କନକ ବ୍ୟୁରୋ : ଘରେ ଧନ-ସମ୍ପତି ବୃଦ୍ଧି ପାଇଁ ଟପିଗଲେ ସବୁ ସୀମା । ଦେଲେ ଦୁଇ ମହିଳାଙ୍କ ନରବଳି । କେରଳର ପଥନମଥିତ ଜିଲ୍ଲାର ତିରୁଭଲ୍ଲାରୁ ଆସିଛି ଏମିତି ଏକ ଛାତିଥରା ଘଟଣା । ଏଭଳି ଏକ ଚରମ ହତ୍ୟାକାଣ୍ଡ ଭିଆଇଛନ୍ତି ଏକ ଦମ୍ପତି । ହତ୍ୟା ପଛର ମାଷ୍ଟର ମାଇଣ୍ଡ ହେଉଛି ରଶିଦ୍ ଓରଫ ମହମ୍ମଦ ଶଫି । ଶଫି ଜଣେ ସଇତାନ ତାନ୍ତ୍ରିକ । ଆର୍ଥିକ ସଂକଟ ଦେଇ ଗତି କରୁଥିବା ଦମ୍ପତି ଭଗୱଲ ସିଂ ଓ ତା’ ପତ୍ନୀ ଲୈଲାଙ୍କ ସଂସ୍ପର୍ଶରେ ଶଫି । ଘରେ କିପରି ଧନ ବଢ଼ିବ, ତାକୁ ନେଇ ଚିନ୍ତିତ ଥିଲେ ଦମ୍ପତି । ଏହି ସମୟରେ ଶଫିର ସଂସ୍ପର୍ଶରେ ଆସିଥିଲେ ଦମ୍ପତି । ଶଫି ତା’ର ଫେକ ଫେସବୁକ୍ ଆକାଉଂଟରେ ଭଗୱଲ ଓ ଲୈଲା ସହ ଯୋଗାଯୋଗ କରିଥିଲା । ଏହି ଦମ୍ପତି ‘ନରବଳି’ରେ ଖୁବ୍ ବିଶ୍ୱାସ ରଖନ୍ତି । ଶଫିର କଥାରେ ପଡ଼ି ଦମ୍ପତି ଦୁଇ ମହିଳାଙ୍କୁ ନରବଳି ଦେବାକୁ ନିଷ୍ପତି ନେଲେ ।

Advertisment

ପାପ ଧୋଇବା ପାଇଁ ଛିଂଚିଥିଲେ ରକ୍ତ
ଖଣ୍ଡ ଖଣ୍ଡ କରି କାଟିଥିଲେ ମୃତଦେହ
ଯୌବନ ପାଇଁ ଖାଉଥିଲେ ମଣିଷ ମାଂସ

ନରବଳିର ଶିକାର ହୋଇଥିବା ଦୁଇ ମହିଳା ହେଉଛନ୍ତି ପଦ୍ମା ଓ ରୋଜଲି । ଦୁହେଁ ପେସାରେ ଲଟେରୀ ଟିକେଟ୍ ବିକ୍ରେତା । ଦୁଇ ମୃତ ମହିଳାଙ୍କ ବୟସ ପାଖାପାଖି ୫୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ, ଜଣେ ମହିଳା ଚଳିତ ବର୍ଷ ଜୁନ୍ ମାସରେ ନିଖୋଜ ଥିବା ବେଳେ ଅନ୍ୟଜଣେ ମହିଳା ଚଳିତ ବର୍ଷ ସେପ୍ଟେମ୍ବରରୁ ନିଖୋଜ ଥିଲେ । ଦମ୍ପତି ଦୁଇ ମହିଳାଙ୍କୁ ଅପହରଣ କରି ଘରେ ଥିବା ଖଟରେ ବାନ୍ଧି ପକାଇଥିଲେ । ପ୍ରଥମେ ସେମାନେ ମହିଳାଙ୍କ ମୁଣ୍ଡକୁ ପ୍ରହାର କରିଥିଲେ । ଆଉ ପରେ ଗଳା କାଟି ଦେଇଥିଲେ । ହତ୍ୟା କରିବା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ତିନୋଟି ଅଲଗା ଅଲଗା ସ୍ଥାନରେ ପୋତି ଦେଇଥିଲେ । ତଦନ୍ତ ପରେ ପୋଲିସ୍ ଖଣ୍ଡବିଖଣ୍ଡିତ ମୃତଦେହକୁ ଉଦ୍ଧାର କରିଥିଲା ଏବଂ ଏହାକୁ ନରବଳିର ଆଖ୍ୟା ଦେଇଥିଲା । ବଡ଼ କଥା ହେଉଛି, ଦମ୍ପତି ନିଜକୁ ଯୌବନ ରଖିବା ପାଇଁ ମଣିଷ ମାଂସ ଖାଉଥିଲେ ବୋଲି ଜଣାପଡ଼ିଛି । ସେପଟେ ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇଛି । କାରଣ ମୁଖ୍ୟ ଅଭିଯୁକ୍ତର ଲିଙ୍କ୍ କୁଆଡ଼େ ଶାସକ ଦଳ ଥିବା ଅଭିଯୋଗ ଆସିଛି ।

ନରବଳି ଦେବା ଅଭିଯୋଗରେ କେରଳ ପୋଲିସ୍ ତିନି ଜଣଙ୍କୁ ଗିରଫ କରି ୧୪ ଦିନିଆ ରିମାଣ୍ଡରେ ନେଇଛି । ସେପଟେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କେରଳ ମୁଖ୍ୟମନ୍ତ୍ରୀ କହିଛନ୍ତି ।