ନିଜ ଦେଶର ମ୍ୟାଚ୍ ଖେଳିବେନି, ଆଇପିଏଲ୍ ମ୍ୟାଚ୍ ଖେଳିବେ । ଆଇପିଏଲ୍ ପାଇଁ ନ୍ୟୁଜିଲାଣ୍ଡର ୪ ଖେଳାଳିଙ୍କୁ ଆଗୁଆ ଛୁଟି । ଖୁବଶୀଘ୍ର ନିଜ ଦଳ ସହ ହେବେ ସାମିଲ ।

210

କନକ ବ୍ୟୁରୋ: ଆଇପିଏଲ୍ ଖେଳିବା ପାଇଁ ମିଳିଲା ଛୁଟି । ନିଜ ଦେଶ ତରଫରୁ କ୍ରିକେଟ୍ ଖେଳିବା ବଦଳରେ, ଆଇପିଏଲରେ ଫ୍ରାଞ୍ଚାଇଜ୍ କ୍ରିକେଟ୍ ଖେଳିବେ ନ୍ୟୁଜିଲାଣ୍ଡର ୪ ଖେଳାଳି । କେନ୍ ୱିଲିୟମସନ୍ ଓ ଟିମ୍ ସାଉଦିଙ୍କ ସହିତ ନ୍ୟୁଜିଲାଣ୍ଡର ୪ଜଣ ଖେଳାଳି ଆଇପିଏଲ୍ ଖେଳିବା ପାଇଁ ନ୍ୟୁଜିଲାଣ୍ଡ କ୍ରିକେଟ୍ ବୋର୍ଡ ଆଗୁଆ ଗ୍ରୀନ୍ ସିଗନାଲ ଦେଇଦେଇଛି । ସୂଚନାଯୋଗ୍ୟ ଯେ, ଶ୍ରୀଲଙ୍କା ସହ ଦିନିକିଆ ଓ ଟି-୨୦ ସିରିଜ୍ ଥିଲେ ବି, ଏହି ୪ ଖେଳାଳି ଭାରତ ଗସ୍ତରେ ଆସି ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ ଖେଳିବେ ବୋଲି ବୋର୍ଡ ନିଷ୍ପତ୍ତି ନେଇଛି ।

ଆସନ୍ତା ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଫଟାଫଟ୍ କ୍ରିକେଟର ମହାସମର ଆଇପିଏଲ୍ । ତେଣୁ ଏହି ଟୁର୍ଣ୍ଣାମେଣ୍ଟରେ ନିଜ ନିଜ ଦଳ ସହ ସାମିଲ ହେବାକୁ ନ୍ୟୁଜିଲାଣ୍ଡର ୪ ଖେଳାଳିଙ୍କୁ ଆଗୁଆ ଗ୍ରୀନ୍ ସିଗନାଲ ମିଳିଯାଇଛି । କେନ୍ ୱିଲିୟମସନ୍ (ଗୁଜରାଟ ଟାଇଟନ୍ସ), ଟିମ୍ ସାଉଦି (କେକେଆର), କନୱେ ଓ ସାଣ୍ଟନର (ସିଏସକେ)ଙ୍କୁ ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ସିରିଜରୁ ବାଦ୍ ଦେଇ ଆଇପିଏଲ୍ ଖେଳିବାକୁ ଅନୁମତି ଦେଇଛି ନ୍ୟୁଜିଲାଣ୍ଡ କ୍ରିକେଟ୍ ବୋର୍ଡ । ଏହି ଖେଳାଳିମାନେ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟ ଶେଷ ହେବା ପରେ ନିଜ ନିଜ ଆଇପିଏଲ୍ ଦଳ ସହ ତୁରନ୍ତ ଯୋଗ ଦେବେ ।

ଖାଲି ସେତିକି ନୁହେଁ, ନ୍ୟୁଜିଲାଣ୍ଡର ଅନ୍ୟ ଖେଳାଳିଙ୍କ ଭିତରେ ଫିନ୍ ଏଲେନ୍, ଲକି ଫର୍ଗ୍ୟୁସନ ଓ ଗ୍ଲେନ୍ ଫିଲିପ୍ସ ମଧ୍ୟ ଆଇପିଏଲ୍ ଖେଳିବାକୁ ଅଛନ୍ତି । ହେଲେ ମାର୍ଚ୍ଚ ୨୫ରେ ନ୍ୟୁଜିଲାଣ୍ଡ-ଶ୍ରୀଲଙ୍କା ପ୍ରଥମ ଦିନିକିଆ ପରେ ଏହି ଖେଳାଳିମାନେ ଭାରତ ଆସିବେ ବୋଲି ସୂଚନା ମିଳୁଛି । ଶ୍ରୀଲଙ୍କା-ନ୍ୟୁଜିଲାଣ୍ଡ ଭିତରେ ପ୍ରଥମ ଟେଷ୍ଟ ଶେଷ ହୋଇସାରିଛି । ଏହାପରେ ଦ୍ୱିତୀୟ ଟେଷ୍ଟ ଶେଷ ହେବା ପରେ ପ୍ରଥମ ୪ ଜଣ ନ୍ୟୁଜିଲାଣ୍ଡ ଖେଳାଳି ଭାରତ ଚାଲିଆସିବେ । ହେଲେ ଏହାପରେ ଦିନିକିଆ ଓ ଟି୨୦ ସିରିଜ୍ ଖେଳିବାକୁ କିଛି ଖେଳାଳି ଦଳ ସହ ରହିବେ । ଏହାପରେ ଯାଇ ଆଇପିଏଲ୍ ଖେଳିବାକୁ ଉକ୍ତ ଖେଳାଳିମାନେ ଭାରତ ଆସିବେ ବୋଲି ସୂଚନା ରହିଛି ।

ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଭାରତରେ ଦିନିକିଆ ବିଶ୍ୱକପ୍ ହେବାକୁ ଅଛି । ତେଣୁ ଏହାକୁ ଆଖି ଆଗରେ ରଖି ଏଥର ଆଇପିଏଲ୍ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ଭାରତୀୟ ପାଣିପାଗ ସହିତ ଖାପ ଖୁଆଇବା ପାଇଁ ଖେଳାଳିମାନେ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଅଧିକ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି ।