କେରଳରେ କରୋନାର କରାଳ ରୂପ । ଗତ ୨୪ ଘଂଟାରେ ୩୧ ହଜାର ଉପରେ ସଂକ୍ରମିତ, ପଜିଟିଭ ହାର ୧୯ ପ୍ରତିଶତ

155

କନକ ବ୍ୟୁରୋ : ଦେଶର ଅନ୍ୟ ରାଜ୍ୟମାନଙ୍କରେ କରୋନାର ଦ୍ୱିତୀୟ ଲହର କମିବାରେ ଲାଗିଥିବା ବେଳେ କେରଳରେ କରୋନା ଏବେ ତାର କରାଳ ରୂପ ଦେଖାଇଛି । ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩୧ ହଜାର ଉପରେ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୧୫ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ଗତ ୨୪ ଘଂଟାରେ କେରଳରେ ୨୦,୨୭୧ ଜଣ କରୋନା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି । ସବୁଠାରୁ ଭୟଙ୍କର କଥା ଏବେ ରାଜ୍ୟରେ ଟେଷ୍ଟ ପଜିଟିଭ ହାର ୧୯.୦୩ ପ୍ରତିଶତକୁ ବୃଦ୍ଧି ପାଇଛି ।

ଏହା ପୂର୍ବ ରିପୋର୍ଟ ମୁତାବକ ରାଜ୍ୟରେ ୨୪,୨୯୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଯାହାକି ପୂର୍ବ ୨-୩ ମାସ ମଧ୍ୟରେ କେବେ ଦେଖାଯାଇ ନଥିଲା । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟର ରିପୋର୍ଟ ମୁତାବକ ଏବେ ଦେଶରେ ସବୁଠାରୁ ଅଧିକ ସଂକ୍ରମିତ କେରଳରୁ ଚିହ୍ନଟ ହେଉଛନ୍ତି । ଏନେଇ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଗର୍ଗ କହିଛନ୍ତି କି ଏକଥାକୁ ବି ଧ୍ୟାନ ଦେବାକୁ ହେବ ଯେ ଯେଉଁମାନେ ଘରେ ପୃଥକବାସରେ ରହୁଛନ୍ତି ସେମାନେ କରୋନା କଟକଣା ଠିକରେ ପାଳନ କରୁଛନ୍ତି କି ନାହିଁ ।

ଗୋଟିଏ ଦିନ ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଗର୍ଗ କହିଥିଲେ କି କରୋନାର ତୃତୀୟ ଲହରକୁ ନଜରରେ ରଖି ଜିଲ୍ଲା ସ୍ତର ମେଡିକାଲରେ ଅକ୍ସିଜେନ ବେଡ, ଆଇସିୟୁ ଏବଂ ଭେଣ୍ଟିଲେଟରର ବ୍ୟାପକ ବ୍ୟବସ୍ଥା କରାଯାଇ ତୃତୀୟ ଲହରକୁ କିଭଳି ମୁକାବିଲା କରାଯିବ ସେ ନେଇ ପ୍ରସ୍ତୁତ ଆରମ୍ଭ ହୋଇଛି । କହିରଖୁ କି କରୋନା ମହାମାରୀର ପ୍ରଥମ ଲହର ବେଳେ କେରଳ ଯେଭଳି ଭାବେ ଏହାକୁ ମୁକାବିଲା କରିଥିଲା ତାହାକୁ ଦେଶ ସହ ବିଦେଶରୁ ମଧ୍ୟ ପ୍ରଶଂସା ମିଳିଥିଲା ।