ସିସୋଦିଆ ହେଉଛନ୍ତି ଏବେର ଭଗତ ସିଂ, ଯାହାଙ୍କ ଉପରେ ରହିଛି କୋଟି କୋଟି ଗରିବଙ୍କ ଆଶୀର୍ବାଦ । ମନୀଷଙ୍କୁ ସମନ ପରେ ଏମିତି କହିଲେ କେଜ୍ରିୱାଲ ।

93

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସିବିଆଇର ସମନ । ଏହି ମାମଲାରେ ପଚରାଉଚରା ପାଇଁ ସୋମବାର ସିବିଆଇ ଅଫିସରେ ହାଜର ହେବାକୁ ସମନ ପାଇଛନ୍ତି ସିସୋଦିଆ । ଆଉ ଏହି ସମନ ପାଇବା ପରେ ସିସୋଦିଆ ଟ୍ୱିଟ୍ କରି କହିଛନ୍ତି, ୧୭ ଅକ୍ଟୋବର ଦିନ ୧୧ଟାରେ ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି । ମୁଁ ସିବିଆଇ କାର୍ଯ୍ୟାଳୟ ନିଶ୍ଚୟ ଯିବି ଓ ପୂରା ସହଯୋଗ ମଧ୍ୟ କରିବି । ସତ୍ୟମେୟ ଜୟତେ । ଆଉ ସିସୋଦିଆଙ୍କୁ ସମନ ମିଳିବା ପରେ ଉଷ୍ମ ହୋଇଛି ଜାତୀୟ ରାଜନୀତି ।

ସିସୋଦିଆଙ୍କ ଟ୍ୱିଟକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରିଟ୍ୱିଟ୍ କରି କହିଛନ୍ତି, ଜେଲର କାଳକୋଠରୀ ଓ ଫାଶୀ ଭୟ ମଧ୍ୟ ସହିଦ ଭଗତ ସିଂଙ୍କୁ ଡରାଇ ପାରିନଥିଲା । ଶେଷ ପର୍ଯ୍ୟନ୍ତ ଇଂରେଜଙ୍କ ବିରୋଧରେ ସ୍ୱର ଉଠାଇ ଆସିଥିଲେ ସହିଦ ଭଗତ୍ ସିଂ । ଏବେ ସ୍ୱାଧୀନତାର ଦ୍ୱିତୀୟ ଲଢେଇ ଲଢାଯାଉଛି ।  ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ ଏହି ଲଢେଇର ଭଗତ ସିଂ ।  ୭୫ ବର୍ଷ ପରେ ଦେଶକୁ ଏମିତି ଜଣେ ଶିକ୍ଷା ମନ୍ତ୍ରୀ ମିଳିଥିଲେ ଯିଏ ଗରିବ ଛାତ୍ରଛାତ୍ରୀଙ୍କ ସୁନ୍ଦର ଭବିଷ୍ୟତର ସ୍ୱପ୍ନକୁ ସତ କରୁଥିଲେ । ଆଉ ଏବେ କୋଟି କୋଟି ଗରିବଙ୍କ ଆଶୀର୍ବାଦର ହାତ ସିସୋଦିଆଙ୍କ ଉପରେ ଅଛି ।

ସେହିଭଳି ଆପ୍ ନେତା ସଞ୍ଜୟ ସିଂ କହିଛନ୍ତି, ଆସନ୍ତାକାଲି ସିସୋଦିଆଙ୍କୁ ପଚରାଉଚରା ପାଇଁ ସିବିଆଇ ଅଫିସ ଡକାଯାଇଛି । ସିସୋଦିଆଙ୍କୁ ଜେଲରେ ଭର୍ତ୍ତି  କରିବାକୁ ପ୍ରସ୍ତୁତି ଚାଲିଛି । ଆଗକୁ ଗୁଜୁରାଟରେ ନିର୍ବାଚନ ହେବାକୁ ଯାଉଛି ଏବଂ ଗୁଜୁରାଟରେ ସିସୋଦିଆଙ୍କର ଅନେକ କାର୍ଯ୍ୟକ୍ରମ ମଧ୍ୟ ରହିଛି । ଯାହା ବିଜେପିକୁ ହତାଶ କରିଛି । ଆଉ ଏହାର ପରିମାଣସ୍ୱରୂପ ସିସୋଦିଆଙ୍କୁ ସିବିଆଇରେ ହାଜର ହେବାକୁ କୁହାଯାଇଛି । ବିଜେପି କେବଳ ଆପ୍ ନେତାଙ୍କୁ ହଇରାଣ ହରକତ କରିବାକୁ ଏଭଳି କରୁଛି । କିନ୍ତୁ ଏଭଳି କାର୍ଯ୍ୟାନୁଷ୍ଠାନରେ ଆପ୍ ନେତା ଡରିବାର ପ୍ରଶ୍ନ ଉଠୁନାହିଁ । ଯେଉଁ ଶିକ୍ଷାମନ୍ତ୍ରୀଙ୍କର ଲୋକପ୍ରିୟତା ପୂରା ବିଶ୍ୱରେ ରହିଛି ତାଙ୍କୁ ଜେଲରେ ଭର୍ତ୍ତି କରିବାକୁ ଯୋଜନା ଚାଲିଛି । ସେହିଭଳି ଆପର ଅନ୍ୟ ଜଣେ ନେତା ସୌରଭ ଭରଦ୍ୱାଜ କହିଛନ୍ତି, ସିସୋଦିଆଙ୍କୁ ଗିରଫ କଲେ ଗୁଜୁରାଟରେ ଆପକୁ ଫାଇଦା ମିଳିବ । ବିଜେପି ଯେତେ ଅତ୍ୟାଚାର କରିବ, ଆପର ସେତିକି ଅଧିକ ଲୋକପ୍ରିୟତା ବଢିବ ।