କେରଳ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ରାସ୍ତା ଖରାପ ପାଇଁ ଦୁର୍ଘଟଣା ହେଲେ ଜିଲ୍ଲାପାଳ ଦାୟୀ

871

କନକ ବ୍ୟୁରୋ : ଦେଶରେ ଦିନକୁ ଦିନ ସଡକ ଦୁର୍ଘଟଣା ବଢିବାରେ ଲାଗିଛି । ଏଭଳି ଦୁର୍ଘଟଣାରେ ଦୈନିକ ହଜାର ହଜାର ଲୋକଙ୍କର ମୃତ୍ୟୁ ହେଉଥିବା ବେଳେ ଅନେକ ସଂଖ୍ୟାର ଲୋକ ଆହତ ହେଉଛନ୍ତି । ଯଦି ଆମେ ସଡକ ଦୁର୍ଘଟଣା କଥା କହିବା ଏଥିପାଇଁ ମୁଖ୍ୟତଃ ଦୁଇଟି କାରଣ ଦାୟୀ । ପ୍ରଥମ ଟି ବେପରୁଆ ଗାଡି ଚାଳନା ଓ ଦ୍ୱିତୀୟଟି ଖରାପ ରାସ୍ତା ।

ଏନେଇ ଏକ ମାମଲାର ଶୁଣାଣି କରିବା ବେଳେ କେରଳ ହାଇକୋର୍ଟ କହିଛନ୍ତି କି ଯଦି ରାସ୍ତା ଖରାପ ଓ ରାସ୍ତାମାନଙ୍କରେ ଗାଢ ପାଇଁ ଦୁର୍ଘଟଣା ଘଟେ ତେବେ ସଂପୃକ୍ତ ଦୁର୍ଘଟଣା ପାଇଁ ସେହି ଜିଲ୍ଲାର ଜିଲ୍ଲାପାଳ ଦାୟୀ ରହିବେ । ଏନେଇ କୋର୍ଟ ଏକ ଆଦେଶରେ କହିଛନ୍ତି କି ଏଭଳି ଦୁର୍ଘଟଣା ଓ ରାସ୍ତାର ସ୍ଥିତି ପାଇଁ ଜିଲ୍ଲାପାଳ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଅଧ୍ୟକ୍ଷଙ୍କୁ ସମସ୍ତ ରାସ୍ତା ଗସ୍ତ କରିବାକୁ ନିର୍ଦ୍ଦେଶ ଦେବା ଉଚିତ ।

ଜଷ୍ଟିସ ଦେବନ ରାମଚନ୍ଦ୍ରନ ଏକ ମାମଲାର ଶୁଣାଣି କ୍ରମରେ ଏଭଳି ଦୁର୍ଘଟଣାକୁ ରୋକିବାକୁ ଭାରତ ସରକାର ଓ ସଡକ ପରିବହନ ରାଜମାର୍ଗ ମନ୍ତ୍ରଣାଳୟର ବିଶେଷ ଭୂମିକା ରହିବା କଥା କହିଛନ୍ତି  । ଯଦି ରାଷ୍ଟ୍ରୀୟ ରାଜମାର୍ଗରେ କେହି ଦୁର୍ଘଟଣାରେ ଆହତ ହେଉଛି ବା ମୃତ୍ୟୁବରଣ କରୁଛି ଏହାକୁ ଅତ୍ୟାଚାର ଶ୍ରେଣୀର ଅପରାଧ ଭାବେ ଗ୍ରହଣ କରାଯିବା ଉଚିତ ବୋଲି ସେ କହିଛନ୍ତି ।
ସେପଟେ ଜଷ୍ଟିସ ଦେବନ ରାମଚନ୍ଦ୍ରନ କହିଛନ୍ତି ଭ୍ରଷ୍ଟାଚାର ପାଇଁ ଦେଶର ରାସ୍ତାର ମାନ ଖରାପ ହେଉଛି । ଜଣେ ଭ୍ରଷ୍ଟଙ୍କ ବା ଦୁର୍ନୀତିଖୋରଙ୍କ ପାଇଁ ଜଣେ ନିରୀହ ବ୍ୟକ୍ତିର ମୃତ୍ୟୁ ହେବାକୁ ସାମ୍ବିଧାନିକ ଅତ୍ୟାଚାର ଭାବେ ଗ୍ରହଣ କରାଯିବା ଉଚିତ ବୋଲି ଜଷ୍ଟିସ କହିଛନ୍ତି ।