ମରିନା ବିଚରେ କରୁଣାନିଧିଙ୍କ ସମାଧି ସ୍ଥଳ ନେଇ ବିବାଦ: ଜାଗା ଦେବାପାଇଁ ତାମିଲନାଡୁ ସରକାର ଅରାଜି, ମାଡ୍ରାସ ହାଇକୋର୍ଟରେ ଶୁଣାଣି

60

କନକ ବ୍ୟୁରୋ: ଚେନ୍ନାଇର ମାରିନା ବିଚରେ ପରଲୋକଗତ ଡିଏମକେ ମୁଖ୍ୟଙ୍କ ସମାଧି ହେବ ନା ନାହଁ, ଏ ନେଇ ମାଡ୍ରାସ ହାଇକୋର୍ଟ ଆଉ କିଛି ସମୟ ପରେ ନିଷ୍ପତି ନେବ । ଏ ବାବଦରେ ହାଇକୋର୍ଟରେ ଶୁଣାଣି ଆରମ୍ଭ ହୋଇଛି । କରୁଣାଙ୍କ ମୃତ୍ୟୁ ପରେ ମାରିନା ବିଚରେ ଡିଏମକେ ସମାଧିସ୍ଥଳ କରିବାକୁ ଚାହିୁଁଛନ୍ତି କିନ୍ତୁ ତାମିଲନାଡୁ ସରକାର ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି । ଏହା ପରେ ମାମଲା ମାଡ୍ରାସ ହାଇକୋର୍ଟରେ ଯାଇ ପହଂଚିଛି । ତାମିଲନାଡୁ ସରକାର ଅନ୍ୟ ସ୍ଥାନରେ ସମାଧି ପାଇଁ ଜାଗା ଦେବାକୁ ରାଜି ଅଛନ୍ତି,କିନ୍ତୁ ଡିଏମକେ ମାରିନା ବିଚରେ ସମାଧି କରିବାକୁ ଚାହିୁଁଛି । ଆଉ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଗତକାଲି ଡିଏମକେ ମୁଖ୍ୟ ଏମ.କରୁଣାନିଧିଙ୍କ ୯୪ ବର୍ଷ ବୟସରେ ପରଲୋକ ହୋଇଥିଲା

ସେପଟେ କରୁଣାନିଧିଙ୍କ ଅନ୍ତିମ ସଂସ୍କାର ଆଜି ଚେନ୍ନାଇରେ ହେବ । ଡିଏମକେ ମୁଖ୍ୟଙ୍କ ପାର୍ଥିବ ଶରୀରକୁ ବର୍ତମାନ ଚେନ୍ନାଇର ରାଜାଜୀ ହଲରେ ରଖାଯାଇଛି । ସେଠାରେ ବିଭିନ୍ନ ବର୍ଗର ଲୋକ ଓ ନେତା କରୁଣାଙ୍କୁ ଶେଷ ଦର୍ଶନ କରୁଛନ୍ତି । ଦିନ ଗୋଟାଏ ଯାଏଁ ଏହି ଶେଷଦର୍ଶନ ଚାଲିବ । ଶ୍ରଦ୍ଧାଞ୍ଜଳି ଦେବାକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଚେନ୍ନାଇ ଯିବେ । ଅନ୍ୟପଟେ ତାଙ୍କର ଶେଷକୃତ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଓ ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ସାମିଲ ହେବେ ବୋଲି ଜଣାପଡିଛି । ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ଶୋକପ୍ରକାଶ କରି କହିଛନ୍ତି, କରୁଣାନିଧିଙ୍କ ଦେହାନ୍ତରେ ଗୋଟିଏ ଯୁଗର ଅବସାନ ଘଟିଛି । କରୁଣାନିଧିଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି ଦୀର୍ଘଦିନର ଅସୁସ୍ଥତା ପରେ କରୁଣାନିଧିଙ୍କ ଚେନ୍ନାଇରେ ପରଲୋକ ହୋଇଥିଲା ।

