କନକ ବ୍ୟୁରୋ : କେରଳ ନରବଳି ଘଟଣାର ଭୟଙ୍କର ଖୁଲାସା ହୋଇଛି । ଅଭିଯୁକ୍ତ ଦମ୍ପତି ବର୍ବରତାର ସବୁ ସୀମା ଟପି ଦୁଇ ମହିଳାଙ୍କୁ ବଳି ଦେଇଥିଲେ । ଏହା ପରେ ସେମାନେ ଗୋଟିଏ ମୃତଦେହକୁ ୫୬ ଖଣ୍ଡ କରିଥିଲେ । ଆଉ ସବୁଠୁ ବଡ଼ କଥା ହେଉଛି ଏଥିରୁ କିଛି ମାଂସ ଖଣ୍ଡକୁ ରୋଷେଇ କରି ଖାଇଥିଲେ । ଯୌବନ ଫେରିପାଇବା ପାଇଁ ଏଭଳି କାଣ୍ଡ ଭିଆଇଥିବା ଜେରା ବେଳେ ସ୍ୱୀକାର କରିଛନ୍ତି । ମୁଖ୍ୟ ଅଭିଯୁକ୍ତ ମହମ୍ମଦ ସାଫି ପୀଡିତାଙ୍କୁ ନିର୍ଯାତନା ଦେଇ ଖୁସି ହେଉଥିଲା । ସାଫି ଜଣେ ଦୁର୍ଦ୍ଦାନ୍ତ ଅପରାଧୀ । ସେ ପୂର୍ବରୁ ମଧ୍ୟ ଏକ ଦୁଷ୍କର୍ମ ମାମଲାରେ ସାମିଲ ଥିଲା ।

Advertisment

ମୃତ ୨ ମହିଳା ହେଉଛନ୍ତି ପି. ପଦ୍ମା ଓ ରୋସଲି । ଏମାନେ ଲଟେରୀ ଟିକେଟ ବିକ୍ରି କରି ଗୁଜରାଣ ମେଣ୍ଟାଉଥିଲେ । ଅଭିଯୁକ୍ତ ପ୍ରଥମେ ମହିଳାଙ୍କୁ ଅପହରଣ କରିଥିଲେ ଏବଂ ପରେ ତଣ୍ଟି କାଟି ବଳି ଚଢାଇଥିଲେ । ଏହା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟି ନିଜ ଘରେ ପୋତି ଦେଇଥିଲେ । ଏହି ଘଟଣାକୁ ନେଇ ଏବେ ସାରା ଦେଶରେ ଆଲୋଡନ ସୃଷ୍ଟି ହୋଇଛି । ଘଟଣାରେ ପୋଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି । କୋର୍ଟ ଏମାନଙ୍କୁ ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ।

publive-image

ସୂଚନାନୁସାରେ, ୫୨ ବର୍ଷୀୟ ସାଫି ଉକ୍ତ ଅଞ୍ଚଳକୁ ମାତ୍ର ୮ ମାସ ତଳେ ଆସିଥିଲା । ତା’ର ଭିତରର ସ୍ବରୂପ ବିଷୟରେ ସେମାନେ ଏଯାଏ ଜାଣି ନ ଥିଲେ। ପୁଲିସର କହିବା ଅନୁସାରେ ସାଫି ୨୦୨୦ରେ ଜଣେ ଟ୍ରକ୍ ଡ୍ରାଇଭର ଭାବେ କାମ କରୁଥିବା ବେଳେ ଜଣେ ୭୫ ବର୍ଷୀୟା ବୃଦ୍ଧାଙ୍କୁ ନୃଶଂସ ଭାବେ ଆକ୍ରମଣ କରିବା ସହ ଦୁଷ୍କର୍ମ କରିଥିଲା । ସେ ଗିରଫ ହୋଇ ଜେଲରେ ଥିଲା । କିନ୍ତୁ ବର୍ଷକ ଆଗରୁ ସେ ଜେଲରୁ ଆସିଥିଲା ।

