କିଏ ହେବ କର୍ଣ୍ଣାଟକର କିଙ୍ଗ୍? ଆଉ କିଛି ସମୟ ପରେ ବିଧାନସଭାରେ ଅସ୍ଥା ଭୋଟ୍ ଲୋଡିବେ କୁମାରସ୍ୱାମୀ ସରକାର

୧୫ ବିଦ୍ରୋହୀ ବିଧାୟକଙ୍କ ଉପରେ ନଜର; ବହୁମତ ଥିବା ଦାବି କଲା ବିଜେପି

102

କନକ ବ୍ୟୁରୋ: ଆଜି କର୍ଣ୍ଣାଟକ ବିଧାନସଭାରେ ଆସ୍ଥା ଭୋଟ୍ । କିଏ ହେବ କର୍ଣ୍ଣାଟକର କିଙ୍ଗ୍ , ତାହା ଆଜି ସ୍ପଷ୍ଟ ହେବ । କର୍ଣ୍ଣାଟକ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବେ କୁମାରସ୍ୱାମୀ ସରକାର । ୧୫ ବିଦ୍ରୋହୀ ବିଧାୟକଙ୍କ ଉପରେ ରହିଛି ସମସ୍ତଙ୍କ ନଜର । ବିଦ୍ରୋହୀଙ୍କ ଇସ୍ତଫା ମଂଜୁର ହେଲେ କିମ୍ବା ତାଙ୍କୁ ଅଯୋଗ୍ୟ ଘୋଷିତ କରାଗଲେ, କିମ୍ବା ସେମାନେ ଆସ୍ଥା ଭୋଟରେ ସାମିଲ ନହେଲେ କୁମାରସ୍ୱାମୀ ସରକାରକୁୁ ୧୦୪ ସଂଖ୍ୟା ସାବ୍ୟସ୍ତ କରିବା କଷ୍ଟକର ହୋଇଯିବ ।

ଏବେ ସରକାରଙ୍କ ନିକଟରେ ୧୦୦ ବିଧାୟକଙ୍କ ସମର୍ଥନ ରହଥିବାରୁ ଆସ୍ଥା ଭୋଟରେ କୁମାରସ୍ୱାମୀ ବିଜୟୀ ହେବା ନେଇ ସଂକଟ ଦେଖାଦେଇଛି । ସେପଟେ ସଂଖ୍ୟା ଗରିଷ୍ଠତା ତାଙ୍କ ପାଖରେ ଥିବା ଦାବି କରିଛି ବିଜେପି । ବିଜେପି ନିକଟରେ ୧୦୫ ବିଧାୟକ ସହିତ ୨ ନିର୍ଦ୍ଦଳୀୟ ବିଧାୟକଙ୍କ ସମର୍ଥନ ଥିବାରୁ ୧୦୭ ସଂଖ୍ୟା ସହିତ ବିଜେପି ସରକାର ଗଠନ ପାଇଁ ଫ୍ରଣ୍ଟ ଫୁଟରେ ରହିଛି । ସେପଟେ ଆସ୍ଥା ଭୋଟକୁ ନଜରରେ ରଖି ବିଧାନସଭା ନିକଟବର୍ତ୍ତୀ ଅଂଚଳରେ ଜାରି ହୋଇଛି ୧୪୪ ।

କର୍ଣ୍ଣାଟକରେ ସମୀକରଣ କଣ

• କର୍ଣ୍ଣାଟକରେ ବାଚସ୍ପତିଙ୍କୁ ଛାଡି ବିଧାୟକଙ୍କ ସଂଖ୍ୟା ୨୨୩ । ସଂଖ୍ୟାଗରିଷ୍ଠତା ପାଇଁ ଆବଶ୍ୟକ ସଂଖ୍ୟା ୧୧୨ । କଂଗ୍ରେସର ୭୮, ଜେଡିଏସର ୩୭ ଓ ଜଣେ ବିଏସପି ବିଧାୟକଙ୍କ ସଂଖ୍ୟା ମିଶାଇ କୁମାରସ୍ୱାମୀ ସରକାରଙ୍କ ପାଖରେ ଏବେ ୧୧୬ବିଧାୟକ ଅଛନ୍ତି । କିନ୍ତୁ ଏଥିରୁ ୧୬ଜଣ ବିଧାୟକ ଇସ୍ତଫା ଦେଇସାରିଛନ୍ତି । ଏମାନଙ୍କ ଇସ୍ତଫା ମଂଜୁର ହେଲା ପରେ ମ୍ୟାଜିକ ନମ୍ବର ୧୦୪ ହେବ । ଏବଂ ସରକାରଙ୍କ ନିକଟରେ ୧୦୦ଜଣ ବିଧାୟକ ରହିବେ । କିନ୍ତୁ ବିଜେପି ନିକଟରେ ୧୦୫ବିଧାୟକ ଅଛନ୍ତି ଏବଂ ୨ନିର୍ଦ୍ଦଳୀୟ ବିଧାୟକଙ୍କ ସମର୍ଥନ ବି ରହିଛି ।

