ରାସ୍ତାକୁ ନେଇ ବିବାଦ, ନିତୀଶଙ୍କ ବନ୍ଧୁଙ୍କୁ ଗୁଳି କରି ହତ୍ୟା

1,521

କନକ ବ୍ୟୁରୋ : ନିତୀଶ କୁମାରଙ୍କ ବନ୍ଧୁ ତଥା ଜେଡିୟୁର ବରିଷ୍ଠ ନେତା କୈଳାଶ ମାହତୋଙ୍କୁ ଗୁଳି କରି ହତ୍ୟା କରାଯାଇଛି । ବରାରୀ ଥାନା ଅଞ୍ଚଳ କୃଷି ଫାର୍ମ ନିକଟରେ ଦୁଇଜଣ ବ୍ୟକ୍ତି ମୋଟରସାଇକେଲରେ ଆସି କୈଳାଶଙ୍କ ଉପରକୁ ଗୁଳି ଚଳାଇଥିଲେ । ନିତୀଶ କୁମାରଙ୍କ ସରକାରରେ ନିଜ ନେତାଙ୍କୁ ସୁରକ୍ଷା ମିଳୁନଥିବା ନେଇ ବିରୋଧୀଦଳର ନେତାମାନେ ନିତୀଶ କୁମାରଙ୍କ ଉପରକୁ ପ୍ରଶ୍ନ ଉଠାଇଛନ୍ତି ।

ମିଳିଥିବା ସୂଚନା ମୁତାବକ ଅଜଣା ବ୍ୟକ୍ତି ଦୁଇଜଣ କୈଳାଶଙ୍କ ଉପରକୁ ୪ରୁ ୫ ରାଉଣ୍ଡ ଗୁଳି ମାରିଥିଲେ । ଗୁଳିମାଡ ପରେ ଘଟଣା ସ୍ଥଳରେ କୈଳାଶଙ୍କର ମୃତ୍ୟୁ ହୋଇଛି । ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଏହା ରାଜନୈତିକ ହତ୍ୟା ନୁହେଁ ବୋଲି କୁହାଯାଉଥିବା ବେଳେ ହତ୍ୟାକାରୀ କିନ୍ତୁ ପଫେସନାଲ କିଲର ଭଳି ଗୁଳି କରିଥିବା କଥା କୁହାଯାଉଛି ।

ସ୍ଥାନୀୟ ଲୋକଙ୍କ କହିବା ମୁତାବକ କୈଳାଶ ମାହତୋଙ୍କ ଘର ସାମ୍ନାରେ ଜଣେ ବ୍ୟକ୍ତି ଘର ନିର୍ମାଣ କରୁଛନ୍ତି । ଏହି ଘର ସହିତ ଜଡିତ ଥିବା ରାସ୍ତାକୁ ନେଇ ବିବାଦ ଲାଗି ରହିଥିଲା । ଏନେଇ ମାମଲା ଥାନାରେ ମଧ୍ୟ ପହଞ୍ଚିଥିଲା । ହେଲେ ବିବାଦ ମେଣ୍ଟି ନଥିଲା । ଏହାକୁ ନେଇ ମୃତକ କୈଳାଶଙ୍କ ପଡୋଶୀ ବିଚଳିତ ହୋଇପଡିଥିଲେ । ଏବେ ଜଣେ ବନ୍ଧୁଙ୍କ ସହ ମିଶି କୈଳାଶଙ୍କୁ ହତ୍ୟା କରିଛନ୍ତି ।

ଏହି ମାମଲା ବାବଦରେ କଟିହାର ଡିଏସପି ଓମପ୍ରକାଶ କହିଛନ୍ତି କି, ପ୍ରାଥମିକ ତଦନ୍ତରୁ ଏହା ରାଜନୈତିକ ହତ୍ୟା ବୋଲି ଜଣାପଡିନାହିଁ । ଏହା ପରସ୍ପର ମଧ୍ୟରେ ଥିବା ବ୍ୟକ୍ତିଗତ ଶତ୍ରୁତା କାରଣରୁ ହୋଇପାରେ ବୋଲି ଅନୁମାନ କରାଯାଉଛି ।