ସିଦ୍ଦରମୈୟାଙ୍କ ଶପଥ ପରେ ରାହୁଲ ଗାନ୍ଧୀଙ୍କ ବୟାନ । କହିଲେ, ୨ ଘଣ୍ଟାରେ ପୂରଣ ହେବ ୫ ପ୍ରତିଶ୍ରୁତି

452

କନକ ବ୍ୟୁରୋ : କଂଗ୍ରେସର ବରିଷ୍ଠ ନେତା ସିଦ୍ଦରମୈୟା ଆଜି କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସେ ଦ୍ୱିତୀୟଥର ପାଇଁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦରେ ବସିଛନ୍ତି । ସେପଟେ କର୍ଣ୍ଣାଟକ କଂଗ୍ରେସର ମୁଖ୍ୟ ଡି.କେ ଶିବ କୁମାର ଉପ ମୁଖ୍ୟମନ୍ତ୍ରୀ ଓ କ୍ୟାବିନେଟର ୮ଜଣ ମନ୍ତ୍ରୀ ଆଜି ଶପଥ ନେଇଛନ୍ତି । ଶପଥ ଗ୍ରହଣ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜନତାଙ୍କୁ ସମ୍ବୋଧିତ କରି କହିଛନ୍ତି କି, ଆଗାମୀ ୨ ଘଣ୍ଟା ମଧ୍ୟରେ କର୍ଣ୍ଣାଟକ ଜନତାଙ୍କୁ କଂଗ୍ରେସ ଦେଇଥିବା ୫ଟି ମୁଖ୍ୟ ପ୍ରତିଶ୍ରୁତି ଆଇନରେ ପରିଣତ ହେବାକୁ ଯାଉଛି ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି କି, ଆଗାମୀ ୧ ଘଣ୍ଟାରେ କର୍ଣ୍ଣାଟକ ନୂଆ ସରକାର କ୍ୟାବିନେଟ ବୈଠକ ବସିବାକୁ ଯାଉଛି । ଏହି ବୈଠକରେ ଦଳ ପକ୍ଷରୁ ନିର୍ବାଚନ ବେଳେ କର୍ଣ୍ଣାଟକବାସୀଙ୍କୁ ଯେଉଁ ୫ଟି ମୁଖ୍ୟ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ପୂରଣ ହେବାକୁ ଯାଉଛି । ଆମେ ଯାହା କହିଥାଉ ତାହା କାମରେ କରି ଦେଖାଉ ବୋଲି ସେ କହିଛନ୍ତି । ଏହାସହ ଭାରତ ଯୋଡ ଯାତ୍ରା ବେଳେ ରାହୁଲ ଗାନ୍ଧୀ କହିଥିଲେ କି ଘୃଣାର ବଜାର ବନ୍ଦ ହେବ ଓ ପ୍ରେମର ଦୋକାନ ଖୋଲିବ । ତାହା ଆଜି ବି ସେ ଦୋହରାଇଛନ୍ତି । ସେ କହିଛନ୍ତି ଘୃଣାର ବଜାର ଭିତରେ ଲକ୍ଷ ଲକ୍ଷ ପ୍ରେମର ଦୋକାନ ଆଜି କର୍ଣ୍ଣାଟକରେ ଖୋଲିଛି ।

ରାହୁଲ ଗାନ୍ଧୀ ଆହୁରି କହିଛନ୍ତି କର୍ଣ୍ଣାଟକ ଜନତାଙ୍କୁ ମୋ ତରଫରୁ ଓ କଂଗ୍ରେସ ପାର୍ଟି ତରଫରୁ ହୃଦୟରୁ ଅଭିନନ୍ଦନ । ଗତ ୫ବର୍ଷ ମଧ୍ୟରେ କର୍ଣ୍ଣାଟକବାସୀ ଯେଉଁସବୁ ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି ତାହା ଜନତା ଓ ଆମେ ଜାଣିଛୁ । ଏହା ସହ ଗଣମାଧ୍ୟମର ପ୍ରଶ୍ନ ଥିଲା କି କଂଗ୍ରେସ କାହିଁକି କର୍ଣ୍ଣାଟକରେ ବିଜୟଲାଭ କଲା । ଏହାର ଉତ୍ତରରେ ରାହୁଲ ଗାନ୍ଧୀ କହିଛନ୍ତି କି କଂଗ୍ରେସ କର୍ଣ୍ଣାଟକରେ ପଛୁଆ, ଦଳିତ ଓ ଗରିବଙ୍କ ସ୍ନେହ ଓ ଭଲପାଇବା ଯୋଗୁଁ ବିଜୟଲାଭ କରିଛି ।