦୀପ ଲୋକପ୍ରିୟ ହିନ୍ଦୀ ସିନେମା ଏମଏସ ଧୋନୀରେ ପାର୍ଶ୍ୱ ଅଭିନେତା ଭାବେ କାମ କରିଥିଲେ । ଫିଲ୍ମରେ କ୍ରିଡ଼ା ସାମଗ୍ରୀ ବିକ୍ରି କରୁଥିବା ଦୋକାନୀ ଭାବେ ସିନେମାରେ ନଜର ଆସିଥିଲେ । ସେହିପରି କେଶରୀ ସିନେମାରେ ମଧ୍ୟ ଉଚ୍ଚ କୋଟିର ଅଭିନୟ କରିଥିଲେ ସନ୍ଦୀପ ।

ସେ ଫେସ୍‌ବୁକ୍‌ରେ ଏକ ଭିଡିଓ ସହ ସୁଇସାଇଟ୍‌ ନୋଟ୍‌ ସେୟାର କରିଛନ୍ତି । ଭିଡିଓରେ ସେ କହିଛନ୍ତି, କି ତାଙ୍କ ପତ୍ନୀ କାଞ୍ଚନ ଶର୍ମାଙ୍କ ସହ ତାଙ୍କର ଉତ୍ତମ ସଂପର୍କ ନଥିଲା । ଏହି କାରଣରୁ ସେ ସର୍ବଦା ଦୁଃଖୀ ରହୁଥିଲେ । ସନ୍ଦୀପ ମୁମ୍ବାଇସ୍ଥିତ ଓସିୱାରାରେ ଥିବା ତାଙ୍କ ବାସଭବନରେ ଆତ୍ମହତ୍ୟା କରିଥିବା ସୂଚନା ରହିଛି । ତାଙ୍କ ମୃତ୍ୟୁ ପରେ ମୁମ୍ବାଇ ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଫେସ୍‌ବୁକ୍‌ରେ ୧୦ ମିନିଟ୍‌ର ଏକ ଭିଡିଓ ସହ ତାଙ୍କ ପୋଷ୍ଟ୍‌ରେ ସୁଇସାଇଡ୍‌ ନୋଟ୍‌ ବୋଲି ଉଲ୍ଲେଖ କରିଛନ୍ତି । ସେ ସେଥିରେ ଲେଖିଛନ୍ତି, ‘ଏବେ ବଞ୍ଚିବାକୁ ଇଚ୍ଛା ହଉନି । ଜୀବନରେ ଅନେକ ସୁଖ, ଦୁଃଖ ଦେଖିଲିଣି । ସବୁ ଅସୁବିଧାକୁ ସାମ୍ନା କରିଛି । ମାତ୍ର ଆଜି ମୁଁ ଯେଉଁ ପରିସ୍ଥିତି ଦେଇ ଗତି କରୁଛି ତାହା ସହିବା ଶକ୍ତିର ବାହାରେ। ମୁଁ ଜାଣିଛି ଆତ୍ମହତ୍ୟା କରିବା ଭୀରୁତା ଅଟେ । ମୋତେ ବି ବଞ୍ଚିବାର ଥିଲା । ମାତ୍ର ଏମିତି ବଞ୍ଚି କ’ଣ ଲାଭ ? ଯେଉଁଠି ଶାନ୍ତି କି ଆତ୍ମସମ୍ମାନ ନାହିଁ । ମୋ ପତ୍ନୀ କାଞ୍ଚନ ଶର୍ମା ଓ ତାଙ୍କ ମାଆ ବିନୁ ଶର୍ମା, ଯିଏକି ମୋତେ ବୁଝିଲେ ନା ବୁଝିବାକୁ ଚେଷ୍ଟା କଲେ । ମୋ ପତ୍ନୀ ଖୁବ୍ ରାଗୀ ଓ ତାଙ୍କ ବ୍ୟକ୍ତିତ୍ବ ମୋଠାରୁ ଅଲଗା । ପ୍ରତିଦିନ କଳି, ସକାଳ-ସଂଧ୍ୟା ସବୁବେଳେ କଳି । ଯାହାକି ମୋର ସହିବା ବାହାରେ । ଏଥିରେ କାଞ୍ଚନର କିଛି ଦୋଷ ନାହିଁ । ତାଙ୍କ ପ୍ରକୃତି ଏମିତି, ତ ତାଙ୍କୁ ସବୁକିଛି ସାଧାରଣ ଲାଗୁଛି । ମୋତେ କିନ୍ତୁ ସାଧାରଣ ଲାଗୁନି । ମୁମ୍ବାଇରେ ‌ଅନେକ ବର୍ଷ ହେବ ଅଛି । ବହୁ ଅସୁବିଧା ଦେଖିଛି । ମାତ୍ର କେବେ ଭାଙ୍ଗି ଯାଇନଥିଲି ।’