କାର୍ତ୍ତିକ ପୂର୍ଣ୍ଣିମାରେ ପୁରୀ ଶ୍ରୀମନ୍ଦିରେ ଶ୍ରୀଜିଉଙ୍କ ସୁନାବେଶ । କରେନା କଟକଣା ଯୋଗୁଁ ଭକ୍ତଙ୍କୁ ଦର୍ଶନ ମନା

ବଡ଼ଦାଣ୍ଡରୁ ପତିତପାବନଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

137

କନକ ବ୍ୟୁରୋ : ପବିତ୍ର କାର୍ତ୍ତିକ ପୁଣ୍ଣିମାରେ କରୋନା କଟକଣା ପାଇଁ ଚଳିତ ବର୍ଷ ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କୁ ଦର୍ଶନ ବାରଣ କରାଯାଇଛି । ଫଳରେ ବାହାରୁ ପତିତପାବନ ଦର୍ଶନ କରି ଭକ୍ତଙ୍କୁ ସନ୍ତୁଷ୍ଟ ହେବାକୁ ପଡ଼ୁଛି । ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ରାଜାରାଜେଶ୍ୱର ତଥା ସୁନା ବେଶ । କାର୍ତ୍ତିକ ପୁଣ୍ଣିମାରେ ପାମ୍ପାରିକ ରୀତି ନୀତି ଅନୁସାରେ ରତ୍ନସିଂହାସନରେ ସୁନାବେଶରେ ଶ୍ରୀଜିଉଙ୍କ ଦର୍ଶନ ମିଳେ । କିନ୍ତୁ କରୋନା କଟକଣା ପାଇଁ ଏବର୍ଷ ସାଧାରଣ ଦର୍ଶନ ବନ୍ଦ ରହିଛି ।

ବିଳମ୍ବିତ ରାତିରେ ଶ୍ରୀମନ୍ଦିର ଦ୍ୱାର ଫିଟିବା ପରେ ମଙ୍ଗଳ ଆଳତି, ମଇଲମ,ତଡ଼ପଲାଗି ଓ ଅବକାଶ ନୀତି ବଢିବା ପରେ ସିଂହାରୀ ସେବାୟତ ମାନେ ମହାପ୍ରଭୁଙ୍କୁ ସୁନା ବେଶରେ ସଜିତ କରିଥିଲେ । ଭଣ୍ଡାର ମେକାପ ରତ୍ନଭଣ୍ଡାରରୁ ଅଳଙ୍କାର ବାହାର କରିବା ପରେ ସିଂହାରୀ ସେବାୟତ ମାନେ ମହାପ୍ରଭୁଙ୍କୁ ଲାଗି କରିଥିଲେ । ସେବକମାନେ ବିଭିନ୍ନ ରତ୍ନ ଅଳଙ୍କାର ଓ ପାଟବସ୍ତ୍ରରେ ଶ୍ରୀଜିଉଙ୍କୁ ସୁନାବେଶରେ ସଜାଇଥାଆନ୍ତି । ଏହି ବେଶରେ ଠାକୁର ମାନେ ଶ୍ରୀଭୁଜ, କିରୀଟ, ଶ୍ରୀପୟର, ଓଡ଼ିଆଣୀ, ଚନ୍ଦ୍ର ସୂର୍ଯ୍ୟ, କୁଣ୍ଡଳ, ଚିତା, ଚନ୍ଦିକା,ଶଂଖ, ଚକ୍ର, ହଳ, ମୁଷଳ, ତ୍ରିଶାଖା, ଅଳକା, ତଡ଼ଗି, ଶ୍ରୀମୁଖ ପଦ୍ମ, ଘାଗଡ଼ା ମାଳି, କଦମ୍ବ ମାଳି ଆଦି ବିଭିନ୍ନ ପ୍ରକାର ଅଳଙ୍କାର ଧାରଣ କରନ୍ତି ।