କରୋନା ଛଡେଇ ନେଲା ଶିକ୍ଷୟତ୍ରୀ ଚାକିରି । ଏବେ ବିଏମସି ସଫେଇ ଗାଡି ଚଳାଇ ପରିବାର ପୋଷୁଛନ୍ତି ସ୍ମୃତିରେଖା ବେହେରା ।

203

କନକ ବ୍ୟୁରୋ: ମହାମାରୀ କରୋନା ଅନେକଙ୍କ ରୋଜଗାର ଛଡାଇ ନେଇଛି । ଆର୍ଥିକ ଅନଟନ ଭିତରେ ପରିବାର ପୋଷିବା କଷ୍ଟକର ହୋଇପଡୁଥିବାବେଳେ ଅଧିକାଂଶ ଲୋକ ସଂଘର୍ଷ ଜାରି ରଖିଛନ୍ତି । ବିକଳ୍ପ ରୋଜଗାର ବାଛି କେଷ୍ଟମଷ୍ଟେ ଚଳିଯାଉଛନ୍ତି । … ଏମିତି ଜଣେ ମହିଳାଙ୍କ କାହାଣୀ ସାମ୍ନାକୁ ଆସିଛି, ଯିଏ ଜୀବନ ଯୁଦ୍ଧରେ ହାରି ଯାଇନାହାନ୍ତି । ବରଂ ପରିବାରର ଗୁଜୁରାଣ ମେଂଟାଇବାକୁ ଅଳିଆ ଉଠା ଗାଡି ଧରି ବାହାରି ଯାଉଛନ୍ତି ।

ଭୁବନେଶ୍ୱରର ସ୍ମୃତିରେଖା ବେହେରା । ଏକ ଘରୋଇ ସ୍କୁଲରେ ପ୍ଲେ-ଗ୍ରୁପ ଓ ନର୍ସରି ପିଲାଙ୍କୁ ପାଠ ପଢାଉଥିଲେ । ଶାଶୂଘରେ ସ୍ୱାମୀ ଓ ଦୁଇ ପିଲାଙ୍କ ସହ ରହୁଥିବାବେଳେ କରୋନା ମହାମାରୀ ଯୋଗୁଁ ଚାକିରି ହରାଇବାକୁ ପଡିଲା । ସ୍କୁଲରେ ଶ୍ରେଣୀଗୃହ ପାଠପଢା ବନ୍ଦ ହୋଇଯିବା ସହ ଅନଲାଇନ ଶିକ୍ଷାଦାନ ପାଇଁ ରାଜି ହୋଇନଥିଲେ ସ୍କୁଲ କର୍ତୃପକ୍ଷ । କରୋନା ଯୋଗୁଁ ଟ୍ୟୁସନ କରି ପରିବାର ପୋଷିବା ମଧ୍ୟ ସମ୍ଭବ ହେଲାନାହିଁ । ଏଭଳି ସ୍ଥିତିରେ କେମିତି ଚଳିବ ପରିବାର, ସ୍ମୃତିରେଖାଙ୍କ ମୁଣ୍ଡରେ ଚଡକ ପଡିଥିଲା । କୌଣସି ଉପାୟ ନପାଇ ବିଏମସିର ଅଳିଆ ଉଠା ଗାଡି ଚଳାଇବାକୁ ସେ ବାଧ୍ୟ ହେଲେ ।

ଏବେ ପ୍ରତିଦିନ ବିଏମସିର ‘ମୁଁ ସଫେଇ ବାଲା’ ଗାଡି ଧରି ବାହାରି ଯାଉଛନ୍ତି ସ୍ମୃତିରେଖା । ସକାଳ ୫ଟାରୁ ଦିନ ଗୋଟାଏ ଭିତରେ ଅଳିଆ ନେଇ ଡମ୍ପିୟାର୍ଡରେ ପକାଉଛନ୍ତି । ତାଙ୍କ କହିବା ହେଲା, ସ୍ୱାମୀ ଏକ ଘରୋଇ ସଂସ୍ଥାରେ କାମ କରୁଥିବାବେଳେ କରୋନା ଯୋଗୁଁ ଠିକରେ ପଇସା ମିଳୁନାହିଁ । ଦୁଇ ଝିଅଙ୍କ ମୁହଁରେ ହସ ଫୁଟାଇବାକୁ ସେ ଏହି ସଫେଇବାଲାର ଭୂୂମିକାକୁ ଓହ୍ଲାଇ ଆସିଛନ୍ତି ।