ସନ୍ଧ୍ୟା ସୁଦ୍ଧା ବଦଳି ପାରନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ । ଦୌଡରେ ଆଗରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ

174

କନକ ବ୍ୟୁରୋ : କର୍ଣ୍ଣାଟକରେ ନେତୃତ୍ୱ ପରିବର୍ତ୍ତନ ନେଇ ରାଜନୀତି ଜୋର ଧରିଛି । ଏନେଇ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୂୟେରପ୍ପା କହିଛନ୍ତି କି ତାଙ୍କର ରାଜନୈତିକ ଭବିଷ୍ୟତ ନେଇ ଆଜି ସନ୍ଧ୍ୟା ସୁଦ୍ଧା ବିଜେପି ହାଇକମାଣ୍ଡ ନିଷ୍ପତ୍ତି ନେଇ ପାରିନ୍ତି । କହିରଖୁ କି ୭୮ ବର୍ଷିୟ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦୂୟେରପ୍ପା ଚଳିତ ମାସ ପ୍ରାରମ୍ଭରେ ଦିଲ୍ଲୀ ଗସ୍ତ କରିଥିଲେ । ସେଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଓ ଅନ୍ୟ ବରିଷ୍ଠ ନେତାମାନଙ୍କୁ ଭେଟିଥିଲେ । ସେବେଠାରୁ କର୍ଣ୍ଣାଟକରେ ନେତୃତ୍ୱ ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି । ଗୋଟିଏ ପଟେ ୟେଦୂୟେରପ୍ପାଙ୍କ ବୟସ ଅଧିକ ହୋଇଥିବାରୁ ତାଙ୍କୁ ଦଳ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦେବ ବୋଲି ଅନୁମାନ କରାଯାଉଛି ।

ଅନ୍ୟପଟେ କର୍ଣ୍ଣାଟକରେ ଜଣେ ଦଳିତ ନେତାଙ୍କୁ ମୁଖ୍ୟମନ୍ତୀ କରାଯିବା ନେଇ ଉଠିଥିବା ପ୍ରଶ୍ନର ଉତର ଦେଇ ୟେଦୂୟେରପ୍ପା କହିଛନ୍ତି କି ଏନେଇ ହାଇକମାଣ୍ଡ ନିଷ୍ପତ୍ତି କରିବେ । ଅନ୍ୟପଟେ ନିଜ ବାବଦରେ ସଫେଇ ଦେଇ ସେ କହିଛନ୍ତି କି ଲୋକମାନେ ଯଦି ମୋ କାମରେ ସନ୍ତୋଷ୍ଟ ଅଛନ୍ତି ତେବେ ତାହା ମୋ ପାଇଁ ଯଥେଷ୍ଟ ।

ସେପଟେ ୟେଦୁୟେରପ୍ପାଙ୍କ ପରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ପ୍ରହ୍ଲାଦ ଯୋଶୀ କାର୍ଯ୍ୟଭାର ସମ୍ଭାଳୀ ପାରନ୍ତି ବୋଲି ହେଉଥିବା ଆଲୋଚନାକୁ ନେଇ ଶ୍ରୀ ଯୋଶୀ କହିଛନ୍ତି କି ଏନେଇ କେନ୍ଦ୍ରୀୟ ନେତୃତ୍ୱଙ୍କ ନିକଟରୁ କିଛି ସୂଚନା ମିଳିନାହିଁ । ଏହା କେବଳ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।