• ସେହିଭଳି ବିଦ୍ରୋହୀ ବିଧାୟକଙ୍କୁ ବାଚସ୍ପତି ଅଯୋଗ୍ୟ ଘୋଷଣା କଲେ ଆସ୍ଥା ଭୋଟ ବେଳେ ସଂଖ୍ୟାଗରିଷ୍ଠତା ପ୍ରମାଣ ପାଇଁ ସରକାରଙ୍କୁ ୧୦୪ମ୍ୟାଜିକ ନମ୍ବର ଛୁଇଁବାକୁ ହେବ । ଏହି ସଂଖ୍ୟା ମେଂଟ ସରକାରଙ୍କ ପାଖରେ ନଥିବାରୁ ସରକାର ଭାଙ୍ଗିବାର ସମ୍ଭାବନା ରହିଛି ।

• ଆସ୍ଥା ଭୋଟ ବେଳେ ୧୬ଜଣ ବିଦ୍ରୋହୀ ବିଧାୟକ ସରକାରଙ୍କ ବିରୋଧରେ ଭୋଟିଂ କଲେ ସରକାରଙ୍କ ସପକ୍ଷରେ ୧୦୦ ଭୋଟ୍ ରହିବ । ଏହି ସଂଖ୍ୟା ମ୍ୟାଜିକ ନମ୍ବର ୧୧୨ରୁ କମ୍ । ଏପରିସ୍ଥିତିରେ କୁମାରସ୍ୱାମୀଙ୍କ ସରକାର ଭାଙ୍ଗିବ ଏବଂ ସରକାର ବିରୋଧରେ ଭୋଟ ଦେଇଥିବା ଯୋଗୁଁ ବିଧାୟକଙ୍କ ସଦସ୍ୟତା ରଦ୍ଦ ହେବ ।

• ବାଗି ବିଧାୟକ ଗୃହରେ ଅନୁପସ୍ଥିତ ରହିଲେ ଆସ୍ଥା ଭୋଟ୍ ସମୟରେ ଗୃହରେ ୨୦୭ସଦସ୍ୟ ଉପସ୍ଥିତ ରହିବେ । ସଂଖ୍ୟାଗରିଷ୍ଠତା ପାଇଁ ଆବଶ୍ୟକ ସଂଖ୍ୟା ୧୦୪ । କିନ୍ତୁ ବିଧାୟକଙ୍କ ଅନୁପସ୍ଥିତରେ ସରକାରଙ୍କ ସପକ୍ଷରେ କେବଳ ୧୦୦ଭୋଟ୍ ପଡିବ । ଏପରି ସ୍ଥିତିରେ ବି ସରକାର ଭାଙ୍ଗିବ ।

• ଆସ୍ଥା ଭୋଟରେ କୁମାରସ୍ୱାମୀ ସରକାର ସଂଖ୍ୟାଗରିଷ୍ଠତା ପ୍ରମାଣରେ ବିଫଳ ହେଲେ ସରକାର ଭାଙ୍ଗିବ । ଏବଂ ବିଜେପି ରାଜ୍ୟପାଳ ବାଜୁଭାଇ ବାଲାଙ୍କୁ ସାକ୍ଷାତ କରି ସରକାର ଗଠନର ଦାବି କରିବ । ତେବେ କର୍ଣ୍ଣାଟକରେ ମେଂଟ ସରକାର ଭାଙ୍ଗିଲେ ୩ ଦିନ ଭିତରେ ବିଜେପି ସରକାର ଗଠନ କରିବ ବୋଲି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପା କହିସାରିଛନ୍ତି ।