କରୁଣାନିଧି ବାବଦରେ କିଛି ରୋଚକ କଥା

କରୁଣାନିଧିଙ୍କ ଥିଲେ ୩ ଜଣ ପତ୍ନୀ । ପ୍ରଥମ ପତ୍ନୀ ପଦ୍ମାବତୀଙ୍କ ପରଲୋକ ହୋଇଯାଇଛି ଦ୍ୱିତୀୟ ପତ୍ନୀ ଦୟାଲୁ ଆମ୍ମାଲ ଓ ତୃତୀୟ ପତ୍ନୀ ରଜତି ଆମ୍ମାଲ । କରୁଣାନିଧିଙ୍କ ୩ ପୁଅ ଓ ଦୁଇ ଝିଅ ଅଛନ୍ତି । ଏମାନଙ୍କ ମଧ୍ୟରୁ ଦ୍ୱିତୀୟ ପତ୍ନୀ ଅର୍ଥାତ ଦୟାଲୁ ଅମ୍ମାଲଙ୍କ ଦୁଇ ପୁଅ ଆଲାଗିରି ଓ ଷ୍ଟାଲିନ ରାଜନୀତିରେ ସକ୍ରିୟ ଅଛନ୍ତି । ତୃତୀୟ ପତ୍ନୀ ଅର୍ଥାତ ରଜତି ଆମ୍ମାଲଙ୍କ ଝିଅ କାନିମୋଝିି ଏବେ ରାଜ୍ୟସଭା ସାଂସଦ । ଅନ୍ୟମାନେ ଚଳଚିତ୍ର ଓ ବ୍ୟବସାୟରେ ସକ୍ରିୟ ଅଛନ୍ତି । କରୁଣାନିଧି ବହୁ ବିବାଦର ନାୟକ । ଦୁର୍ନୀତି ପାଇଁ ସରକାରିଆ କମିଶନ ତାଙ୍କୁ ଦାୟୀ କରିଥିଲେ । ଦୁର୍ନୀତି ଓ ଷଡଯନ୍ତ୍ର ଅଭିଯୋଗରେ ଇନ୍ଦିରା ଗାନ୍ଧି କରୁଣା ସରକାରକୁ ବରଖାସ୍ତ ବି କରିଥିଲେ । ଦୁର୍ନୀତି ଅଭିଯୋଗରେ ୨୦୦୧ରେ ଗିରଫ ହୋଇଥିଲେ କରୁଣାନିଧି । ଏଲଟିଟିଇ ମୁଖ୍ୟ ପ୍ରଭାକରନଙ୍କ ସହ ସମ୍ପର୍କକୁ ନେଇ ବି ବିବାଦରେ ଥିଲେ ପରଲୋକଗତ ଡିଏମକେ ମୁଖ୍ୟ । ସେ ପ୍ରଭାକରନକୁ ନିଜ ବନ୍ଧୁ ବୋଲି କହି ବିବାଦକୁ ଆସିଥିଲେ ଓ ସମାଲୋଚନାର ଶୀକାର ବି ହୋଇଥିଲେ । ଏପରିକି ସେ ଏଲଟିଟିଇକୁ ପ୍ରୋତ୍ସାହନ ଦେଉଛନ୍ତି ବୋଲି ରାଜୀବ ଗାନ୍ଧି ହତ୍ୟାକାଣ୍ଡର ତଦନ୍ତ କରୁଥିବା ଜଷ୍ଟିସ ଜୈନ କମିଶନ ବି ଦୋଷାରପ କରିଥିଲେ । ଦକ୍ଷିଣ ଭାରତରେ ହିନ୍ଦୀକୁ ବିରୋଧ କରୁଥିଲେ କରୁଣାନିଧି । ହିନ୍ଦୀ-ହଟାଅ ଆନ୍ଦୋଳନରେ ସେ ନିଜକୁ ସାମିଲ କରିଥିଲେ । ସ୍କୁଲରେ ହିନ୍ଦି ବାଧ୍ୟତାମୂଳକ କରାଯିବାକୁ ବିରୋଧ କରୁଥିଲେ କରୁଣାନିଧି ।

ରାଜନୀତିର ଶିଖର ଛୁଇଁଥିବା କରୁଣାନିଧି ତାମିଲ ସାହିତ୍ୟରେ ନିଜ ଉଲ୍ଲେଖନୀୟ ଯୋଗଦାନ ପାଇଁ ଖୁବ୍ ପ୍ରସିଦ୍ଧ ଥିଲେ । କବିତା, ସଂଲାପ, ଉପନ୍ୟାସ, ଐତିହାସିକ ଉପନ୍ୟାସ, ମଂଚ ନାଟକ ଓ ଗୀତ ଲେଖିବାରେ ମାହିର ଥିଲେ କରୁଣାନିଧି । ତାମିଲ ଭାଷାରେ ଅନେକ ଲୋକପ୍ରୀୟ ପୁସ୍ତକର ରଚୟିତା ଥିଲେ ଏମ କରୁଣାନିଧି । ଏହା ବ୍ୟତୀତ କଳା ପ୍ରତି ମଧ୍ୟ ଥିଲା ତାଙ୍କର ଅହେତୁକ ଦୁର୍ବଳତା । ଖବର କାଗଜ ସମ୍ପାଦକ ଓ ପ୍ରଶାସକ ଭାବେ ମଧ୍ୟ କରୁଣାନିଧି ଥିଲେ ବିଶେଷ ଲୋକପ୍ରୀୟ । ଭାଷା ଆଧାରରେ ତାମିଲନାଡୁକୁ ଗୁରୁତ୍ୱ ଦେବା ତାଙ୍କୁ ଘରେ ଘରେ ଲୋକପ୍ରୀୟତା ଆଣି ଦେଇଥିଲା ।

ତାମିଲ ରାଜନୀତିର ଦୁଇ ମହାନ ତାରକା ଜୟଲଳିତା ଓ କରୁଣାନିଧି

ଉଭୟଙ୍କ ମଧ୍ୟରେ ଅନେକ ପ୍ରସଙ୍ଗକୁ ନେଇ ମତଭେଦ ଦେଖିବାକୁ ମିଳିଥିଲା । ଜୟଲଳିତା ଥିଲେ କଳାକାର । କରୁଣାନିଧି ଥିଲେ ଜଣେ କବି । ଲୋକପ୍ରିୟତା ଦୃଷ୍ଟିରୁ କେହି କାହାରିକୁ କମ୍ ନଥିଲେ । ଭଲ ବକ୍ତା ଭାବେ ମଧ୍ୟ କରୁଣାନିଧିଙ୍କ ରହିଥିଲା ସ୍ୱତନ୍ତ୍ର ପରିଚୟ । କୁହାଯାଏ ଅତିତରେ କରୁଣାନିଧିଙ୍କ କବିତା ଶୁଣିବାକୁ ଜୟଲଳିତା ମଧ୍ୟ ଅପେକ୍ଷା କରୁଥିଲେ । ତାମିଲ ରାଜନୀତି ସହ ଜଡିତ ଲୋକ ଖୁବ ଭଲ ଭାବରେ ଜାଣନ୍ତି ଯେ, ରାଜନୀତିକୁ ନେଇ ଉଭୟେ କିପରି ଶତ୍ରୁତା ରହିଥିଲା ।