କନିକା ରାଜାଙ୍କ ନାତୁଣୀ ବୋହୂଙ୍କୁ ହତ୍ୟା । ମା’ଙ୍କୁ କଟୁରୀରେ ହାଣି ବିଭତ୍ସ ଭାବେ ହତ୍ୟା କଲେ ପୁଅ ଗୋପାଳଭଞ୍ଜ ଦେଓ 

315

କନକ ବ୍ୟୁରୋ: କନିକା ରାଜପରିବାରରେ ବୀଭତ୍ସ ହତ୍ୟାକାଣ୍ଡ । କଟକ କନିକା ଛକ ସ୍ଥିତ ଶ୍ରୀବିହାର କଲୋନିରେ ରହୁଥିବା ରାଜପରିବାରରେ ମାଆକୁ ହତ୍ୟା କରିଛି ପୁଅ । କନିକା ରାଜାଙ୍କ ନାତୁଣୀ ବୋହୂ ପରେଶ କୁମାରୀ ଭଞ୍ଜଦେଓଙ୍କୁ ହତ୍ୟା କରିଛି ତାଙ୍କ ପୁଅ ଗୋପାଳ ଭଞ୍ଜଦେଓ ।

ତେବେ ମାଆ ପୁଅ ଭିତରେ ଲାଗି ରହିଥିବା ଝଗଡାର ଚରମ ପରିଣତି ଦେଖିବାକୁ ମିଳିଛି । ମାନସିକ ଅବସ୍ଥା ଠିକ୍ ରହୁନଥିବା ପୁଅ ଅତି ବିଭତ୍ସ ଭାବେ ମାଆକୁ ହତ୍ୟା କରିଛି । ତେବେ  ଯିଏ ଦୁନିଆ ଦେଖାଇଥିଲା, ତାଙ୍କୁ ଦୁନିଆରୁ ସବୁଦିନ ପାଇଁ ହଟାଇ ଦେବାକୁ ପଛାଇ ନାହିଁ ପୁଅ । କଟକ କନିକା ଛକ ସ୍ଥିତ ଶ୍ରୀବିହାର କଲୋନିରେ ରହୁଥିବା କନିକା ରାଜାଙ୍କ ନାତୁଣୀ ବୋହୂ ପରେଶ କୁମାରୀ ଭଞ୍ଜଦେଓଙ୍କୁ ହତ୍ୟା କରିଛି ତାଙ୍କ ପୁଅ ଗୋପାଳ ଭଞ୍ଜଦେଓ ।

ମୃତ ପରେଶ କୁମାରୀ ଭଞ୍ଜଦେଓଙ୍କ ଝିଅ, ଜୟନ୍ତି ସାମନ୍ତରାୟ କହିଛନ୍ତି, ତିନି ତିନି ବିବାହ ବିଫଳ ହେବା ପାଇଁ ସବୁବେଳେ ମାଆଙ୍କୁ ଦାୟୀ କରି ଆସୁଥିଲେ ଗୋପାଳ । ଏଥିପାଇଁ ତାଙ୍କର ମାନସିକ ଅବସ୍ଥା ଠିକ୍ ନଥିଲା ଓ ସବୁବେଳେ ମାଆଙ୍କ ସହ ଝଗଡା ଲାଗିରହୁଥିଲା । ବୁଧବାର ସକାଳେ ଘରର ଉପର ମହଲାରେ ମାଆ-ପୁଅଙ୍କ ଭିତରେ ପ୍ରବଳ ଝଗଡା ଲାଗିଥିଲା । ପାଟିତୁଣ୍ଡ ଶୁଣି ପରେଶ କୁମାରୀଙ୍କ ଝିଅ ପୋଲିସକୁ ଖବର ଦେଇଥିଲେ । ମାଆକୁ ହତ୍ୟା କରି ପୁଅ ଫେରାର ହୋଇ ଯାଉଥିବାବେଳେ କାବୁ କରିଛି ବିଡାନାସି ପୋଲିସ ।

ଅଭିଯୁକ୍ତ ଗୋପାଳଙ୍କୁ ଅଟକ ରଖି ପଚରା ଉଚରା ଚଳାଇଛି ପୁଲିସ । ସେପଟେ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଛି । କଟକ ଏସସିବି ମେଡିକାଲରେ ମୃତଦେହର ବ୍ୟବଚ୍ଛେଦ କରାଯାଇଛି । ତେବେ ପୁରା ଘଟଣା କଟକ ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।