କରୋନା ସମୟରେ ଖଣିରୁ କମ୍ ଉତ୍ତୋଳନ କରିଛନ୍ତି ଲିଜଧାରୀ । କୋଟି କୋଟି ଟଙ୍କା ରାଜସ୍ୱ ହରାଇଛନ୍ତି ରାଜ୍ୟ ସରକାର, କ୍ଷତିପୂରଣ ପାଇଁ ଜରିମାନା ଦେବେ ଖଣି ମାଲିକ ।

202

କନକ ବ୍ୟୁରୋ  : କରୋନା ବେଳେ କାହିଁକି ଖଣିଜ ଉତ୍ପାଦନ କମିଗଲା? ଯାହାର ସିଧାସଳଖ ପ୍ରଭାବ ପଡିଲା ରାଜ୍ୟ ରାଜକୋଷ ଉପରେ । କିଛି ଏଭଳି ଆଭିମୁଖ୍ୟ ଦେଖାଇ ଖଣି ମାଲିକଙ୍କୁ ଡିମାଣ୍ଡ ନୋଟିସ ପଠାଇଛନ୍ତି ରାଜ୍ୟ ସରକାର । ଫଳରେ କମ୍ ଖଣି ଉତ୍ତୋଳନ ପାଇଁ ଖଣି କମ୍ପାନୀଙ୍କୁ ଦେବାକୁ ପଡିବ କୋଟି କୋଟି ଟଙ୍କାର ଜରିମାନା । ୨୦୨୦ ଜୁଲାଇରୁ ୨୦୨୧ ଜୁଲାଇ ମାସ ମଧ୍ୟରେ ବୁଝାମଣା ତୁଳନାରେ କମ୍ ଲୁହାପଥର ଉତ୍ତୋଳନ କରିଥିବା କମ୍ପାନିଙ୍କୁ ଡିମାଣ୍ଡ ନୋଟିସ୍ ପଠାଇଛି କେନ୍ଦୁଝର ଜିଲ୍ଲା ଖଣି ବିଭାଗ ।

କରୋନା ସମୟରେ ଗତବର୍ଷ ଜୁଲାଇ ମାସରୁ ଏ ବର୍ଷ ଜୁଲାଇ ମାସ ପର୍ଯ୍ୟନ୍ତ ବୁଝାମଣା ମୁତାବକ ଖଣିଜ ପଦାର୍ଥ ଉତ୍ତୋଳନ କରି ପାରିନଥିବା ଖଣି କମ୍ପାନୀଙ୍କୁ ଶହ ଶହ କୋଟି ଟଙ୍କାର ଫାଇନ୍ କରିଛନ୍ତି ରାଜ୍ୟ ସରକାର ।  କେନ୍ଦୁଝର ଜିଲ୍ଲା ଖଣି ବିଭାଗର ଯୁଗ୍ମ ନିର୍ଦେଶକ, ସିରାଜୁଦ୍ଦିନ୍ ଆଣ୍ଡ କୋ-ର ବଳଦା ଆଇରନ୍ ବ୍ଲକକୁ ଅଗଷ୍ଟ ୧୩ ତାରିଖରେ ଏହି ଚିଠି କରିଛନ୍ତି । ଏଥିରେ ଯୁଗ୍ମ ନିର୍ଦ୍ଦେଶକ କହିଛନ୍ତି, ବଳଦା ଆଇରନ୍ ବ୍ଲକରୁ ୮୫ ଲକ୍ଷ ୫ହଜାର ୬ ଶହ ମେଟ୍ରିକ୍ ଟନ୍ ଲୁହା ପଥର ଉତ୍ତୋଳନ କରିବା କଥା । କିନ୍ତୁ ଉତ୍ତୋଳନ ହୋଇଛି ୧୩ ଲକ୍ଷ ୯୧ ହଜାର ମେଟ୍ରିକ ଟନ୍ ଲୁହା ପଥର । ଏଥିପାଇଁ ୬୦୨୮ କୋଟି ୮୨ ଲକ୍ଷ ଟଙ୍କାର ଡିମାଣ୍ଡ ନୋଟିସ୍ ଦିଆଯାଇଛି ।

