କେଜ୍ରିୱାଲଙ୍କ ବଡ ଘୋଷଣା । ଚାକିରି ଦେଇ ନପାରିଲେ ମାସକୁ ଦେବୁ ୩୦୦୦ ଟଙ୍କା ।

714

କନକ ବ୍ୟୁରୋ : ଗୋଆ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରଠାରୁ ଉଷ୍ମ ହୋଇଛି ରାଜନୀତି । ଚଳିତଥର ଗୋଆ ରାଜନୀତିରେ ଏଣ୍ଟ୍ରି ମାରିଛି ଆମ୍ ଆଦମୀ ପାର୍ଟି । ଜୋରଦାର ପ୍ରଚାର ସହ ସରକାର ଗଢିବାକୁ ବଡ ବଡ ପ୍ରତିଶ୍ରୁତି ଦେଉଛି ଆପ୍ । ଆଉ ପ୍ରଚାରର ମଙ୍ଗ ଧରିଛନ୍ତି ନିଜେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ରବିବାର ଗୋଆରେ ନିର୍ବାଚନ ପ୍ରଚାର ପାଇଁ ପହଞ୍ଚିବା ପରେ କେଜ୍ରିୱାଲ ଭୋଟରଙ୍କ ମନ ଜିଣିବାକୁ ବଡ ଘୋଷଣା କରିଛନ୍ତି । କେଜ୍ରିୱାଲ କହିଛନ୍ତି, ଯଦି ଗୋଆରେ ଆପ୍ ସରକାର ଗଢେ ତେବେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଚାକିରି ଦେବୁ । ଯଦି ସମସ୍ତଙ୍କୁ ଚାକିରି ଦେଇ ନପାରିବୁ ତେବେ ମାସିକ ୩୦୦୦ ଟଙ୍କା ବେରୋଜଗାରୀ ଭତ୍ତା ଦେବୁ ବୋଲି କହିଛନ୍ତି କେଜ୍ରିୱାଲ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ସ୍ୱାଧୀନ ଭାରତର ସବୁଠୁ ବିଶ୍ୱାସୀ ଦଳ ପାଲଟିଛି ଆପ୍ । ଆଉ ଏହାର ସାର୍ଟିଫିକେଟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ରେଡ କରାଯାଇଛି, ଆପର ୨୧ ବିଧାୟକଙ୍କୁ ଗିରଫ କରାଗଲା, ୪୦୦ରୁ ଅଧିକ ଫାଇଲର ଯାଞ୍ଚ କରାଗଲା କିନ୍ତୁ ଆମ ବିରୋଧରେ କିଛି ବି ମିଳିଲାନି । କାରଣ ଆମେ ଦୁର୍ନୀତି କରୁନାହୁଁ । ଠିକ୍ ସେହିଭଳି ଗୋଆରେ ସରକାର ଗଢିଲେ ମଧ୍ୟ ଲୋକଙ୍କ ବିଶ୍ୱାସ ସହ ସାଲିସ କରିବୁ ନାହିଁ ।

ଗୋଆରେ ଥରେ ବିଜେପି ଓ ଅନ୍ୟଥର କଂଗ୍ରେସ ସରକାର ହୋଇଥାଏ । କିନ୍ତୁ ଏବେ ଦୁଇଟି ଦଳ ଏକାଠି ହୋଇଯାଇଛନ୍ତି । କାରଣ କଂଗ୍ରେସର ଅଧିକାଂଶ ଲୋକ ଏବେ ବିଜେପିରେ ସାମିଲ ହୋଇଛନ୍ତି । ତେଣୁ ଏବେ ଲୋକେ ପରିବର୍ତ୍ତନ ଚାହୁଁଛନ୍ତି । ଗୋଆରେ ଏବେ ଯେଉଁ ସ୍ଥିତି ସେଥିପାଇଁ ପୂର୍ବରୁ ସରକାରରେ ଥିବା ରାଜନୈତିକ ଦଳ ଦାୟୀ । କିନ୍ତୁ ଏବେ ଲୋକଙ୍କ ପାଇଁ ଆଶାର କିରଣ ସାଜି ଉଭା ହୋଇଛି ଆପ୍ । ଆମ ସରକାର ଶିକ୍ଷା କ୍ଷେତ୍ରରେ ଦିଲ୍ଲୀରେ ବହୁତ ଭଲ କାମ କରିଛି । ଗୋଆରେ ମଧ୍ୟ ସରକାରକୁ ଆସିଲେ ଶିକ୍ଷା କ୍ଷେତ୍ର ଉପରେ ଫୋକସ ରହିବ ବୋଲି କହିଛନ୍ତି କେଜ୍ରିୱାଲ ।