ଭାବିସ୍ୱାମୀଙ୍କ ବର୍ବରତାକୁ ବିଶ୍ୱାସ କରୁନାହାନ୍ତି ଭାବିପତ୍ନୀ ! କହିଲେ ଘଟଣା ଯଦି ସତ ହୁଏ କରିବିନି ବିବାହ, ଚଳିତ ମାସରେ ହୋଇଥାନ୍ତା ବିବାହ ।

41

କାଠୁଆ ଗଣଧର୍ଷଣ ଅଭିଯୋଗରେ ଚାରିଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ବେଳେ ଆରୋପୀମାନଙ୍କ ମଧ୍ୟରୁ ଜଣେ ପୋଲିସ୍ କର୍ମଚାରୀ ମଧ୍ୟ ସାମିଲ୍ ଅଛନ୍ତି । ଦୀପକ ଖଜୁରିଆ ନାମକ ଏହି ଅଭିଯୁକ୍ତଙ୍କ ଆଉ କିଛି ଦିନ ଭିତରେ ବିବାହ ହୋଇଥାନ୍ତା କିନ୍ତୁ ଏଭଳି ଏକ ଜଘନ୍ୟ କାଣ୍ଡ ଭିଆଇବା ପରେ ଭାବିପତ୍ନୀ ନିଜ ଆଗାମୀ ଭବିଷ୍ୟତକୁ ନେଇ ଏବେ ଚିନ୍ତାରେ ଅଛନ୍ତି । ଏକ ଉଚ୍ଚଶିକ୍ଷା ପ୍ରାପ୍ତ କରିଥିବା ଯୁବତୀ ଏକ ସାକ୍ଷାତକାରରେ କହିଥିଲେ, ‘ମୁଁ ମୋ ଭାବିସ୍ୱାମୀଙ୍କ ସହ ନିରୋଳାରେ କଥା ହେବା ପାଇଁ ଥାନାକୁ ଯିବି ସେଠାରେ ତାଙ୍କୁ ଆଖିରେ ଆଖି ମିଶାଇ ପଚାରିବି କ’ଣ ତୁମେ ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟାଇଥିଲ? ମୁଁ ଜାଣିଛି ସେ ମୋତେ କେବେ ମିଛ କହିବେନି । ଯଦି ସେ ଏଥିପାଇଁ ନାଁ କୁହନ୍ତି ତେବେ ସେ ଜେଲରୁ ବାହାରିବା ପର୍ଯ୍ୟନ୍ତ ମୁଁ ତାଙ୍କର ଅପେକ୍ଷା କରିବି । ଯଦି ଘଟଣା ସତ ହୁଏ ତେବେ ଅନ୍ୟତ୍ର ବିବାହ ହେବାପାଇଁ ଘରଲୋକଙ୍କୁ କହିବି ।’
ସୁଚନାନୁସାରେ ଏ ପର୍ଯ୍ୟନ୍ତ ତାଙ୍କୁ ଦୀପକଙ୍କ ସହ ମିଶିବା ପାଇଁ ଅନୁମତୀ ମିଳିନାହିଁ । ଦୀପକଙ୍କ ମା’ଙ୍କ କହିବାନୁସାରେ ଦୀପକଙ୍କୁ ଏବେ ନଦେଖା କରିବା ଠିକ୍ ରହିବ ସେ ନିଜେ ମଧ୍ୟ ପୁଅକୁ ଦେଖିବା ପାଇଁ ଅନୁମତୀ ପାଇନାହାନ୍ତି । ଗତବର୍ଷ ଡିସେମ୍ବର ୭ ତାରିଖରେ ଦୀପକଙ୍କ ନିର୍ବନ୍ଧ ହୋଇଥିବାବେଳେ ଚଳିତବର୍ଷ ଏପ୍ରିଲ ୨୬ ତାରିଖରେ ତାଙ୍କ ବିବାହ ହୋଇଥାନ୍ତା । କିନ୍ତୁ ଏଭଳି ଘଟଣା ପରେ ତାଙ୍କ ବାହାଘର ଏବେ ଝୁଲନ୍ତା ଅବସ୍ଥାରେ ଅଛି । ଏହି ଜଘନ୍ୟ ଗଣଦୁଷ୍କର୍ମ ଏବଂ ହତ୍ୟାକାଣ୍ଡରେ କ୍ରାଇମ୍ ବ୍ରାଞ୍ଚ୍ ଦ୍ୱାରା ଦିଆଯାଇଥିବା ଚାର୍ଜସିଟରେ ଉଲ୍ଲେଖ ରହିଛି ଯେ ଦୀପକ ହେଉଛନ୍ତି ସେହି ବ୍ୟକ୍ତି ଯିଏ ପୀଡିତାଙ୍କ ମୃତ୍ୟୁ ପୂର୍ବରୁ ତାଙ୍କୁ ପୁନର୍ବାର ଧର୍ଷଣ କରିବାକୁ କହିଥିଲେ ଏବଂ ଧର୍ଷଣ ପରେ ତାଙ୍କ ତଣ୍ଟି ଚିପିଥିଲେ । ଦୀପକ ଏଭଳି ଏକ କାଣ୍ଡ ଘଟାଇଥିବେ ବୋଲି ଭାବିପତ୍ନୀ ଏ ଯାଏଁ ବିଶ୍ୱାସ କରି ପାରୁନାହାନ୍ତି । ଏବେ ସେ ଦୀପକଙ୍କ ସହ ବାର୍ତ୍ତାଳାପ ଏବଂ ସିବିଆଇର ତଦନ୍ତକୁ ଅପେକ୍ଷା କରି ରହିଛନ୍ତି ।