କାର୍ଗିଲରେ ପାକିସ୍ତାନ ସହ ଲଢିଲାବେଳେ ପରିସ୍ରା ପିଇଥିଲେ ଭାରତୀୟ ସୈନ୍ୟ । ବିଜୟ ଦିବସରେ ଅବସରପ୍ରାପ୍ତ ଓଡିଆ ଯବାନ ବଖାଣିଲେ କାର୍ଗିଲ ଯୁଦ୍ଧର କାହାଣୀ

62

କନକ ବ୍ୟୁରୋ : ଆଜି ସାରା ଦେଶ ପାଳୁଛି ବିଜୟ ଦିବସ । ୧୯୯୯ ମସିହାରେ ଆଜିର ଦିନରେ ପାକିସ୍ତାନକୁ ପରାଜିତ କରି କାର୍ଗିଲରେ ବିଜୟର ଧ୍ୱଜ ଉଡାଇଥିଲା ଭାରତ । ୫୦୦ରୁ ଉଦ୍ଧ୍ୱର୍ ଭାରତୀୟ ଜବାନ ଶହୀଦ ହୋଇଥିବା ବେଳେ ପାକିସ୍ତାନ ହରାଇଥିଲା ୪୦୦୦ରୁ ଅଧିକ ସୈନ୍ୟ । ପ୍ରତିକୂଳ ପରିସ୍ଥିତିରେ ଭାରତୀୟ ଜବାନ ଦେଖାଇଥିଲେ ତାଙ୍କର ପରାକାଷ୍ଠା । ଏପରିକି ଖାଦ୍ୟ ସରିଯିବା ପରେ ନିଜ ପରିସ୍ରାକୁ ପିଇ ଦେଶକୁ ଆଣିଥିଲେ ଏହି ଐତିହାସିକ ବିଜୟ । କାର୍ଗିଲ ଯୁଦ୍ଧର କିଛି ଅଳୁହା କାହାଣୀକୁ କନକ ନ୍ୟୁଜ ସମ୍ମୁଖରେ ବଖାଣିଛନ୍ତି ଯୁଦ୍ଧ କ୍ଷେତ୍ରରେ ଲଢେଇ କରୁଥିବା କିିଛି ଓଡିଆ ଅଫିସର ।

ଜାମ୍ମୁ-କାଶ୍ମୀରର କାର୍ଗିଲ ସେକ୍ଟର । ଏଲଓସି ବା ଭାରତୀୟ ସୀମା ମଧ୍ୟକୁ ପଶିଆସିଥାନ୍ତି ପାକିସ୍ତାନୀ ସେନା । ଯାହାର ଜବାବ ଦେବାକୁ ପହଂଚି ଯାଇଥିଲେ ଭାରତୀୟ ଯବାନ । ସମୁଦ୍ର ପତନଠାରୁ ପ୍ରାୟ ୧୮ ହଜାର ଫୁଟ ଉଚ୍ଚ ଏବଂ ମାଇନସ ୪୮ ଡିଗ୍ରୀ ସେଲସିଅସ ତାପମାତ୍ରାରେ ଶତ୍ରୁସୈନ୍ୟର ମୁକାବିଲା କରିବା ହୁଏତ ବିଶ୍ୱର ଯେକୌଣସି ସେନା ପାଇଁ ମୁସ୍କିଲ । ହେଲେ ମାଟି ମାଆର ସୁରକ୍ଷା ପାଇଁ ସାମାନ୍ୟ ବିଚଳିତ ହୋଇନଥିଲା ଭାରତୀୟ ସେନା । ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ୱେ କିଭଳି ଶତ୍ରୁର ମୁକାବିଲା କରିଥିଲେ ତାହା ବଖାଣିଥିଲେ ପୂର୍ବତନ ବରିଷ୍ଠ ଓଡିଆ ସେନା ଅଧିକାରୀ ମାନେ ।

