ଆରମ୍ଭ ହେଲା କନକ ନ୍ୟୁଜର ଏଜୁକେସନ୍ କନକ୍ଲେଭ୍ ‘ଉତ୍କର୍ଷ ୨୦୨୩’ । ଉଦଘାଟନ୍ କଲେ ସମ୍ବାଦ ଗ୍ରୁପର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ । ଆଜି କାର୍ଯ୍ୟକ୍ରମରେ ଯୋଗଦେବେ ରାଜ୍ୟର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ।

70

କନକ ବ୍ୟୁରୋ: ଆରମ୍ଭ ହେଲା କନକ ନ୍ୟୁଜର ଏଜୁକେସନ୍ କନକ୍ଲେଭ୍ ଉତ୍କର୍ଷ ୨୦୨୩ । ସମ୍ବାଦ ଗ୍ରୁପର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । ତେବେ ଆଜି ରାଜ୍ୟର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ତା ସହିତ ମାଟ୍ରିକ ପରୀକ୍ଷାରେ ସଫଳତା ପାଇଥିବା କିଛି ଛାତ୍ରଛାତ୍ରୀମାନେ ମଧ୍ୟ ଏଥିରେ ଯୋଗ ଦେଇ ନିଜର ପ୍ରତିକ୍ରିୟା ରଖିବେ ।

ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ସହିତ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ, ମୋ କଲେଜର ଅଧ୍ୟକ୍ଷ ଆକାଶ ଦାସନାୟକଙ୍କ ସହିତ ୟୁପିଏସସି ପରୀକ୍ଷାରେ ସଫଳତା ପାଇଥିବା କିଛି ସଫଳ ବ୍ୟକ୍ତିତ୍ୱ ମଧ୍ୟ ଏଥିରେ ସାମିଲ ହେବେ ।

ଏହି କାର୍ଯ୍ୟକ୍ରମକୁ ଉଦଘାଟନ୍ କରି ସମ୍ବାଦ ଗ୍ରୁପର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, ଉତ୍କର୍ଷର ଉପାସକ ହେବା ସହଜ ନୁହେଁ । ଉତ୍କର୍ଷର ସବୁଠୁ ବଡ ଶତ୍ରୁ ହେଲା ଚଳେଇ ନେବା ପ୍ରବୃତ୍ତି । ତେବେ ଗଣତନ୍ତ୍ର ସଂଖ୍ୟାର ଖେଳରେ ବିଶ୍ୱାସ କରେ, ଏଠାରେ ଧୂଆ ମୂଳା, ଅଧୁଆ ମୂଳା ସବୁ ସମାନ । ଅଧିକ ମୂଳା ହେବା ଏଠି ଦରକାର । ହେଲେ ଉତ୍କର୍ଷର ଉପାସକଙ୍କୁ ଧୂଆ ମୂଳା ଉପରେ ଅଧିକ ନିର୍ଭର ହେବାକୁ ପଡେ ବୋଲି ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି । ତେବେ କନକ ନ୍ୟୁଜର ଏଜୁକେସନ୍ କନକ୍ଲେଭ୍ ଉତ୍କର୍ଷ କାର୍ଯ୍ୟକ୍ରମ ତାଙ୍କର ସବୁଠୁ ପ୍ରିୟ କାର୍ଯ୍ୟକ୍ରମ ବୋଲି ସେ କହିଛନ୍ତି ।