କେନ୍ଦୁଝର ଯୋଡା ଅଂଚଳରେ ଥିବା ଆର୍ସେଲର ମିତଲ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ର ଠାକୁରାଣୀ ଆଇରନ୍ ବ୍ଲକରୁ ଏହି ଚିଠି କରିଛନ୍ତି କେନ୍ଦୁଝର ଯୋଡାର ଖଣି ଯୁଗ୍ମ ନିର୍ଦ୍ଦେଶକ । ଏଠାରେ ମଧ୍ୟ ଆବଶ୍ୟକ ପରିମାଣର ଲୁହାପଥର ଉତ୍ତୋଳନ କରାଯାଇନଥିବାରୁ ୧୪୪ କୋଟି ୮୭ ଲକ୍ଷ ଟଙ୍କାର ଡିମାଣ୍ଡ ନୋଟିସ ଦିଆଯାଇଛି । କେନ୍ଦୁଝରର ବାମେବାରୀରେ ଥିବା ଜଗଦଜନନୀ ସର୍ଭିସେସ୍ ଲିମିଟେଡ୍ର ଏହି ଜୁରୁଡି ଆଇରନ୍ ବ୍ଲକକୁ ମଧ୍ୟ ଫାଇନ୍ କରାଯାଇଛି । ଏହି କମ୍ପାନୀ ମଧ୍ୟ ଆବଶ୍ୟକ ପରିମାଣ ଲୁହାପଥର ଉତ୍ତୋଳନ କରି ନାହିଁ । ସେଥିପାଇଁ କମ୍ପାନୀକୁ ୨୮୭ କୋଟି ୨୩ ଲକ୍ଷ ଟଙ୍କାର ଡିମାଣ୍ଡ ନୋଟିସ୍ ଅର୍ଥାତ୍ ଏତିକି ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

କେନ୍ଦୁଝରର ବଡବିଲ୍ ଅଞ୍ଚଳରେ ଥିବା ନାରଭେରାମ ପାୱାର ଆଣ୍ଡ ଷ୍ଟିଲ୍ ପ୍ରାଇଭେଟ୍ ଲିମିଟେଡର ରୋଇଡା-୨ ଆଇରନ୍ ବ୍ଲକକୁ ଏହି ଚିଠି କରି ଖଣି ବିଭାଗ କହିଛି, ସେମାନେ ଅତି କମ୍ ପରିମାଣର ଲୁହାପଥର ଉତ୍ତୋଳନ କରିଛନ୍ତି । ତେଣୁ ତାଙ୍କୁ ୧୪୮୩ କୋଟି ୭୪ ଲକ୍ଷ ଟଙ୍କାର ଡିମାଣ୍ଡ ନୋଟିସ କରାଯାଇଛି । କରୋନା ସମୟରେ ଏହି ଖଣି କମ୍ପାନୀଗୁଡିକ ଆବଶ୍ୟକ ପରିମାଣର ଲୁହା ପଥର ଉତ୍ତୋଳନ କରିନଥିବାରୁ ଡିମାଣ୍ଡ ନୋଟିସ୍ ଅର୍ଥାତ୍ ଫାଇନ୍ ଆକାରରେ ଟଙ୍କା ଦେବାକୁ ନିର୍ଦେଶ ଦିଆଯାଇଛି । ସେପଟେ ଖଣି ମାଲିକ ସଂଘ କହିଛି, କରୋନା ସମୟରେ ପରିସ୍ଥିତି ଅନୁକୁଳ ନଥିଲା ତେଣୁ ସ୍ୱାଭାବିକ ଭାବେ କାରବାର ହୋଇପାରୁନଥିଲା । ଏକ୍ଷେତ୍ରରେ ସରକାର ସହୃଦୟ ହୋଇ ବିଚାର କରିବା ଉଚିତ୍ । ୧୫ ଦିନ ମଧ୍ୟରେ ଡିମାଣ୍ଡ ନୋଟିସ୍ ଅନୁସାରେ, ଟଙ୍କା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଯୁଗ୍ମ ନିର୍ଦ୍ଦେଶକ । ଏବେ ଦେଖିବାର କଥା ପ୍ରକୃତରେ ଏ ଡିମାଣ୍ଡ ନୋଟିସ୍ ଅନୁସାରେ ଟଙ୍କା ଆଦାୟ ହେଉଛି ନା ନୋଟିସ୍, କେବଳ ନୋଟିସରେ ହିଁ ରହି ଯାଉଛି ।