ପାଖରେ ଖାଦ୍ୟ ନଥିଲା । ଉପରେ ଚକ୍କର କାଟୁଥିଲା ଶତ୍ରୁ ସେନାର ହେଲିକପ୍ଟର । ଆଉ ମାଇନସ ୪୮ ଡିଗ୍ରୀ ସେଲସିଅସ ତାପମାତ୍ରାରେ ନିଜକୁ ବଂଚାଇ ରଖିବା ପାଇଁ ନିଜ ପରିସ୍ରା ପିଇବାକୁ ବାଧ୍ୟ ହୋଇଥିଲେ ଭାରତୀୟ ଯବାନ । ଅପେକ୍ଷା କରି ରହିଥିଲେ ସାଥୀ ସୈନିକଙ୍କ ସହାୟତାକୁ । କାରଣ ଟିକିଏ ହଲଚଲ ହେଲେ ଉପର ମୁଣ୍ଡରେ ବସିଥିବା ପାକିସ୍ତାନ ପଟୁ ହେଉଥିଲା ଗୁଳିବର୍ଷଣ ।ଦିନ ବଢୁଥାଏ ଆଉ ଜୋର ଧରୁଥାଏ ଲଢେଇ । ଆତଙ୍କବାଦୀ ଅନୁପ୍ରବେଶ ଆଳରେ ପାକିସ୍ତାନ ୪ହଜାରରୁ ଅଧିକ ସୈନିକଙ୍କୁ ପଠାଇ କାର୍ଗିଲ ଘାଟି ଉପରେ କବଜା କରିସାରିଥାଏ । ୧୯୯୯ ମେ’ରୁ ଜୁଲାଇ ମଧ୍ୟରେ ଯେଉଁ ରକ୍ତାକ୍ତ ସଂଘର୍ଷ ହେଲା ସେଥିରେ ଉଭୟ ପକ୍ଷର ଭୀଷଣ କ୍ଷୟକ୍ଷତି ହେଲା । ଆଉ ସେନା ଛାଉଣୀରେ ରହି ଆହତ ଯବାନଙ୍କ ଚିକିତ୍ସା କରୁଥିଲେ ଜଣେ ଓଡିଆ ଡାକ୍ତର ଆଡମିରାଲ ସଲିଲ କୁମାର ମହାନ୍ତି ।

ପ୍ରାୟ ଦୁଇମାସର ରକ୍ତାକ୍ତ ସଂଘର୍ଷ ଓ ଭାରତୀୟ ସେନାର ମୁହଁତୋଡ ଜବାବ ସହ ପ୍ରବଳ ଅନ୍ତର୍ଜାତୀୟ ଚାପ ପରେ ପଛକୁ ହଟିଗଲେ ପାକ ସୈନ୍ୟ । ହେଲେ ଆଶ୍ଚର୍ଯ୍ୟ ଜନକ ଭାବେ ଜୁଲାଇ ୨୬ରେ ଯୁଦ୍ଧ ବିରତୀ ଘୋଷଣା ହେଲାବେଳକୁ ନିଜ ଦେଶର ସୈନିକଙ୍କ ମରଶରୀର ନେବାକୁ ମନା କରିଦେଇଥିଲା ପାକିସ୍ତାନ । କିନ୍ତୁ ଭାରତୀୟ ସେନା ଶହୀଦ ହୋଇଥିବା ପାକିସ୍ତାନ ସେନାଙ୍କ ମରଶରୀରକୁ ପାକିସ୍ତାନର ଜାତୀୟ ପତାକରେ ଘୋଡାଇ ସମ୍ମାନର ସହ ଅନ୍ତିମ ସଂସ୍କାର ମଧ୍ୟ କରିଥିଲେ । ଭାରତୀୟ ଯବାନଙ୍କ ବୀରତ୍ୱ ଓ ସୌର୍ଯ୍ୟ ଆଗରେ ମୁଣ୍ଡ ନୁଆଁଇଲା ଶତ୍ରୁପକ୍ଷ । ଯେଉଁଥିପାଇଁ ପ୍ରତିବର୍ଷ ଜୁଲାଇ ୨୬ ତାରିଖକୁ ବିଜୟ ଦିବସ ଭାବେ ପାଳନ କରାଯାଉଛି । ଆଉ ଆଜିର ଦିନରେ ବେଶ ଗୁରୁତ୍ୱ ରଖୁଛି ଭାରତୀୟ ସେନା କ୍ୟାମ୍ପର ଏହି ଓଡିଆ ଯବାନମାନଙ୍କ ଅନୁଭୂତିର କାହାଣୀ ।