କନ୍ଧମାଳରେ ଗଞ୍ଜେଇ ଗଛ କଟା ଅଭିଯାନ: ଜିଲ୍ଲାରୁ ଗଂଜେଇ ଚାଷ ମୂଳୋତ୍ପାଟନ ଲକ୍ଷ୍ୟରେ ଅଂଟା ଭିଡିଲା ପୁଲିସ

ଜିଲ୍ଲାରେ ବଢୁଛି ଗଂଜେଇ ମାଫିଆଙ୍କ ଦୌରାତ୍ମ୍ୟ

128

କନକ ବ୍ୟୁରୋ: ମୂଳରୁ ମାରିଲେ ଯିବ ସରି । ଏହି ନୀତିରେ ଗଂଜେଇ ଚାଷର ମୂଳୋତ୍ପାଟନ ଅଭିଯାନ ଆରମ୍ଭ କରିଛି କନ୍ଧମାଳ ପ୍ରଶାସନର । ଗଂଜେଇ ଚାଷକୁ ରୋକିବା ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରି ଗଂଜେଇ ଗଛ କାଟିଲେ ଉଭୟ ପ୍ରଶାସନ ଓ ପୁଲିସ । କହିଲେ, ଜିଲ୍ଲାରେ ବଢୁଛି ଗଂଜେଇ ମାଫିଆଙ୍କ ଦୌରାତ୍ମ୍ୟ । ମାଓବାଦୀଙ୍କ ସହ ଗଂଜେଇ ମାଫିଆଙ୍କ ସଂପୃକ୍ତି ଥିବା ସନ୍ଦେହ କରୁଛି ପ୍ରଶାସନ । କନ୍ଧମାଳ ଫିରିଙ୍ଗିଆ ବ୍ଲକରେ ୩୯ କୋଟି ଟଙ୍କାର ଗଂଜେଇ ଗଛ ନଷ୍ଟ କଲା ପୁଲିସ । ଏକ ସପ୍ତାହ ମଧ୍ୟରେ ୩ଟି ପଂଚାୟତରୁ କୋଟି କୋଟି ଟଙ୍କାର ଗଂଜେଇ ଗଛ କଟାଯାଇଛି । ମୁସୁଲିପାଙ୍ଗା ପଂଚାୟତର ସାଡ୍ରିମୁଣ୍ଡା, ମୁସିଲିପଙ୍ଗ, ଶ୍ରୀଗୁଣି କେରେନଗିଲି ଗାଁରେ ଏକ ଲକ୍ଷ ୨୩ ହଜାର ଗଂଜେଇ ଗଛ ନଷ୍ଟ ହୋଇଛି ।

ସେହିପରି ପକାରୀ ପଂଚାୟତର ଏକ ଲକ୍ଷ ୮୪ ହଜାର ଗଂଜେଇ ଗଛ ନଷ୍ଟ କରାଯାଇଥିବା ବେଳେ ସଲାଗୁଡା ପଂଚାୟତରେ ୯୩ ହଜାର ଗଂଜେଇ ଗଛ ନଷ୍ଟ କରାଯାଇଛି । ଡିଭିଏଫ, ସିଆରପିଏଫ,ଅବକାରୀ ବିଭାଗ ଓ କନ୍ଧମାଳ ପୁଲିସ ଗଂଜେଇ ଗଛ ଗୁଡିକ କାଟି ପୋତିଦେଇଥିଲେ । ଯାହାର ଆନୁମାନିକ ମୂଲ୍ୟ ୩୯ କୋଟି ହେବ ।

ନିକଟରେ, ବାଲିଗୁଡ଼ା ଏସଡିପିଓ ନିତିନ୍ କୁଶଲକର ଦାଗୁଡ଼ୁଙ୍କ ନେତୃତ୍ବରେ ପୁଲିସ ଓ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ବାଲିଗୁଡ଼ା ଥାନା ମହାସିଙ୍ଗି ଅଞ୍ଚଳରେ ଚଢଉ କରାଯାଇ ୯୫ ଏକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୩୫ କୋଟି ଟଙ୍କା ହେବ। ବାଲିଗୁଡ଼ା ଡିଏସପି ସୁନାରାମ ହେମ୍ବ୍ରମ, ଥାନା ଅଧିକାରୀ ରମାକାନ୍ତ ମହାପାତ୍ର, ଅବକାରୀ ଏସଆଇ ଭକ୍ତବତ୍ସଳ ଶର୍ମା, ମାଧବ କୌଶଲ୍ୟାଙ୍କ ସମେତ ପୁଲିସ ଓ ଅବକାରୀ ବିଭାଗର କର୍ମଚାରୀ ସାମିଲ ହୋଇ ଥିଲେ।