ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ରକ୍ତର ଖେଳ : ଶ୍ରୀନଗରରେ ଜଣେ ବରିଷ୍ଠ ସାମ୍ବାଦିକ ଓ ଜଣେ ଯବାନଙ୍କୁ ହତ୍ୟା

66

କନକ ବ୍ୟୁରୋ : କାଶ୍ମୀରରେ ପୁଣି ଆତଙ୍କବାଦୀଙ୍କ ବର୍ବରତା । ବରିଷ୍ଠ ସାମ୍ବାଦିକ ଓ ଜଣେ ଯବାନଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ । ‘ରାଇଜିଂ କାଶ୍ମୀର’ର ଏଡିଟର୍ ତଥା ବରିଷ୍ଠ ପତ୍ରକାର ସୁଜାତ୍ ବୁଖାରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କବାଦୀ । ଶ୍ରୀନଗରରେ ‘ରାଇଜିଂ କାଶ୍ମୀର’ର କାର୍ଯ୍ୟାଳୟ ସମ୍ମୁଖରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ୫୦ ବର୍ଷୀୟ ବୁଖାରୀ ତାଙ୍କ ଅଫିସରୁ ବାହାରି ଇଫତାର ପାର୍ଟିରେ ଯୋଗ ଦେବାକୁ ଯାଉଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ ହୋଇଥିଲା ।

ତାଙ୍କର ଜଣେ ସୁରକ୍ଷା ଅଧିକାରୀଙ୍କୁ ମଧ୍ୟ ହତ୍ୟା କରାଯାଇଛି । ଏହି ଗୁଳିକାଣ୍ଡରେ ଆଉ ଜଣେ ପୋଲିସ କର୍ମଚାରୀ ଓ ଜଣେ ସାଧାରଣ ନାଗରିକ ଗୁରୁତର ହୋଇଛନ୍ତି । କାଶ୍ମୀର ଉପତ୍ୟକାରେ ଶାନ୍ତି ଫେରାଇ ଆଣିବାକୁ ସୁଜାତ୍ ବୁଖାରୀ ଉଦ୍ୟମ କରିଆସୁଥିଲେ । ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଶୋକ ପ୍ରକାଶ କରିଛନ୍ତି । ଅନ୍ୟପଟେ ଯବାନଙ୍କୁ ଅପହରଣ ପରେ ହତ୍ୟା କରାଯାଇଛି । ଜମ୍ମୁ କଶ୍ମୀର ପୁଲୱାମା ଜିଲ୍ଲାରେ ଜଣେ ଯବାନଙ୍କୁ ଗତକାଲି ଆତଙ୍କବାଦୀମାନେ ଅପହରଣ କରିନେଇଥିଲେ । ଏହାପରେ ଗତକାଲି ସଂଧ୍ୟାରେ ଗୁସୁଗ୍ରାମ ନିକଟରେ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କ ବେକ ଓ ମୁଣ୍ଡରେ ଗୁଳି କରି ଆତଙ୍କବାଦୀମାନେ ତାଙ୍କୁ ହତ୍ୟା କରିଥିବା ଜଣାପଡିଛି ।

୪୪ଆରଆର୍ କ୍ୟାମ୍ପର ଯବାନ ଔରଙ୍ଗଜେବଙ୍କ ଇଦ୍ ଛୁଟି ମଂଜୁର ହେବା ପରେ ଏକ କାର୍ ଯୋଗେ ରାଜୌରୀର ପିର ପଂଜାଲ ଭ୍ୟାଲି ସ୍ଥିତ ନିଜ ଘରକୁ ଫେରୁଥିଲେ । ରାସ୍ତାରେ ପୁଲୱାମା ଜିଲ୍ଲାର କଲାମପୁରରେ ଆତଙ୍କବାଦୀମାନେ ତାଙ୍କ ଗାଡିକୁ ଅଟକାଇ ତାଙ୍କୁ ଅପହରଣ କରିନେଇଥିଲେ । ସଂଧ୍ୟାରେ ଔରଙ୍ଗଜେବଙ୍କ ମୃତ ଦେହ ମିଳିବା ପରେ ଆତଙ୍କବାଦୀଙ୍କୁ ଧରିବା ପାଇଁ ବଡ ଧରଣର ସର୍ଚ୍ଚ ଅପରେସନ ଚାଲୁ ରଖିଛି ଭାରତୀୟ ସେନା । ଗତ ଏପ୍ରିଲ ୩୦ରେ ହିଜବୁଲ ମୁଜାହିଦ୍ଦିନ କମାଣ୍ଡର ସମୀର ଟାଇଗର ଓ ତାର ସହଯୋଗୀକୁ ନିପାତ ଅପରେସନରେ ସାମିଲ ଥିଲେ ଔରଙ୍ଗଜେବ । ତେବେ ତାଙ୍କୁ ଅପହରଣ ଓ ହତ୍ୟା ପାଇଁ ଆତଙ୍କୀଙ୍କ ବିଧିବଦ୍ଧ ଯୋଜନା ରହିଥିବା ସୂଚନା ମିଳିଛି । ମିଳିତ ସୁରକ୍ଷା ବାହିନୀ ପୁଲୱାମା ଜିଲ୍ଲାର ୫୦ରୁ ଅଧିକ ସ୍ଥାନରେ ଚଢାଉ ଜାରିରଖିଛି ।

ସେପଟେ ଜମ୍ମୁକଶ୍ମୀର ମାନବାଧିକାର ଉଲ୍ଲଙ୍ଘନ ନେଇ ମିଳିତ ଜାତିସଂଘ ଦେଇଥିବା ରିପୋର୍ଟକୁ ଖଣ୍ଡନ କରିଛି ଭାରତ । ଏହି ରିପୋର୍ଟକୁ ଭ୍ରମାତ୍ମକ ବୋଲି କହି ଏହାକୁ ଅସ୍ୱୀକାର କରିଛି ନୂଆଦିଲ୍ଲୀ । ବିଦେଶ ମନ୍ତ୍ରାଳୟ ଏହି ରିପୋର୍ଟର କଡା ଜବାବ ଦେଇ କହିଛି ଯେ, ରିପୋର୍ଟ ଭିତିରେ ଏହା ଭୁଲ୍ ଅଛି । ଏବଂ ଅନ୍ୟ ଉଦ୍ଦେଶ୍ୟ ପ୍ରଣୋଦିତ ଭାବରେ ଏପରି ରିପୋର୍ଟ ଦିଆଯାଇଥିବା ବିଦେଶ ମନ୍ତ୍ରାଳୟ କହିଛି । ଏହି ରିପୋର୍ଟରେ ଥିବା ତଥ୍ୟର କୌଣସି ଆଧାର ନାହିଁ । ଏବଂ ଏହା ଭାରତର ଅଖଣ୍ଡତା ଓ ସାର୍ବଭୌମତ୍ୱ ଉପରେ ପ୍ରଶ୍ନ ଉଠାଉଛି ବୋଲି ଭାରତ କହିଛି । ମିଳିତ ଜାତିସଂଘ ଜାରି କରିଥିବା ଏହି ରିପୋର୍ଟଙ୍କୁ କଡାକଡି ଭାବେ ଅଗ୍ରାହ୍ୟ କରିଛି ଭାରତ ।