କମେଡି କିଙ୍ଗ କପିଲ ଶର୍ମାଙ୍କ ଫିଲ୍ମରେ ଓଡ଼ିଆ ପୁଅ : କୁନି କଳାକାର ଭାବେ ବଲିଉଡରେ କରିବେ ଡେବ୍ୟୁ; ଆସନ୍ତାକାଲି ହେବ ରିଲିଜ୍

228

କନକ ବ୍ୟୁରୋ : ଆସନ୍ତାକାଲି ରିଲିଜ୍ ବହୁ ପ୍ରତୀକ୍ଷିତ କମେଡି କିଙ୍ଗ କପିଲ ଶର୍ମାଙ୍କ ବଲିଉଡ୍ ଫିଲ୍ମ ‘ଜ୍ୱିଗାଟୋ’ । ଫିଲ୍ମକୁ ନେଇ ଦର୍ଶକଙ୍କ ପ୍ରବଳ ଉତ୍ସାହ ରହିଛି । ଫିଲ୍ମ ସହ ଭୁବନେଶ୍ୱର ଓ କଟକର ଖାସ ସମ୍ପର୍କ ରହିଛି । ଭୁବନେଶ୍ୱରରେ ଫିଲ୍ମର ସୁଟିଂ ହୋଇଥିବା ବେଳେ କଟକର କୁନି କଳାକାର ପ୍ରଜ୍ୱଳ ସାହୁଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ । ଆଉ ଏଥିସହ ପ୍ରଜ୍ୱଳ ସାହୁ ବଲିଉଡରେ ଡେବ୍ୟୁ କରିବାକୁ ମଧ୍ୟ ଯାଉଛନ୍ତି ।

ଫିଲ୍ମରେ କପିଲ ଶର୍ମାଙ୍କ ପୁଅ ଭୂମିକାରେ ନଜର ଆସିବେ ପ୍ରଜ୍ୱଳ । ନିକଟରେ ଫିଲ୍ମର ଟ୍ରେଲର ରିଲିଜ୍ ହୋଇଛି । ଟ୍ରେଲରରୁ ଜଣାପଡ଼ୁଛି ଯେ ଫିଲ୍ମଟି ସୁନ୍ଦର ଇମୋସନାଲ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି । କପିଲ ଶର୍ମାଙ୍କୁ ଜଣେ ଫୁଡ଼ ଡେଲିବରି ବୟର ଭୂମିକାରେ ଦେଖିବାକୁ ମିଳିଛି । କପିଲଙ୍କ ବିପକ୍ଷରେ ଅଭିନେତ୍ରୀ ସାହାନା ଗୋସ୍ୱାମୀ ନଜର ଆସିଛନ୍ତି । କରୋନା ମହାମାରୀ ସମୟରେ ଜଣେ ଫୁଡ଼ ଡେଲିଭରୀ ବୟର କଷ୍ଟ, କିଛି ଅଧିକ ରୋଜଗାର କରିବା ଲକ୍ଷ୍ୟରେ ପରିବାରକୁ ସମୟ ଦେଇ ପାରୁ ନଥିବା ଜଣେ ଅସହାୟ ବାପାର କରୁଣ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଫିଲ୍ମ ‘ ଜ୍ୱିଗାଟୋ’ ।

ଫିଲ୍ମର ନିର୍ଦ୍ଦେଶନା ଭାର ନନ୍ଦିତା ଦାସ ତୁଲାଇଛନ୍ତି । ପ୍ରଜ୍ୱଳ ସାହୁ, ଜଣାଶୁଣା ଉଦ୍ୟୋଗପତି ଶରତ ସାହୁଙ୍କ ନାତି । ତାଙ୍କ ବାପା ଅରବିନ୍ଦ ସାହୁ ଓ ମା’ ସାଲିନୀ ସାହୁ ମଧ୍ୟ ଓଡ଼ିଶା ବ୍ୟବସାୟ ଜଗତର ଜଣାଶୁଣା ବ୍ୟକ୍ତି । ପୁଅର ଏଭଳି ସଫଳତାରେ ଖୁସି ପ୍ରକାଶ କରିଛି ପୂରା ପରିବାର ।