ଯଶୀପୁର ଟୋଲଗେଟ୍ ନିକଟରେ ଗୁଳିମାଡ । ୨ଜଣ ଗୁରୁତର, ୧୧ ଜଣଙ୍କୁ ଅଟକ ରଖି ପୋଲିସର ପଚରାଉଚରା

164

କନକ ବ୍ୟୁରୋ : ଗୋ ସୁରକ୍ଷାକାରୀଙ୍କ ଉପରେ ଗୁଳିମାଡ଼ କଲେ ଗୋ ଚାଲାଣକାରୀ । ବାରିପଦା ଜଶିପୁର ନିକଟ ବେଗୁନିଆ ଟୋଲ ଗେଟ ପାଖରେ ଘଟିଛି ଗୁଳିକାଣ୍ଡ । ଗୋ ଚାଲାଣକାରୀଙ୍କ ଗୁଳିମାଡ଼ରେ ୨ ଗୋ ସୁରକ୍ଷାକାରୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୋ ସୁରକ୍ଷାକାରୀ କଟକର ବଜରଙ୍ଗ ଦଳ ଓ ଦେବ ସେନା ସଦସ୍ୟ ବୋଲି ସୂଚନା ରହିଛି । ଘଟଣାରେ ଗୋରୁ ବୋଝେଇ ଟ୍ରକ ଜବତ ହୋଇଛି । ଘଟଣାସ୍ଥଳରେ କରଞ୍ଜିଆ ଏସଡିପିଓ ସମେତ ଯଶୀପୁର ପୋଲିସ ପହଞ୍ଚି ତଦନ୍ତ କରୁଛନ୍ତି ।

ସୂଚନା ଅନୁସାରେ, ଗୁଳିମାଡ଼ ହୋଇଥିବା ୨ ବ୍ୟକ୍ତି ହେଲେ ଶଶିକାନ୍ତ ବେହେରା, ଦୀପକ କୁମାର ସାହୁ । ଶଶିକାନ୍ତ ୨ ଜଙ୍ଘ ଓ ଆଣ୍ଠୁକୁ ମିଶାଇ ୫ ରାଉଣ୍ଡ ଗୁଳି ବାଜିଥିବା ବେଳେ ଦୀପକ ସାହୁ ନାମକ ବ୍ୟକ୍ତିଙ୍କ କେବଳ ହାତରେ ଗୋଟିଏ ଗୁଳି ବାଜିଛି । ସେହିପରି ଏକା ସାଙ୍ଗରେ ୭ଟି ଟ୍ରକରେ ଗୋଚାଲାଣ ହେଉଥିବା ବେଳେ ଗୋଟିଏ ଟ୍ରକ ଜବତ ହୋଇଛି । ଏହି ଟ୍ରକରେ ୬୫ରୁ ଅଧିକ ଗୋ ଚାଲଣ ହେଉଥିବା ସୂଚନା ରହିଛି । ଗୁଳିମାଡ଼ ଘଟଣାରେ ୧୧ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ମାରଣାସ୍ତ୍ର ସହ ୩ଟି ସ୍କର୍ପିଓ, ଗୋଟିଏ ବୋଲେରୋ ଗାଡ଼ି ଜବତ କରିଛି ପୋଲିସ ।