ଭସାଣି ବେଳେ ବାଣ ବିସ୍ଫୋରଣ ଘଟଣା : ଆଇସିୟୁରେ ୧୦ ଜଣ ଭର୍ତ୍ତି, ଜଳିଯାଇଛି ଶରୀରର ୮୦ରୁ ୯୦ ପ୍ରତିଶତ

104

କନକ ବ୍ୟୁରୋ : କେନ୍ଦ୍ରାପଡା ଭସାଣି ବେଳେ ବାଣ ବିସ୍ଫୋରଣ ବେଳେ ଅଘଟଣ ଘଟଣା । ଏସସିବିରେ ୩୩ଜଣ ଆହତ ଚିକିତ୍ସିତ ହେଉଛନ୍ତି । ୩୩ଜଣଙ୍କ ମଧ୍ୟରୁ ୩୦ ଜଣ ପୁରୁଷ ଓ ୩ଜଣ ମହିଳା । ୧୦ରୁ ୧୨ ଜଣ ଗୁରୁତର ଅଛନ୍ତି । ଆଇସିୟୁରେ ୧୦ ଜଣ ଚିକିତ୍ସିତ ହେଉଛନ୍ତି । ଆଇସିୟୁରେ ଥିବା ରୋଗୀଙ୍କ ଶରୀର ୮୦ରୁ ୯୦ ପ୍ରତିଶତ ପୋଡି ଯାଇଛି । ଏ ନେଇ ଏସସିବି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି । ଅନ୍ୟ ଆହତଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେପଟେ, କେନ୍ଦ୍ରାପଡା ଜିଲ୍ଲାପାଳ ଘଟଣାର ତଦନ୍ତ ହେବ ବୋଲି କହିଛନ୍ତି । ବିନା ଅନୁମତିରେ ବାଣ ଫୁଟାଇଥିବାରୁ କାର୍ଯ୍ୟାନୁଷ୍ଠାନ ନିଆଯିବ ।

କେନ୍ଦ୍ରାପଡା ବାଲିଆ ବଜାରରେ ଏଭଳି ଅଘଟଣ ଘଟଛି । କାର୍ତ୍ତିକ ମେଢ ଭସାଣୀ ବେଳେ ଘଟିଥିଲା ଏହି ଅଘଟଣ । ଭସାଣି ବେଳେ ବାଣ ଫୁଟା ପ୍ରତିଯୋଗିତା ଚାଲିଥିଲା । ଲକ୍ଷ ଲକ୍ଷ ଟଙ୍କାର ବାଣ ଏକାଠୀ ଗୋଟିଏ ସ୍ଥାନରେ ରଖାଯାଇଥିଲା । ଆଉ ସେଠାରୁ ବାଣ ନେଇ ଫୁଟାଯାଉଥିଲା । ସନ୍ଧ୍ୟାରେ ଧୁମଧାମରେ ଭସାଣୀ ଚାଲିଥିଲା । ଆଉ ନାଚଗୀତରେ ମସଗୁଲ ଥିଲେ ଲୋକେ । ହଠାତ୍ ରଖାଯାଇଥିବା ବାଣ ବିସ୍ଫୋରଣ ହୋଇଥିଲା । ଆଉ କେହି କିଛି ବୁଝିବା ଆଗରୁ ବାଣର ନିଆଁ ଚାରିଆଡକୁ ବ୍ୟାପିଥିଲା । ଲେକେ ଭୟରେ ଦୌଡିବା ଆରମ୍ଭ କରିଥିଲେ । ଏହାରି ମଧ୍ୟରେ ବାଣ ନିଆଁରେ ଆହତ ହୋଇଥିଲେ ଲୋକେ । ଆହତମାନଙ୍କୁ ମେଡିକାଲ ନେବା ପାଇଁ ହଠାତ୍ ଆମ୍ବୁଲାନ୍ସ ନ ମିଳିବାରୁ ଅଧିକ ଲୋକ ଗୁରୁତର ହୋଇଯାଇଥିବା କୁହାଯାଉଛି ।