ବାଇଡେନଙ୍କ ଟିମରେ ଯୋଗଦେଲେ କାଶ୍ମୀର କଲି ସମୀରା ଫାଜଲି । ନ୍ୟାସନାଲ ଇକୋନୋମିକ କାଉନସିଲର ଉପ- ନିର୍ଦ୍ଦେଶିକା ଭାବେ ପାଇଲେ ନିଯୁକ୍ତି । ନୂଆ ଟିମ୍ ରେ ଯୋଗ ଦେଲେଣି ୧୧ ଭାରତୀୟ ବଂଶୋଦ୍ଭବ ।

99

କନକ ବ୍ୟୁରୋ : ସାରା ବିଶ୍ୱର ରାଜନୀତି ଠାରୁ ଆରମ୍ଭ କରି ଅର୍ଥନୀତି, ଗବେଷଣା ସବୁ କ୍ଷେତ୍ରରେ ଭାରତୀୟ ମାନଙ୍କର ଯୋଗଦାନ ଏକ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଏହି କ୍ରମରେ ଆମେରିକା ପ୍ରଶାସନିକ ଦଳରେ ବି ଭାରତୀୟ ମାନଙ୍କର ଯୋଗଦାନ ବିଶ୍ୱକୁ ଅଶ୍ଚର୍ଯ୍ୟ କରିଛି  । ଆମେରିକାର ନୂତନ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଜୋ- ବାଇଡେନଙ୍କ ଟିମ୍ ରେ ଜଣକ ପରେ ଜଣେ ଭାରତୀୟ ବଂଶୋଦ୍ଭବଙ୍କ ପ୍ରାଧାନ୍ୟ ବଢୁଥିବା ଦେଖିବାକୁ ମଳିଛି । ଏଯାଏ ବାଇଡେନଙ୍କ ଟିମ୍ ରେ ମୋଟ ୧୧ ଜଣ ଭାରତୀୟ ବଂଶୋଦ୍ଭବ ଯୋଗ ଦେଇସାରିଲେଣି । ସଦ୍ୟତମ ସୂଚନା ମୁତାବକ କାଶ୍ମୀରେ ଜନ୍ମିତ ସମୀରା ଫାଜଲିଙ୍କୁ ବାଇଡେନଙ୍କ ଟିମ୍ ରେ ସ୍ଥାନ ମିଳିଛି । ତାଙ୍କୁ ନ୍ୟାସନାଲ ଇକୋନୋମିକ କାଉନସିଲର ଉପ- ନିର୍ଦ୍ଦେଶିକା ଭାବେ ନିଯୁକ୍ତି ମିଳିଛି ।

ସମୀରା ଯେ କେବଳ ପ୍ରଥମଥର ପାଇଁ ବାଇଡେନଙ୍କ ଟିମ୍ ରେ ସାମିଲ ହୋଇଛନ୍ତି ତାହା ନୁହେଁ । ସେ ଆମେରିକାର ପୂର୍ବତନ ଲୋକପ୍ରିୟ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ସମୟରେ ଏନଇସିର ବରିଷ୍ଠ ଉପଦେଷ୍ଟା ଭାବେ ଟ୍ରେଜେରୀ ବିଭାଗରେ କାର୍ଯ୍ୟ କରିଥିଲେ । ଫେଡେରାଲ୍ ରିଜର୍ଭ ବ୍ୟାଙ୍କରେ ନିର୍ଦ୍ଦେଶିକା ଥିବା ସମୀରାଙ୍କୁ ଏବେ ଏନଇସିର ନିର୍ମାଣ, ନୂଆ ସର୍ଜନା ତଥା ଘରୋଇ ପ୍ରତିଯୋଗିତା ଦାୟିତ୍ୱ ଦିଆଯାଇଛି ।
ହାର୍ଭାଡ ଓ ୟାଲେ ଲ’ ସ୍କୁଲରୁ ଶିକ୍ଷା ଗ୍ରହଣ କରିଥିବା ସୀମରା ପ୍ରଥମରୁ ଜଣେ ଅଧ୍ୟାପିକା ଭାବେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । କହିରଖୁ କି ଏହା ପୂର୍ବରୁ ଆୟଶା ଶାହା ନାମକ ଜଣେ କାଶ୍ମୀର ମୂଳ ବାସିନ୍ଦା ବି ହ୍ୱାଇଟ୍ ହାଉସ୍ ର ଡିଜିଟାଲ ଋଣନୀତି ବିଭାଗର ପାର୍ଟନରସିପ୍ ମ୍ୟାନେଜର ଭାବେ ନିଯୁକ୍ତି ଦିଆଯାଇଥିଲା ।