କର୍ଣ୍ଣାଟକ ବିଧାନସଭାକୁ ମିଡିଆ ମନା: ଗୃହକାର୍ଯ୍ୟର ସିଧାପ୍ରସାରଣ ଉପରେ କଟକଣା, ସାମ୍ବାଦିକଙ୍କୁ ପରେ ଦିଆଯିବ ଭିଡିଓ

317

କନକ ବ୍ୟୁରୋ: ପୁଣି ଚର୍ଚ୍ଚାରେ କର୍ଣ୍ଣାଟକ ବିଧାନସଭା । ବିଗତ କିଛି ଦିନ ତଳେ ନୂଆ ନୂଆ ରାଜନୈତିକ ନାଟକ ପାଇଁ କର୍ଣ୍ଣାଟକ ବିଧାନସଭା ଚର୍ଚ୍ଚାରେ ରହିଥିବା ବେଳେ ଏବେ ପୁଣି ଗଣମାଧ୍ୟମକୁ ବ୍ୟାନ କରି ଚର୍ଚ୍ଚାର ପରିସରକୁ ଆସିଛି । ତେବେ କର୍ଣ୍ଣାଟକ ବିଧାନସଭାର ସିଧାପ୍ରସାରଣ ଉପରେ କଟକଣା ଲଗାଯାଇଛି । ଗୃହକାର୍ଯ୍ୟର ସିଧାପ୍ରସାରଣ ଉପରେ କଟକଣା ଲଗାଇଛନ୍ତି କର୍ଣ୍ଣାଟକ ବିଧାନସଭା ବାଚସ୍ପତି ବିଶେଶ୍ୱର ହେଗ୍‌ଡେ କାଗେରି।

ବିଧାନସଭାରେ ସିଧାପ୍ରସାରଣ ନକରିବାକୁ ସେ ଟିଭି ଚ୍ୟାନେଲ୍‌ଗୁଡ଼ିକୁ ଆଗରୁ ସୂଚୀତ କରାଇଥିଲେ । ବାଚସ୍ପତି ହେଗ୍‌ଡେ ବିଧାନସଭା ଗୃହର ମିଡିଆ ଗ୍ୟାଲେରିକୁ କ୍ୟାମେରାମ୍ୟାନ୍‌ଙ୍କ ପ୍ରବେଶ ଉପରେ ବ୍ୟାନ୍‌ ଲଗାଇଛନ୍ତି। ମାତ୍ର ବିଧାନସଭା କାର୍ୟ୍ୟବାହୀର ଭିଡିଓ ପରବର୍ତ୍ତୀ ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ତେବେ, ସେ କ’ଣ ପାଇଁ ଏପରି ନିଷ୍ପତ୍ତି ନେଇଛନ୍ତି ତାହା ଏଯାବତ ଜଣାପଡ଼ି ନାହିଁ।

ଉଲ୍ଲେଖଯୋଗ୍ୟ, ଗତ ଦୁଇ ବର୍ଷ ମଧ୍ୟରେ କର୍ଣ୍ଣାଟକ ବିଧାନସଭାରେ ଗୁଡ଼ାଏ ବେନିୟମ କାର୍ୟ୍ୟ ହେଉଥିବାର ଦେଖିବାକୁ ମିଳିଛି। ଗୃହରେ ତିକ୍ତ ଭାଷଣରୁ ନେଇ ଆସ୍ଥା ଭୋଟ୍‌ ସମୟରେ କିପରି ମୁଖ୍ୟମନ୍ତ୍ରୀ ଭରସା ହାରିଥିଲେ ତାହା ସବୁ ଟିଭିରେ ସିଧାପ୍ରସାରଣ ହୋଇଥିଲା। ତେବେ, ଏଣିକି ଗୃହର ସମସ୍ତ ଗୋପନ କଥାକୁ ଏପରି ସିଧାସଳଖ ସର୍ବସାଧାରଣଙ୍କ ସମ୍ମୁଖରେ ନଆଣିବାକୁ ବାଚସ୍ପତି ଏପରି ନିଷ୍ପତ୍ତି ନେଇଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି।