ଉତ୍ତରପ୍ରଦେଶ କାନପୁରରେ ମର୍ମନ୍ତୁଦ ଦୁର୍ଘଟଣା । ୨୪ ଜଣଙ୍କର ପ୍ରାଣହାନୀ ସୂଚନା । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ଅନୁକମ୍ପା ରାଶି ଘୋଷଣା ।

89

କନକ ବ୍ୟୁରୋ: ଉତ୍ତରପ୍ରଦେଶ କାନପୁର ନରବର ଥାନା ଅଞ୍ଚଳରେ ଭୟଙ୍କର ସଡକ ଦୁର୍ଘଟଣା । ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨୪ ଜଣଙ୍କର ପ୍ରାଣହାନି ଘଟିଥିବା ସୂଚନା ମିଳିଛି । ତେବେ ମିଳିଥିବା ସୂଚନା ମୁତାବକ କିଛି ଲୋକ ଚନ୍ଦିକାଦେବୀ ମନ୍ଦିରରୁ ଦର୍ଶନ ସାରି ଟ୍ରାକ୍ଟରରେ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଛି । ଟ୍ରାକ୍ଟର ଟ୍ରଲିଟି ଓଲଟି ପଡିବା ଫଳରେ ୨୪ ଜଣଙ୍କର ମୃତ୍ୟୁ ଘଟିଛି ।

ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ତୁରନ୍ତ ଅନୁକମ୍ପାରାଶି ଘୋଷଣା କରାଯାଇଛି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରବର୍ଗକୁ ଦୁଇ ଲକ୍ଷ ଲେଖାଏଁ ଅର୍ଥ ରାଶି ସହ ଦୁର୍ଘଟଣାରେ ଆହତ ଲୋକଙ୍କୁ ୫୦ ହଜାର ଟଙ୍କା ଅନୁକମ୍ପା ରାଶି ଘୋଷଣା କରାଯାଇଛି । ତେବେ ୨୪ ଜଣ ମୃତକଙ୍କ ମଧ୍ୟରେ ୧୧ ଜଣ ମହିଳା ଥିବାବେଳେ ୧୧ ଜଣ ଶିଶୁ ଥିବା ସୂଚନା ମିଳୁଛି । ତେବେ ଏବେ ବି କିଛି ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ, ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ମୁତାବକ, ଦୁର୍ଘଟଣାର ଶିକାର ହୋଇଥିବା ଟ୍ରଲିଟି କିଛି ଲୋକଙ୍କୁ ନେଇ ଚନ୍ଦ୍ରିକା ଦେବୀ ମନ୍ଦିରୁ ଆସୁଥିଲା । ଏହି ସମୟରେ ଟ୍ରାକ୍ଟର ଟ୍ରଲିଟି ଅନିୟନ୍ତ୍ରିତ ହେଇ ସଡକ ତଳକୁ ଖସି ପଡିବା ସହିତ ପାଣିରେ ପଡିଥିଲା । ଆଖପାଖର ଲୋକ ଏହାପରେ ପୋଲିସକୁ ଖବର ଦେଇଥିଲେ । ଯେଉଁଠି ପ୍ରଶାସନ ପହଞ୍ଚି ତୁରନ୍ତ ରେସ୍କ୍ୟୁ ଅପରେସନ୍ କରିଥିଲା ।