ଗୁହାରି ଶୁଣିଲାନି ପ୍ରଶାସନ ! ନିଜ ଶ୍ରମରେ ରାସ୍ତା ନିର୍ମାଣ କଲେ ଗ୍ରାମବାସୀ, ଦେଲେ ନିର୍ବାଚନ ବର୍ଜନ ଚେତାବନୀ । କହିଲେ, ନେତାଙ୍କୁ ମଡେଇ ଦେବୁନି ଗାଁ ।

69

କନକ ବ୍ୟୁରୋ : ଗ୍ରାମକୁ ହୋଇପାରିଲା ନାହିଁ ରାସ୍ତା । ଯାଇପାରୁନାହିଁ ଗାଡିମୋଟର । ଏପରିକି ଆମ୍ବୁଲାନ୍ସ ସେବା ମଧ୍ୟ ଅପହଂଚ । ବର୍ଷ ବର୍ଷ ଧରି ରାସ୍ତା ନିର୍ମାଣ ପାଇଁ ଦାବୀ କରି ବିଫଳ ହେବା ପରେ ନିଜେ ଚାନ୍ଦା କରି ଏବଂ ସମୁହ ଶ୍ରମଦାନ କରି ନିର୍ମାଣ କଲେ ରାସ୍ତା । ଖାଲି ସେତିକି ନୁହଁ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ ସହ ଗାଁକୁ ନେତାଙ୍କୁ ପୁରାଇ ଦିଆଯିବନାହିଁ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

ମହିଳା ପୁରୁଷ ସମସ୍ତେ ଲାଗିଥିଲେ କାମରେ । କିଏ ଝୁଡିର ମାଟି ବୋହୁଥିଲା ତ କିଏ କୋଦାଳରେ ମାଟି ସମତୁଲ କରୁଥିଲା । ଏ ଦୃଶ୍ୟ ହେଉଛି କେନ୍ଦୁଝର ସଦର ବ୍ଲକ ନରଣପୁର ପଂଚାୟତ ଫୁଲବାଡି ସାହି ରାସ୍ତାର । ଜିଲ୍ଲା ମୁଖ୍ୟାଳୟଠାରୁ ମାତ୍ର ୬ କିଲୋମିଟର ଦୂରରେ ଥିବା ଏହି ଗାଁରେ ୧୦୦ରୁ ଅଧିକ ଆଦିବାସୀ ମୁଣ୍ଡା ପରିବାର ବସବାସ କରନ୍ତି । ହେଲେ ଏହି ଗାଁକୁ ଭଲ ରାସ୍ତାଟିଏ ନଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଗୁହାରୀ ଶୁଣିଲାନି ପ୍ରଶାସନ । ନିଜ ଶ୍ରମରେ ରାସ୍ତା କଲେ ଗ୍ରାମବାସୀ । ଗାଁକୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତା ଖରାପ ହୋଇଯିବା ପରେ ଗାଁରେ ବାଇକ୍ ଚଳାଇବା କଷ୍ଟକର ହୋଇପଡିଛି । ଏମିତି କି ଆମ୍ବୁଲାନ୍ସ ମଧ୍ୟ ଯାଇପାରୁନାହିଁ । ରାସ୍ତା ମରାମତି ନେଇ ପ୍ରଶାସନ ଠାରୁ ଆରମ୍ଭ କରି ନେତାମନ୍ତ୍ରୀ ସମସ୍ତଙ୍କୁ ଜଣାଇ ନିରାସ ହେବା ପରେ ଗ୍ରାମବାସୀ ଘରପିଛା ୫୦୦ଟଙ୍କା ଲେଖାଏଁ ଚାନ୍ଦା କରି ରାସ୍ତା ମରାମତି କରିଛନ୍ତି ।

ଚେତାବନୀ ପରେ ଚେତିଲା ପ୍ରଶାସନ । ସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ନିର୍ଦ୍ଦେଶ । ଘଟଣା ସମ୍ପର୍କରେ ଅବଗତ ହେବା ପରେ ଗ୍ରାମବାସୀଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି କେନ୍ଦୁଝର ଉପଜିଲ୍ଲାପାଳ । ଏହା ସହ ରାସ୍ତାକୁ ସ୍ଥାୟୀ ନିର୍ମାଣ କରିବାକୁ ସଦର ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିବା ସେ କହିଛନ୍ତି । ତେବେ ନିଜ ଗାଁକୁ ନିଜେ ରାସ୍ତା କରିବା ପରେ ନିର୍ବାଚନ ସମୟରେ ଗାଁକୁ ନେତାଙ୍କୁ ପୁରାଇ ଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।