ସେ ପେରୁମ୍ବାବୁରର ବାସିନ୍ଦା ବୋଲି ରିପୋର୍ଟ ଥିଲେ ମଧ୍ୟ ତାହାକୁ ସୁନିଶ୍ଚିତ କରାଯାଇ ପାରିନାହିଁ । ସେ ପେରୁମ୍ବାବୁରରେ ରହୁଥିଲା ଓ ପରେ ଚେମ୍ବାରାକ୍କି, ଆଲୁବାକୁ ପଳାଇଥିଲା । ଜେଲରୁ ବାହାରିବା ପରେ ସେ ବର୍ତ୍ତମାନର ଗାନ୍ଧୀନଗରରେ ଘର ଭଡ଼ା ନେଇ ସ୍ତ୍ରୀ ଓ ଦୁଇ ଝିଅଙ୍କ ସହ ରହୁଥିଲା । ତା’ର ଗୋଟିଏ ଝିଅ ବିବାହିତା ଏବଂ ତାଙ୍କ ପରିବାର ପଡ଼ୋଶୀଙ୍କ ସହ କିଛି ସମ୍ପର୍କ ରଖୁ ନ ଥିଲେ ।

ସାଫି ଦୁଇ ଜଣ ମହିଳାଙ୍କୁ ଫେସବୁକ୍‌ରେ ନକଲି ଆଇଡି ଦ୍ବାରା ଫସାଇଥିଲା । ସେମାନଙ୍କ ସହ ସଂପର୍କ ସ୍ଥାପନ ପରେ ପ୍ରଚୁର ଅର୍ଥ ଲୋଭ ଦେଖାଇ ଭଗବଲ ସିଂହ ଓ ଲୈଲାଙ୍କ ଘରକୁ ନେଇଥିଲା ଏବଂ କଳା ଯାଦୁ ନାଁରେ ସେମାନଙ୍କୁ ବଳି ଦେଇଥିଲା । ପୁଲିସର କହିବା ଅନୁସାରେ ସେ ପ୍ରଥମେ ରୋସଲିଙ୍କୁ ଗତ ଜୁନ ମାସରେ ଦମ୍ପତିଙ୍କ ଘରକୁ ନେଇ ବଳି ଦେଇଥିଲା । କିନ୍ତୁ ବଳି ଦେବା ପରେ ବି ଦମ୍ପତିଙ୍କର କିଛି ଉନ୍ନତି ନ ହେବା ସେମାନେ ତଥାକଥିତ ତାନ୍ତ୍ରିକ ସାଫି ଆଗରେ ଅଭିଯୋଗ କଲେ ।

ଏହାପରେ ସାଫି ପି. ପଦ୍ମା ନାମ୍ନୀ ମହିଳାଙ୍କୁ ଆଡଲ୍‌ଟ ଫିଲ୍ମରେ ଅଭିନୟର ସୁଯୋଗ ଦେବା ଏବଂ ମାସିକ ୧୦ ଲକ୍ଷ ଟଙ୍କା ବେତନର ଲୋଭ ଦେଖାଇ ଉକ୍ତ ଦମ୍ପତିଙ୍କ ଘରକୁ ନେଇ ବଳି ଦେଇଥିଲା । ଏହି ମହିଳାଙ୍କୁ ଫସେଇବାରେ ତାଙ୍କର ଜଣେ ପଡ଼ୋଶିନୀ ସାଫିକୁ ସାହାଯ୍ୟ କରିଥିଲେ । ପୁଲିସ ମୁଖ୍ୟ ଅଭିଯୁକ୍ତ ସାଫି ଏବଂ ଯାହାଙ୍କ ଘରେ ବଳି ଦିଆଯାଇଥିଲା ସେହି ଦମ୍ପତିଙ୍କୁ ଗିରଫ କରିଛି ।