୨୦୨୪ ପାଇଁ ବିଆରଏସର ବଡ଼ ପ୍ରସ୍ତୁତି : କେସିଆର୍ ପଠାଇଥିବା ସ୍ୱତନ୍ତ୍ର ବିମାନରେ ଆଜି ହାଇଦ୍ରାବାଦ ଯିବେ ଓଡ଼ିଆ ନେତା

146

କନକ ବ୍ୟୁରୋ : ଓଡିଶାରେ କେସିଆରଙ୍କ ଭାରତ ରାଷ୍ଟ୍ର ନିର୍ମାଣର ଏଂଟ୍ରି ନେଇ ଚର୍ଚ୍ଚା ଜୋର ଧରିଛି । ଗତ ସପ୍ତାହରେ ତେଲେଙ୍ଗାନା ଯାଇ ଗିରିଧର ଗମାଙ୍ଗ, ଶିଶିର ଗମାଙ୍ଗ ଓ ଜୟରାମ ପାଙ୍ଗି କେସିଆରଙ୍କୁ ଭେଟିଥିଲେ । ଏବେ ଚର୍ଚ୍ଚା ହେଉଛି, ଏହି ନେତାମାନେ ଏକ ସ୍ୱତନ୍ତ୍ର ଚାଟାର୍ଡ ବିମାନରେ ଆଜି ହାଇଦ୍ରାବାଦ ଯିବେ । ସେଠାରେ କେସିଆରଙ୍କ ଉପସ୍ଥିତିରେ ବିଆରଏସରେ ସାମିଲ ହେବେ । ଏଥିପାଇଁ କ୍ଷେତ୍ର ପ୍ରସ୍ତୁତି ସରିଛି । ଆଗକୁ ମଧ୍ୟ କେସିଆର ଓଡିଶା ଆସିବେ ବୋଲି ଚର୍ଚ୍ଚା ଜୋରି ଧରିଛି ।

ରାଜ୍ୟ ରାଜନୀତିରେ ଏଂଟ୍ରି ମାରିବାକୁ ସରିଛି କ୍ଷେତ୍ର ପ୍ରସ୍ତୁତି । ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ଦଳ ଭାରତ ରାଷ୍ଟ୍ର ସମିତିରେ ସାମିଲ ହେବେ ଦକ୍ଷିଣ ନେତା । କୁହାଯାଉଛି, ଶୁକ୍ରବାରଦିନ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ତାଙ୍କ ପୁଅ ଶିଶିର ଗମାଙ୍ଗ, ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗି ଏକ ସ୍ୱତନ୍ତ୍ର ଚାଟାର୍ଡ ଫ୍ଲାଇଟରେ ହାଇଦ୍ରାବାଦ ଯିବେ ।

ହାଇଦ୍ରାବାଦରେ ଏକ କାର୍ଯ୍ୟକ୍ରମରେ ବିଆରଏସ ମୁଖ୍ୟ ଚନ୍ଦ୍ରଶେଖର ରାଓଙ୍କ ଉପସ୍ଥିତିରେ ଏମାନେ ବିଆରଏସରେ ସାମିଲ ହେବେ । କନ୍ଧମାଳର ପୂର୍ବତନ କଂଗ୍ରେସ ନେତା କୈଳାସ ମୁଖ୍ୟ ବିଆରଏସରେ ସାମିଲ ହୋଇସାରିଛନ୍ତି । ଏ ନେଇ ତେଲେଙ୍ଗାନା ଗଣମାଧ୍ୟମରେ ବି ଚର୍ଚ୍ଚା ଚାଲିଛି । ନବ ନିର୍ମାଣ କୃଷକ ସଙ୍ଗଠନର କିଛି ନେତା ବି ଏମାନଙ୍କ ସହ ଯିବା ସୂଚନା ରହିଛି । ଗତ ସପ୍ତାହରେ ଏହି ନେତାମାନେ ଚନ୍ଦ୍ରଶେଖର ରାଓଙ୍କୁ ଭେଟି ନୂଆ ସମୀକରଣର ଇସାରା ଦେଇଥିଲେ

ଜାନୁଆରୀରେ ୧୮ରେ ତେଲେଙ୍ଗାନାର ଖମ୍ମମରେ ଚନ୍ଦ୍ରଶେଖର ରାଓଙ୍କ ରାଲିରେ ଦିଲ୍ଲୀ,ପଂଜାବ, କେରଳ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ବଡ ନେତା ଯୋଗଦେଇଥିଲେ । କୁହାଯାଉଛି, ଏମାନେ ମିଳିତ ଭାବେ ଲଢି ୨୦୨୪ରେ ନୂଆ ଜାତୀୟ ସମୀକରଣ ଲକ୍ଷ୍ୟରେ ଅଛନ୍ତି ।

ଚର୍ଚ୍ଚା ହେଉଛି , ଓଡିଶାରେ ଭାରତ ରାଷ୍ଟ୍ର ସମିତି ଓ ଆମ ଆଦମୀ ପାର୍ଟି ମିଳିତ ଭାବେ ନିର୍ବାଚନ ଲଢିବେ ।
– ରାଜ୍ୟର ସହରାଞ୍ଚଳ ଉପରେ ଫୋକସ କରିବ ଆମ ଆଦମୀ ପାର୍ଟି
– ଦକ୍ଷିଣ ଓ ଗ୍ରାମାଞ୍ଚଳ ଉପରେ ଫୋକସ କରିବ ଭାରତ ରାଷ୍ଟ୍ର ସମିତ
– ତେଲୁଗୁ ଭାଷାଭାଷୀ ଉପରେ ବି ବିଆରଏସର ନଜର
-ରାଜ୍ୟର କଣଠେସା ହୋଇ ରହିଥିବା କିଛି ବଡ ନେତା ଚନ୍ଦ୍ରଶେଖରଙ୍କ ସହ ସମ୍ପର୍କରେ ଥିବା ସୂଚନା

କୁହାଯାଉଛି, ଆଗାମୀ ଦିନରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଓ ଆପ ମୁଖ୍ୟ ଅରବିନ୍ଦ କେଜରିୱାଲ ଓଡିଶା ଆସିପାରନ୍ତି । ଆଉ ସେମାନଙ୍କ ଉପସ୍ଥିତିରେ କିଛି ବଡ ନେତା ଦଳରେ ସାମିଲ ହେବା ସମ୍ଭାବନା ରହିଛି । ତେବେ ଏହାର ପ୍ରଭାବ ରାଜ୍ୟ ରାଜନୀତିରେ କଣ ପଡିବ ତାକୁ ନେଇ ରାଜନୈତିକ ମହଲରେ ଏବେଠାରୁ ଅଙ୍କକଷା ଆରମ୍ଭ ହୋଇଛି ।