୨୦୨୪ ରେ ବିଜେପିକୁ ଟକ୍କର ଦେବାକୁ କେସିଆରଙ୍କ ଜୋରଦାର ପ୍ରୟାସ, ଆଜି ଗୋଟିଏ ମଞ୍ଚରେ ଏକାଠି ହେବେ ଏହି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ

338

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଗଠନ କରି ଦ୍ୱିତୀୟ ପାଳି ସମାପ୍ତ କରିବାକୁ ଯାଉଛି ବିଜେପି । ପ୍ରଥମେ କିଛି ରାଜନୈତିକ ଦଳ ଏନଡିଏରେ ଥିବା ବେଳେ ସରକାରର ଦ୍ୱିତୀୟ ପାଳିରେ ସେମାନେ ଉଭାନ ହୋଇଯାଇଥିଲେ । ହେଲେ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତାକୁ ଟକ୍କର ଦେବାକୁ ଯାଇ କଂଗ୍ରେସ ଦିନକୁ ଦିନ ତଳି ତଳାନ୍ତ ହେବାକୁ ଯାଉଛି । ଠିକ୍ ଏହି ସମୟରେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ତଥା ଭାରତ ରାଷ୍ଟ୍ର ସମିତିର ମୁଖ୍ୟ ସବୁ ବିରୋଧୀଦଳମାନଙ୍କୁ ଏକାଠି କରି ବିଜେପି ବିରୋଧରେ ଏକ ବଡ ମେଣ୍ଟ ଗଠନ କରିବାକୁ ଦୀର୍ଘଦିନ ହେବ ପ୍ରୟାସ ଜାରି ରଖିଛନ୍ତି । ଏହି କ୍ରମରେ ଆଜି ଦଳ ତରଫରୁ ଏକ ବଡ ଜନସଭାର ଆୟୋଜନ କରାଯାଇଛି । ଏହି ରାଲିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍, କେରଳ ମୁଖ୍ୟମନ୍ତ୍ରୀ ପୀନାରାଇ ବିଜୟନ , ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ସିପିଆଇର ମୁଖ୍ୟ ଡି.ରାଜା ପ୍ରମୁଖ ଯୋଗ ଦେଉଥିବା ଜଣାପଡିଛି ।

ରାଜନୈତିକ ଦୃଷ୍ଟିକୋଣରୁ ଦେଖିଲେ ଏହି ସଭା ଗୁରୁତ୍ୱବହନ କରୁଛି । କାରଣ ତେଲେଙ୍ଗାନା ରାଷ୍ଟ ସମିତି ନିଜର ନାମ ବଦଳାଇ ଭାରତ ରାଷ୍ଟ୍ରସମିତି କରିବା ପରେ ଏହା ଦଳର ପ୍ରଥମ ଜନସଭା  । ଏହି ସଭାରେ ଯଦି ଉପରଲିଖିତ ନେତାମାନେ ଯୋଗ ଦିଅନ୍ତି ତେବେ ଏହା ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ଏକ ବଡ ଜନସଭା ବୋଲି ଆକଳନ କରାଯାଇପାରେ ।

ମୁଖ୍ୟମନ୍ତ୍ରୀ କେସିଆର ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଶୀର୍ଷନେତାଙ୍କ ପାଇଁ ବିମାନର ବ୍ୟବସ୍ଥା କରିଥିଲେ । କିଛି ନେତା ଓ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ସହାୟତାରେ ୟାଦିଗିରିଗୁଟ୍ଟାରେ ପହଂଚିଥିବା କଥା କୁହାଯାଉଛି ।