ଦିଲ୍ଲୀ ସରକାରଙ୍କ ବଡ ଘୋଷଣା । ଡ୍ୟୁଟି ବେଳେ ପ୍ରାଣ ହରାଇଥିବା ୬ ଯବାନ ଓ ପୋଲିସ କର୍ମଚାରୀଙ୍କ ପରିବାରକୁ ୧ କୋଟି ଲେଖାଏଁ ସହାୟତା ।

500

କନକ ବ୍ୟୁରୋ :  ଦିଲ୍ଲୀ ସରକାର ରାଜ୍ୟର ୬ ଟି ପରିବାରକୁ ୧ କୋଟି ଟଙ୍କା ଲେଖାଏଁ ସହାୟତା ଦେବାକୁ ଘୋଷଣା କରିଛନ୍ତି । ଡ୍ୟୁଟିରେ ଥାଇ ପ୍ରାଣ ହରାଇଥିବା  ଯବାନ, ପୋଲିସ ଓ ସିଭିଲ ଡିଫେନ୍ସ କର୍ମଚାରୀଙ୍କ ପରିବାରକୁ  ଏହି ସହାୟତା ରାଶି ପ୍ରଦାନ କରାଯିବ ।  ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ  ସିସୋଦିଆ ଶନିବାର ଦିନ ଏଭଳି ଘୋଷଣା କରିଛନ୍ତି  । ଏହି ଘୋଷଣା ମୁତାବକ ଯେଉଁ ୬ ଟି ପରିବାରକୁ ଏହି ସହାୟତା ରାଶି ପ୍ରଦାନ କରାଯିବ ସେମାନଙ୍କ ମଧ୍ୟରେ ରହିଛନ୍ତି ୩ ଜଣ ଏୟାର ଫୋର୍ସ କର୍ମଚାରୀ, ୨ ଜଣ ଦିଲ୍ଲୀ ପୋଲିସ କର୍ମଚାରୀ ଓ ଜଣେ ସିଭିଲ ଡିଫେନ୍ସ କର୍ମଚାରୀଙ୍କ ପରିବାର ।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଏଭଳି ଏକ ଯୋଜନାର ଘୋଷଣା କରିଥିଲେ । କହିରଖୁ କି କେଜ୍ରିୱାଲ ଯେତେବେଳେ ପ୍ରଥମେ ମୁଖ୍ୟମନ୍ତ୍ରୀ ହୋଇଥିଲେ ସେତେବେଳେ ଦିଲ୍ଲୀର ଜଣେ ମଦ ବ୍ୟବସାୟୀ ଜଣେ ପୋଲିସକର୍ମୀଙ୍କୁ ହତ୍ୟା କରିଥିଲା । ସେତେବେଳେ ମୁଖ୍ୟମନ୍ତ୍ରୀ ମୃତ ପୋଲିସ କର୍ମଚାରୀଙ୍କୁ ୧ କୋଟି ଟଙ୍କାର ସହାୟତା ଦେବାକୁ ଘୋଷଣା କରିଥିଲେ । ଏବେ ଏହି ଯୋଜନା ସିଆରପିଏଫ୍, ଦିଲ୍ଲ୍ୀ ପୋଲିସ, ଆର୍ମି କର୍ମଚାରୀଙ୍କ କ୍ଷେତ୍ରରେ ବି ଲାଗୁ କରାଯାଇଛି । ଏହି ଯୋଜନା ମୁତାବକ ଡ୍ୟୁଟିରେ ଥାଇ ପ୍ରାଣ ହରାଉଥିବା କର୍ମଚାରୀଙ୍କ ପରିବାରକୁ ୧ କୋଟି ଟଙ୍କାର ସହାୟତା ରାଜ୍ୟ ସରକାର ଯୋଗାଇ ଦେବେ ।

ଏହା ସହ କରୋନା କାଳରେ ଏହି ଯୋଜନାକୁ ବିସ୍ତାର କରି କେଜ୍ରିୱାଲ କହିଥିଲେ କି ଯେ କୌଣସି କର୍ମଚାରୀ କରୋନା ଡ୍ୟୁଟିରେ ଥାଇ ପ୍ରାଣ ହରାଇବେ ସେମାନଙ୍କ ପରିବାରକୁ ଦିଲ୍ଲୀ ସରକାର ୧ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେବେ ।