କ’ଣ ଥିଲା ଦିଲ୍ଲୀ ଅକ୍ସିଜେନ ଅଭାବର ସତ? ସୁପ୍ରିମକୋର୍ଟ ଅଡିଟ୍ ଟିମର ରିପୋର୍ଟ । ପ୍ରକୃତ ଆବଶ୍ୟକତା ତୁଳନାରେ ଅଧିକ ୪ ଗୁଣା ଦର୍ଶାଇଥିଲା ଦିଲ୍ଲୀ ସରକାର ।

186

କନକ ବ୍ୟୁରୋ: କରୋନାର ଦ୍ୱିତୀୟ ଲହର ବେଳେ ଦିଲ୍ଲୀରେ ଅକ୍ସିଜେନ ଅଭାବ ଏକ ସାଂଘାତିକ ସ୍ଥିତି ସୃଷ୍ଟି କରିଥିଲା  । ହେଲେ ଜାଣିଶୁଣି ଦିଲ୍ଲୀ ସରକାର ଆବଶ୍ୟକ ଠାରୁ ଅଧିକ ଅକ୍ସିଜେନ କଥା କହୁଥିଲେ ବୋଲି ଏବେ କୋର୍ଟ କହିଛନ୍ତି । ସୁପ୍ରିମକୋର୍ଟଙ୍କ ଗଠିତ ଏକ ଅଡିଟ୍ ଟିମ୍ ଏବେ ଏନେଇ ଏକ ରିପୋର୍ଟ ଦେଇଛି  । ଏଥିରେ କୁହାଯାଇଛି ଯେ, ଦିଲ୍ଲୀ ସରକାର ଅକ୍ସିଜେନର ଆବଶ୍ୟକତାକୁ ପ୍ରକୃତ ପରିମାଣର ଠାରୁ ଅଧିକ ୪ ଗୁଣ କରି ଦର୍ଶାଇଥିଲେ  ।

ବିଶେଷକରି ଏପ୍ରିଲ ୨୫ରୁ ମେ ୧୦ ମଧ୍ୟରେ ଅକ୍ସିଜେନ ଆବଶ୍ୟକତାକୁ ଜାଣିଶୁଣି ବଢ଼ାଇ ଦର୍ଶାଇଥିଲେ ଦିଲ୍ଲୀ ସରକାର  । ଆଉ ଦିଲ୍ଲୀକୁ ଅଧିକ ଅକ୍ସିଜେନ ଯୋଗାଣ ଅନ୍ୟ ୧୨ଟି ରାଜ୍ୟରେ ଅକ୍ସିଜେନକୁ ପ୍ରଭାବିତ କରିଥାଇପାରେ ବୋଲି ମଧ୍ୟ ଏହି ଟିମର ରିପୋର୍ଟ କହିଛି   । ଏହାକୁ ନେଇ ଆପ୍ ଉପରେ ବର୍ଷିଛି ବିଜେପି  । ତେବେ ଅଡିଟ ଟିମର ରିପୋର୍ଟ ନେଇ ପ୍ରଶ୍ନ  ଉଠାଇଛି ଆପ୍  ।

କରୋନାର ଦ୍ୱିତୀୟ ଲହର ଦେଶରେ ଏକ ପ୍ରକାର ତାଣ୍ଡବ ରଚିଥିଲା  । ଦ୍ରୁତ ସଂକ୍ରମଣ ଯୋଗୁଁ ହସ୍ପିଟାଲରେ ଅଚାନକ ରୋଗୀଙ୍କ ସଂଖ୍ୟା ବି ବଢ଼ିଥିଲା  । ଏହାସହ ଆଇସିୟୁ ଆବଶ୍ୟକ ପଡ଼ୁଥିବା ରୋଗୀଙ୍କ ସଂଖ୍ୟା ବଢ଼ିଯାଇଥିଲା  । ଏସବୁ ଭିତରେ ଅକ୍ସିଜେନ ଏକ ବଡ଼ ପ୍ରସଙ୍ଗ ପାଲଟିଥିଲା  । ଆଉ ଅକ୍ସିଜେନ ମିଳିବା ଏକ ବଡ଼ ପ୍ରଶ୍ନ ପାଲଟିଥିଲା  । ବିଶେଷକରି ଦିଲ୍ଲୀରେ ସ୍ଥିତି ସାଂଘାତିକ ହୋଇପଡ଼ିଥିଲା  । ଆଉ ଏହାକୁ ନେଇ ଦିଲ୍ଲୀ ସରକାର ଓ କେନ୍ଦ୍ର ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା  ।

ଅଧିକ ଅକ୍ସିଜେନ ଯୋଗାଇବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବାରମ୍ବାର କେନ୍ଦ୍ର ସରକାରଙ୍କୁ ଅନୁରୋଧ ପରେ କୋର୍ଟକୁ ମଧ୍ୟ ଯାଇଥିଲେ  । କୋର୍ଟଙ୍କ ନିର୍ଦ୍ଦେଶ ପରେ ଦିଲ୍ଲୀକୁ ଅକ୍ସିଜେନ ଯୋଗାଣ ବଢ଼ିଥିଲା  । ଅକ୍ସିଜେନ ଅଭାବକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ଅଡିଟ ଟିମରେ ୪ ଜଣ ସଦସ୍ୟ ଅଛନ୍ତି  । ଏମାନେ ଅକ୍ସିଜେନ ଅଭାବ ପ୍ରସଙ୍ଗରେ ୨୬୦ ହସ୍ପିଟାଲ ପାଖରୁ ମତ ଲୋଡ଼ିଥିବା ବେଳେ ୧୮୩ଟି ହସ୍ପିଟାଲ ଉତ୍ତର ରଖିଥିଲେ  ।