କନକ ନ୍ୟୁଜର୍ ନ୍ୟୁଜ ମେକର ୨୦୧୮ । ଅନଲାଇନ୍ ପୋଲରେ ବଛାହେଲେ ରାଜ୍ୟର ଚର୍ଚ୍ଚିିିତ ଚେହେରା ।

ରାଜନୀତି କ୍ଷେତ୍ରରେ ବିଜୟ ମହାପାତ୍ର , ସାମାଜିକ କ୍ଷେତ୍ରରେ ଜୟନ୍ତୀ ଏକ୍କା

189

କନକ ବ୍ୟୁରୋ: ବିଦାୟ ନେଉଛି ୨୦୧୮ । ନୂଆ ସଂଭାବନା ନେଇ ଆସୁଛି ବର୍ଷ ୨୦୧୯ । ଆଉ ବିଦାୟୀ ୨୦୧୮ ବର୍ଷରେ କେଉଁମାନେ ଥିଲେ ଖବରର ଶୀର୍ଷରେ । କେଉଁ ନେତା, କେଉଁ ଅଭିନେତା କିମ୍ବା କେଉଁ ସମାଜିକ କର୍ମୀ ତଥା କ୍ରୀଡ଼ା ବ୍ୟକ୍ତିତ୍ୱ ବର୍ଷ ତମାମ୍ ଖବରର ଉତ୍ସ ହୋଇ ରହିଥିଲେ । ଏଭଳି କିଛି ବ୍ୟକ୍ତିତ୍ୱଙ୍କୁ ସାମ୍ମାନିତ କରିବାର ଉଦ୍ଦେଶ୍ୟରେ କନକ ନ୍ୟୁଜ୍ ତଥା ସମ୍ବାଦ ପରିବାର ପକ୍ଷରୁ ଆୟୋଜିତ ହୋଇଥିଲା ନ୍ୟୁଜ୍ ମେକର-୨୦୧୮ ।

ରାଜନୀତି, ସମାଜିକ, କ୍ରୀଡ଼ା ଓ ମନୋରଂଜନ କ୍ଷେତ୍ରରେ ବର୍ଷ ତମାମ୍ ଖବର ହେଡ୍ଲାଇନ୍ ପାଲଟିଥିବା କିଛି ବିଶେଷ ବ୍ୟକ୍ତିଙ୍କୁ ବାଛିଥିଲେ ଜୁରୀ । ଯାହାକୁ ନେଇ ସୋସିଆଲ ମିଡ଼ିଆରେ ପୋଲ ବା ଜନମତ ସଂଗ୍ରହ କରାଯାଇଥିଲା । ଯେଉଁଥିରେ ବିଭନ୍ନ କ୍ଷେତ୍ରରେ ନିଜ ପସନ୍ଦର ନ୍ୟୁଜ ମେକର-୨୦୧୮ ବାଛିଥିଲେ ଲୋକେ ।

ରାଜନୀତିରେ କ୍ଷେତ୍ରରେ ନ୍ୟୁଜ୍ ମେକର ଭାବରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ବାଛିଛନ୍ତି ଅନ୍ଲାଇନ୍ ଭୋଟର । ଏହି ତାଲିକାରେ ଡକ୍ଟର ଦାମୋଦର ରାଉତ, ବୈଜୟନ୍ତ ପଣ୍ଡା, ଅପରାଜିତା ଷଡଙ୍ଗୀ, ନିରଞ୍ଜନ ପଟ୍ଟନାୟକ, ଖାରଖେଳ ସ୍ୱାଇଁ ପ୍ରମୁଖ ସାମିଲ ଥିଲେ । ଆଉ ଏହି ସମସ୍ତ ରାଜନେତାଙ୍କୁ ପଛରେ ପକାଇ ନ୍ୟୁଜ୍ ମେକର ବନିଛନ୍ତି ବିଜୟ ମହାପାତ୍ର ।

ସେହିପରି ସାମାଜିକ କ୍ଷେତ୍ରରେ ସୁନ୍ଦରଡ଼ର ଜୟନ୍ତୀ ଏକ୍କା ନ୍ୟୁଜ୍ ମେକର ଭାବେ ସମ୍ମାନିତ ହୋଇଛନ୍ତି । ସାମାଜିକ କ୍ଷେତ୍ରରେ ଜୟନ୍ତୀ ଏକ୍କାଙ୍କ ସହ ଥିଲେ ଦୈତାରୀ ନାୟକ ଏବଂ ପ୍ରକାଶ ରାଓ । ସୋସିଆଲ ମିଡ଼ିଆର ହୋଇଥିବା ପୋଲରେ ଦର୍ଶକମାନେ ଜୟନ୍ତୀ ଏକ୍କାଙ୍କୁ ସାମାଜିକ କ୍ଷେତ୍ରରେ ନ୍ୟୁଜ୍ ମେକର ଭାବରେ ବାଛିଛନ୍ତି ।

କ୍ରୀଡ଼ା କ୍ଷେତ୍ରରେ ନ୍ୟୁଜ୍ ମେକର ବିବେଚିତ ହୋଇଛନ୍ତି ଧାବିକା ଦୂତି ଚାନ୍ଦ । ଦୂତୀ ଚାନ୍ଦଙ୍କ ସହ ହକି ତାରକା ଅମିତ ରୋହିଦାସ ଏବଂ ଚେସ୍ ତାରକା ପଦ୍ୱିନୀ ରାଉତ ଏହି ତାଲିକାରେ ଥିଲେ । ତେବେ ଦର୍ଶକମାନେ ହକି ଏବଂ ଚେସ୍ ତାରକାଙ୍କୁ ପଛରେ ପକାଇ ଦେଇଛନ୍ତି ଦୌଡ଼ରାଣୀ ଦୂତି । ଦୂତିଙ୍କୁ ସର୍ବାଧିକ ଭୋଟ୍ ଦେଇଛନ୍ତି ଦର୍ଶକ ।

ମନେରାଂଜନ କ୍ଷେତ୍ରରେ ନ୍ୟୁଜ୍ ମେକର ଭାବେ ଅଭିନେତା ତଥା ନିର୍ଦ୍ଦେଶକ ପପୁ ପମପମଙ୍କୁ ବାଛିଛନ୍ତି ଦର୍ଶକ । ଏହି କ୍ଷେତ୍ରରେ ପପୁଙ୍କ ସମେତ ଗାୟିକା ଅସୀମା ପଣ୍ଡା, ସୋନା ମହାପାତ୍ର ଏବ ମଂଟୁ ଛୁରିଆ ରହିଥିଲେ । କିନ୍ତୁ ଶ୍ରେଷ୍ଠ ନ୍ୟୁଜ୍ ମେକର ଭାବେ ମନୋରଂଜନ କ୍ଷେତ୍ରରେ ପୁରସ୍କୃତ ହୋଇଛନ୍ତି ପପୁ ।